ଭଞ୍ଜନଗର, ୦୨/୦୧(ପିପିଟି) : ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସଡକ ସୁରକ୍ଷା ମାସର ୨ୟ ଦିନ ଆଜି ଭଞ୍ଜନଗର ଆର୍ ଟି ଓ କାର୍ଯ୍ୟାଳୟ ପକ୍ଷରୁ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଭଞ୍ଜନଗର ମେଡ଼ିକାଲ ଅଧୀକ୍ଷକ ଡଃ ସିତାଶୁଂ ଶେଖର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଞ୍ଜାମ ଜିଲ୍ଲାରେ ସଚେତନତା ବୃଦ୍ଧି ଯୋଗୁଁ ପୁର୍ବ ଅପେକ୍ଷା ଦୁର୍ଘଟଣା ଜନିତ ମୃତ୍ୟୁହାର କମିଛି ବୋଲି କହିଥିଲେ। ପୃଥିବୀରେ ଭାରତର ଦୁର୍ଘଟଣା ଜନିତ ମୃତ୍ୟୁହାର ସର୍ବାଧିକ । ଗଞ୍ଜାମ ଜିଲ୍ଲାରେ ପୁର୍ବ ବର୍ଷ ଅପେକ୍ଷା ଦୁର୍ଘଟଣା ଜନିତ ମୃତ୍ୟୁହାର କମିଛି। ଦୁର୍ଘଟଣା ରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରୁ ୬୦ ପ୍ରତିଶତ ଯୁବ ସମାଜ । ସେମାନଙ୍କ ଅସାବଧାନତା ଯୋଗୁଁ ନିଜେ ବିପଦରେ ପଡ଼ିବା ସହ ଅନ୍ୟମାନଙ୍କୁ ମଧ୍ୟ ବିପଦକୁ ଟାଣୁଛନ୍ତି। ରାସ୍ତା ହେଉଛି ସମସ୍ତଙ୍କ ବ୍ୟବହାର ପାଇଁ। ତେଣୁ ଆମେ ମାନେ ଗାଡ଼ି ଚଳାଇବା ବେଳେ ରାସ୍ତାରେ ଅନ୍ୟ ମାନଙ୍କ ମଧ୍ୟ ଗାଡ଼ି ଚଳାଇବା ଅଧିକାର ଅଛି ବୋଲି ହୃଦବୋଧ କରି ଗାଡି ଚଳାଇବାକୁ ପଡିବ। ତାହାହେଲେ ଯାଇ ଦୁର୍ଘଟଣା ଜନିତ ମୃତ୍ୟୁହାର ଆହୁରି କମିପାରିବ। ଏଥିପ୍ରତି ସମସ୍ତେ ସଚେତନ ହୋଇ ଗାଡି ଚଳାଈବାକୁ ଶ୍ରୀ ରାୟ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ବାନ କରିଥିଲେ। ଏମ୍ ଭି ଆଇ ଶର୍ମିଲା ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟ୍ରାଫିକ ନିୟମ ଉପରେ ସଚେତନ କରାଇଥିଲେ। କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ବୈଠକରେ ଅଧ୍ୟକ୍ଷତା କରି ଯୁବ ସମାଜ ହେଉଛନ୍ତି ଦେଶର ଭବିଷ୍ୟତ ବୋଲି କହିଥିଲେ। ତେଣୁ ସର୍ବଦା ଗାଡି ଚଳାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ ବୋଲି କହିଥିଲେ। ଛାତ୍ରୀ ପୂଜା ପାତ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ପ୍ରଶାସନିକ ଅଧିକାରୀ ବିଭାସ ଦାସ ସଭାକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଡଃ ରବିନ୍ଦ୍ର ମିଶ୍ର ଧନ୍ୟବାଦ୍ ପ୍ରଦାନ କରିଥିଲେ। ଏନ୍ ସି ସି ଆର୍ମି ଅଫିସର ରଜନୀ କାନ୍ତ ତ୍ରିପାଠୀ, ନାଭାଲ ଅଫିସର ଡଃ ମିଶ୍ର, ଏନ୍ ଏସ ଏସ ଅଧିକାରୀଣୀ ଅଧ୍ୟାପିକା ସସ୍ମିତା ଦାସ, ଯୋଜନା ଅଧିକାରୀ ସନାତନ ବେହେରା, ଯୁବ ରେଡକ୍ରସ୍ ଅଧିକାରୀ ବିଦେଶୀ ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)