ସଡ଼କ ଦୁର୍ଘଟଣାରେ ଯୁବ ଇଞ୍ଜିନିୟର୍ ମୃତ ।

ବେଲଗୁଣ୍ଠା,୦୨/୦୬(ପିପିଟି): ଆଜି ସନ୍ଧ୍ୟା ୫ ଟା ସମୟରେ ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ- ସୋରଡ଼ା ରାସ୍ତାର ମରେଇପାଟ ଛକରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବ ଇଞ୍ଜିନିୟର୍ ପ୍ରାଣ ହରାଇଛନ୍ତି । ସୂଚନା ପ୍ରକାରେ ପ୍ରାଣ ହରାଇଥିବା ଯୁବକ ଜଣଙ୍କ ହେଉଛନ୍ତି କାଳିଆଗୁଡ଼ା ଗ୍ରାମର ଯୁବ ଇଞ୍ଜିନିୟର୍ ଦେବାଶିଷ ପ୍ରଧାନ ଓରଫ୍ ଲିଟୁ (୩୨) । ଦେବାଶିଷ ବାଙ୍ଗାଲୁରୁରେ ଇଞ୍ଜିନିୟର୍ ଭାବେ ଚାକିରି କରୁଥିଲେ । ତାଙ୍କ ନିଜ ଗ୍ରାମ କାଳିଆଗୁଡ଼ା ହୋଇଥିଲେ ମଧ୍ୟ ସେ କିଛି ବର୍ଷ ହେବ ଗୋବରାରେ ରହି ଆସୁଥିଲେ । ସେ କିଛି ଦିନ ହେବ ଛୁଟିରେ ଆସିଥିବା ବେଳେ ଆଜି ସନ୍ଧ୍ୟାରେ ନିଜ ଗ୍ରାମ କାଳିଆଗୁଡ଼ାରୁ AP10BG1718 ନମ୍ବର୍ ବିଶିଷ୍ଟ ଏକ କାରରେ ଗୋବରା ଫେରୁଥିବା ସମୟରେ ମରେଇପାଟ ଛକରେ ଏକ ବରଗଛକୁ ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଦେବାଶିଷଙ୍କର ମୃତ୍ୟୁ ଘଟିଥିଲା । ଘଟଣା ସମୟରେ ପଛରୁ ଆସୁଥିବା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ବଡ଼ବୋର୍ସିଂ ସରପଞ୍ଚ ଏସ୍ ରାମେଶ୍ୱର ପାତ୍ର ଘଟଣା ସ୍ଥଳରୁ ଦେବାଶୀଷକୁ ଉଦ୍ଧାର କରି ଆମ୍ବୁଲାନ୍ସ୍ ଯୋଗେ ଭଞ୍ଜନଗର ମେଡିକାଲ୍ କୁ ପଠାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment