ସଡକ ସୁରକ୍ଷା ଜୀବନ ରକ୍ଷା କେବଳ ସ୍ଲୋଗାନରେ ସୀମିତ ନ ରହୁ :ଅତିରିକ୍ତ ଜିଲ୍ଲାପାଳ ।

ଯାଜପୁର,୨୪/୦୧(ପିପିଟି);ସଡକ ଦୁର୍ଘଟଣାରେ ଅନେକ ଜୀବନ ଯିବା ସହ ସମ୍ପତି ମଧ୍ୟ ନଷ୍ଟ ହେଉଛି । ତେଣୁ ସଡକ ସୁରକ୍ଷା ସହ ଜୀବନ ରକ୍ଷା ପାଇଁ ପ୍ରତ୍ୟେକ ସଚେତନ ହେବାକୁ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ମତବ୍ୟକ୍ତ କରିଛନ୍ତି । ରବିବାର ପୂର୍ବାହ୍ନରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ସଚେତନତା ମାସ ଓ ସପ୍ତାହ ପାଳନ ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ସଡକ ସୁରକ୍ଷାର ବିବିଧ ନିୟମକୁ ମାନିବା ସହ ଦୁର୍ଘଟଣା ଗସ୍ତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ଗୁଡ ସମରିଟାନ ବା ପରୋପକାରୀ ବ୍ୟକ୍ତି ଭାବେ ପୁରସ୍କୃତ ହେବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ପରିବହ ବିଭାଗର ଉପ ଆୟୁକ୍ତ ସଜୟ କୁମାର ବିଶ୍ୱାଳ ୧୮ ବର୍ଷରୁ କମ ପିଲା ମାନେ ଗାଡି ଚଳାଇଲେ ସେମାନଙ୍କ ଅଭିଭାବକଙ୍କୁ ୨୫ହଜାର ଟଙ୍କାର ଆର୍ଥିକ ଦଣ୍ଡ ସହ ସଂପୃକ୍ତ ପିଲାକୁ ୨୫ବର୍ଷ ପର୍ଯ୍ୟନ୍ତ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ ବୋଲି ନିୟମ ରହିଛି ବୋଲି ସୂଚନା ଦେଇଥିଲେ । ଅପରପକ୍ଷରେ ଭୁଲ ରାସ୍ତାରେ ଗାଡି ଚାଳନା, ମାଦକ ଦ୍ରବ୍ୟ ସେବନକରି, ବିନା ଡ୍ରାଇଭିଂ ଲାସେନ୍ସ ଓ ଓଭର ଲୋଡିଂ କରି ଗାଡିଚାଳନା କରୁଥିଲେ ସେଥିପାଇଁ ଦଣ୍ଡିତ ବ୍ୟବସ୍ଥା ରହିଛି ବୋଲି କହିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନାରାୟଣ ବାରିକ ଦେଶରେ ଗତ କରୋନାରେ ପ୍ରାୟ ୧ଲକ୍ଷ ୫୩ହଜାର ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୨୦୧୯ ବର୍ଷରେ ରାସ୍ତା ଦୁର୍ଘଟଣାରେ ୧ଲକ୍ଷ ୫୬ ହଜାର ଲୋକ ମୃତ୍ୟୁ ବରଣ କରିବା ଉଦ୍‌ବେଗର କାରଣ ବୋଲି ମତବ୍ୟକ୍ତ କରି ସଡକ ସୁରକ୍ଷା ପ୍ରତି ପ୍ରତ୍ୟେକ ଉତ୍ତର ଦାୟୀ ହେବାକୁ ଅନୁରୋଧ କରିଥିଲେ । ସହକାରୀ ଜିଲ୍ଲାପାଳ ତିଳୋତମା ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସଡକ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । ପରେ ଅତିଥି ମାନେ ବରୀ ଅଂଚଳର ସମାଜ ସେବୀ ସତ୍ୟରଂଜନ କରଙ୍କୁ ଗୁଡ ସମରିଟନ ସମ୍ମାନରେ ସମ୍ବର୍ଦ୍ଧିତ କରିବା ସହ ସଚେତନତା ସୃଷ୍ଟି କରିଥିବା ନାଟ୍ୟ ଅନୁଷ୍ଠାନ ଅନ୍ୱେଷଣର କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଯାଜପୁର ଜିଲ୍ଲା ପରିବହନ ଅଧିକାରୀ ସଚିନ୍ଦ୍ର ନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଏମଭିଆଇ ଦୀପକ ସେଠୀ ଓ ବରିଷ୍ଠ ସହାୟକ ସୁଦୀପ୍ତ ସାହୁ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Comments (0)
Add Comment