ବେଲଗୁଣ୍ଠା,୨୬/୦୧(ପିପିଟି): ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ହନୁମାନ ମନ୍ଦିର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜନୈକ ଶିକ୍ଷକଙ୍କ ମୃତ୍ୟୁ ଘଟିଛି I ସୂଚନା ପ୍ରକାରେ ଆସ୍କା ସୁନାମ ସାହିର ଭାସ୍କର ନାଇକଙ୍କ ପୁଅ ଅସୀତ୍ ନାଇକ (୩୫)ଆସ୍କା ବ୍ଳକ୍ ପୂଡୂଗେଶ୍ୱରପଲ୍ଲୀରେ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ସେ ଆଜି କୌଣସି କାମରେ ଭଞ୍ଜନଗର ସ୍ଥିତ ନିଜ ବନ୍ଧୁ ଘରକୁ ଯାଇ ନିଜର ମୋଟରସାଇକେଲ୍ ରେ ଫେରୁଥିବା ସମୟରେ ସନ୍ଧ୍ୟା ୫ ଘଣ୍ଟା ୪୦ ମିନିଟ୍ ସମୟରେ ଖଇରପୁଟି ହନୁମାନ ମନ୍ଦିର ନିକଟରେ କୌଣସି ଅଜଣା ଗାଡ଼ି ଧକ୍କାରେ ଭାରସାମ୍ୟ ହରାଇ ରାସ୍ତା ଉପରେ ପଡ଼ିଯାଇଥିଲେ । ଫଳରେ ଅସୀତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଗାଡ଼ିଟି ଅସିତଙ୍କୁ ୨୦୦ ପ୍ରାୟ ମିଟର ଘୋଷାରି ନେଇଯାଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଗାଙ୍ଗପୁର ପୋଲିସ୍ ଖବର ପାଇ ଅସୀତ୍ ଙ୍କ ଶବ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ପଠାଇଥିବା ସୂଚନା ମିଳିଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )