ସମଗ୍ର କନ୍ଧମାଳରେ ୭୭,୪୧୧ଜଣ ଶିଶୁ ପୋଲିଓ ବୁନ୍ଦା ନେଲେ ।

କନ୍ଧମାଳ,୦୨/୦୨(ପିପିଟି):ସମଗ୍ର କନ୍ଧମାଳ ଜିଲାରେ ୭୭ହଜାର ୪ ଶହ ୧୧ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି। ରବିବାର ଅନୁଷ୍ଠିତ ଏହି ସ୍ୱତନ୍ତ୍ର ପୋଲିଓ ଟୀକା ଅଭିଯାନରେ ଜିଲ୍ଲାରେ ଲକ୍ଷ ତୁଳନାରେ ୯୦ ପ୍ରତିଶତ ଶିଶୁଙ୍କୁ ଟୀକା ଦିଆଯାଇଥିବା ଜିଲା ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ଜଣାପଡିଛି। ସୂଚନା ଅନୁଯାୟୀ ଚଳିତ ପଲସ ପୋଲିଓ ଅଭିଯାନରେ କନ୍ଧମାଳ ଜିଲାରେ ସମୂଦାୟ ୮୬ ହଜାର ୪୫ ଜଣ ଶିଶୁଙ୍କୁୁ ଟୀକା ଦେବା ପାଇଁ ଲକ୍ଷ୍ୟ ଧ୍ୟାର୍ଯ୍ୟ ହୋଇଥିଲା। ତେବେ ଏଥିମଧ୍ୟରୁ ୭୭ ହଜାର ୪ ଶହ ୧୧ ଜଣ ଶିଶୁ ଏହି ଟୀକା ଗ୍ରହଣ କରିଛନ୍ତି। ଗ୍ରାମାଂଚଳରେ ୭୨ ହଜାର ୭ ଶହ ୨୮ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଥିବା ବେଳେ ସହରାଂଚଳ ରେ ୪ ହଜାର ୬ ଶହ ୮୩ ଜଣ ଟିକା ନେଇଛନ୍ତି। ବାଲିଗୁଡା ଏନଏସିରେ ସର୍ବାଧିକ ୯୭.୮ ପ୍ରତିଶତ ଟୀକାକରଣ ହୋଇଛି। ସେହିଭଳି ତୁମୁଡିବନ୍ଧ ବ୍ଲକରେ ସର୍ବନିମ୍ନ ୮୩.୩ ପ୍ରତିଶତ ଶିଶୁ ଟୀକା ପାଇଛନ୍ତି। ଜିଲାର ୧୨ଟି ବ୍ଲକରେ ଟୀକାକରଣ ପାଇଁ ୩୫୪ଟି ବୁଥ ଖୋଲାଯାଇଥିଲା। ଟୀକାକରଣ ପାଇଁ ୨୩ଟି ଭ୍ରାମ୍ୟମାଣ ଦଳ ଓ ୩୪ଟି ଟ୍ରାନଜିଟ ଟିମ ଗଠିତ ହୋଇଥିଲା। ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅଙ୍ଗନୱାଡି କର୍ମୀ ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କର୍ମଚାରୀ ମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତେବେ ସୋମବାର ଘରକୁ ଘର ବୁଲି ମଧ୍ୟ ପୋଲିଓ ବୁନ୍ଦା ଦିଆଯିବା ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
(ରିପୋର୍ଟ :-ସୁଶାନ୍ତ କୁମାର ପାଣିଗ୍ରାହୀ)

Comments (0)
Add Comment