ମଲେ ମୁଁ ସଜନୀ କରିବୁନି ଦୁଃଖ
ତୋ ଖୁସିରେ ଦିନ ବଞ୍ଚେ….
ମଲା ପରେ କିଏ ଜାଣୁଅଛି କିସ
ବନ୍ଧନ କାଟିନି ଇଞ୍ଚେ…!!
ଖାଇଛି ତୋ ହାତୁ କେତେ ରନ୍ଧା ଦ୍ରବ୍ୟ
ଅଲଣା ଲୁଣିଆ ସ୍ବାଦ….
କ୍ଷୀର ପିଠା ଖଟା ରାଗ ଯେ ତିଅଣ
କରିନି ମୁଁ ପ୍ରତିବାଦ…!!
ତୁ ଦେଇଛୁ କେତେ ହସର ପସରା
ଶୁଣାଇଛୁ ଗପ କେତେ….
ଶୁଣି ଶୁଣି ଗପ ନିଦ ମାଡି ଆସେ
ସବୁ ଭୁଲି ଯାଏ ସତେ…!!
ଯେତେ ତୁ ରାଗିଛୁ ମୁହଁ କୁ ଫୁଲାଇ
ମାନ ଅଭିମାନ କରି…
ସଂସାର ଭିତରେ ଗୋଟିଏ ଘରଣୀ
ତୋ ପାଖେ ଯାଏ ମୁଁ ହାରି….!!
ତୋ କଥା ରେ ସଦା ହଁ ହଁ ଭରେ
ନାହିଁ କଲେ ଦୁଃଖ ବଢେ….
ସକଳ କାମନା ପୂର୍ଣ୍ଣ କରିବାକୁ
ସିଂହ ସାଥେ ପଞ୍ଝା ଲଢେ….!!
ଦେବି ବୋଲି ସୁଖ ତୋତେ ଲୋ ସଜନୀ
ଦିନ ରାତି ଖଟି ମରେ….
ମୋ ଦୁଃଖ କାହିଁକି ବୁଝିବୁ ସଜନୀ
ଅଦୃଶ୍ୟେ ଲୋତକ ଝରେ….!!
ଏବେ ଆସି ମୋର ହେଲା ଅନ୍ତ କାଳ
ବିଦାୟ ବେଳର କୋହ….
ତୁ ଏକା କିପରି କାଳ ଯେ କାଟିବୁ
ଭାବି ସହୁ ନାହିଁ ଦେହ….!!
ତୋ ମନର କଥା ବୁଝିବାକୁ ଆଉ
ନଥିବି ସଂସାରେ ଜୀଇଁ….
ମଲା ପରା ଆଉ କାନ୍ଦିବୁ ନି କେବେ
ମୋ ରାଣ ତୋତେ ଲୋ ସହି….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭