ସଡକ ସୁରକ୍ଷା ସଚେତନତା ମାସ ପାଳନର ଶେଷ ଦିବସରେ ବାଇକ୍ ଶୋଭାଯାତ୍ରା ।

ଜଗତସିଂହପୁର,୧୮/୦୨(ପିପିଟି); ଜଗତସିଂହପୁର ଜିଲ୍ଲାରେ ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ହୋଇଯାଇଛି। ଏହି ସଡ଼କ ସୁରକ୍ଷା ସଚେତନତା ମାସର ଶେଷ ଦିନରେ ଏକ ବାଇକ୍ ଶୋଭାଯାତ୍ରାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍ ପତାକା ହଲାଇ ଶୁଭ ଉଦ୍‌ଘାଟନ କରିଥିଲେ। ଏହି ବାଇକ୍ ଶୋଭାଯାତ୍ରାରେ ୩୦ଜଣ ପୋଲିସ୍, ହୋଣ୍ଡା ସୋରୁମ୍,ଟିଭିଏସ୍ ସୋରୁମ୍ ଓ ହିରୋ ସୋରୁମ୍ ର ପ୍ରତ୍ୟେକ ୧୦ଜଣ ଲେଖାଏଁ କର୍ମଚାରୀ ଭାଗ ନେଇଥିଲେ। ଏହି ବାଇକ୍ ଶୋଭାଯାତ୍ରା ଏସ୍.ପି ଅଫିସରୁ ବାହାରି ତିର୍ତ୍ତୋଲ ଥାନା ଓ ପରେ ରଘୁନାଥପୁର ଦେଇ ଗାନ୍ଧୀଛକ ବାଟେ ଏସ୍.ପି ଅଫିସରେ ପହଞ୍ଚିଥିଲେ। ଦୁଇଚକିଆ ଗାଡ଼ି ଚଳାଇବା ବେଳେ ହେଲମେଟ୍ ପିନ୍ଧିବା, ମୋବାଇଲ ବ୍ୟବହାର ନକରିବା, ଦୃତ ଗତିରେ ଗାଡ଼ି ନ ଚଲାଇବା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ପ୍ରକାଶ ଥାଉକି ଜଗତସିଂହପୁର ଜିଲ୍ଲାରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ମାସ ଜାନୁୟାରୀ ୧୮ ତାରିଖରେ ଆରମ୍ଭ ହୋଇଥିଲା। ସଡ଼କ ସୁରକ୍ଷା ସଚେତନତା ରଥକୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସ୍ଥାନୀୟ କଲେଜ ଛକଠାରେ ଉଦଘାଟନ କରିଥିଲେ। ଏକ ସଚେତନତା ଶୋଭାଯାତ୍ରା କଲେଜ ଛକଠାରୁ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ସଚେତନତା ରଥ ସମଗ୍ର ଜିଲ୍ଲା ପରିକ୍ରମା କରିଥିଲା। ସେହିପରି ସ୍ଥାନୀୟ ଏସ୍.ପି ଅଫିସ୍ ଠାରୁ ୭୦ଜଣ ଛାତ୍ରଛାତ୍ରୀ ସାଇକେଲ ଶୋଭାଯାତ୍ରାରେ ବାଲିଭଉଁରି ଛକ ପର୍ଯ୍ୟନ୍ତ ଯାଇଥିଲେ। ଜାନୁୟାରୀ ୨୦ ତାରିଖରେ ଏସ୍.ପି ପ୍ରକାଶ ଆର୍ ଏହି ସାଇକେଲ୍ ଶୋଭାଯାତ୍ରାକୁ ଉଦଘାଟନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରାରେ କ୍ୟାରିଅର କ୍ରିଏଟରର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଶେଷଦିନର ଏହି ବାଇକ୍ ଶୋଭାଯାତ୍ରାରେ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରତାପ କୁମାର ପଣ୍ଡା, ଟ୍ରାଫିକ ଇନିସପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର, ଡି.ଏସ୍.ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଆଇ.ଆଇ.ସି ରଜନୀକାନ୍ତ ମିଶ୍ର ଉପସ୍ଥିତ ଥିଲେ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Comments (0)
Add Comment