ସତର୍କ ନହେଲେ ଆଗକୁ ବଢିବ ଯନ୍ତ୍ରଣା: ଖଲିଆ ।

ବେଲଗୁଣ୍ଠା,୧୭/୦୫(ପିପିଟି), କରୋନା ମହାମାରୀର ଦ୍ୱିତୀୟ ଲହରୀରେ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି ଅମ୍ଳଜାନ୍ ସ୍ତର କମିଯିବା । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ଲକ୍ଷାଧିକ ଲୋକ କେବଳ ଅମ୍ଳଜାନ ଅଭାବରେ ମୃତ୍ୟୁ ବରଣ କରିଥିବା ବେଳେ ବାହୁ ଲୋକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହିଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ କଲ୍ୟାଣପୁର ଗ୍ରାମର ପରିବେଶ ପ୍ରେମୀ ଖଲିଆ ସ୍ୱାଇଁ ଏବେଠାରୁ ସତର୍କ ନହେଲେ ଆଗକୁ ଆହୁରି ଯନ୍ତ୍ରଣା ଭୋଗିବାକୁ ପଡ଼ିବ ବୋଲି ପ୍ରକାଶ କରିଛନ୍ତି । ତେଣୁ ନେଡ଼ିଗୁଡ଼ କହୁଣୀକୁ ବୋହି ଯିବା ପୂର୍ବରୁ ସମସ୍ତେ ଅଧିକରୁ ଅଧିକ ବୃକ୍ଷରୋପଣ କରି ପ୍ରକୃତିର ଯତ୍ନ ନେବା ପାଇଁ ସେ ଅନୁରୋଧ କରିଛନ୍ତି । ସୂଚନା ଥାଉକି ଖଲିଆ ସ୍ଵାଇଁ ଜଣେ ବୃକ୍ଷ ବନ୍ଧୁ ଭାବରେ ଜଗନ୍ନାଥପ୍ରସାଦ ଅଞ୍ଚଳରେ ବେଶ୍ ପରିଚିତ । ସେ ବୃକ୍ଷରୋପଣକୁ ନିଜ ଜୀବନର ପରମ ଲକ୍ଷ୍ଯ ଭାବେ ଗ୍ରହଣ କରିବ ସହିତ ନିଜର ପାଞ୍ଚ ଏକର ଜମିରେ ବିଭିନ୍ନ କିସମର ଫଳଗଛ ଲଗାଇ ସେ ରୋଜଗାରକ୍ଷମ ହୋଇପାରିବା ସହ ଅନ୍ୟ ଚାରି ଜଣଙ୍କୁ ମଧ୍ୟ ଏହି ଜମିରେ କର୍ମ ସଂସ୍ଥାନ ଯୋଗାଇଦେଇଛନ୍ତି । ଖରା, ବର୍ଷା, ଶୀତ ପ୍ରତ୍ଯେକ ଋତୁରେ ସୂର୍ଯ୍ୟ ଉଦୟ ହେବା ମାତ୍ରକେ ଖଲିଆଙ୍କ କର୍ମ ଆରମ୍ଭ ହୁଏ ଲଣ୍ଡେଇ ହିଲ୍ ର ନିଜ ପାଞ୍ଚ ଏକର ଜମିରେ । ଗଛକୁ ନିଜ ସନ୍ତାନ ଭଳି ଭଲ ପାଉଥିବା ଖଲିଆ ନିଜ ଜମିର କାଜୁ, ଲେମ୍ବୁ, ଆମ୍ବ, ପଣସ ଇତ୍ୟାଦି ଗଛର ଯତ୍ନ ନେବା ସହିତ ସେଥିରୁ ମଞ୍ଜି ସଂଗ୍ରହ କରି ବିଭିନ୍ନ ଉନ୍ନତ କୌଶଳ ଅବଲମ୍ବନରେ ଅନ୍ୟାନ୍ୟ ଫାଙ୍କା ସ୍ଥାନରେ ବୃକ୍ଷରୋପଣ କରିବା ସହିତ ଖତ, ସାର ଏବଂ ପାଣି ଦେଇ ସେଗୁଡିକୁ ବଡ କରନ୍ତି । ଜଙ୍ଗଲ ପୃଥିବୀର ଫୁସଫୁସ୍ ହୋଇଥିବାରୁ ଅଧିକରୁ ଅଧିକ ବୃକ୍ଷରୋପଣ ଏବଂ ତାର ଯତ୍ନ ହିଁ ଆଗକୁ ଆସୁଥିବା ବିଷମ ପରିସ୍ଥିତିରୁ ଆମକୁ ମୁକୁଳାଇ ପାରିବ ଅନ୍ୟଥା ପୃଥିବୀରୁ ଜୀବଜଗତର ସତ୍ତା ଲୋପ ପାଇଯିବ ବୋଲି ଖଲିଆ କୁହନ୍ତି ।

 

(ରିପୋର୍ଟ- ସୁଶାନ୍ତ କୁମାର ବେହେରା ।)

Comments (0)
Add Comment