ସଚେତନ ବାର୍ତ୍ତା ବାହକ ଭାବେ ଆକୃଷ୍ଟ କଲା ନାଟକ ‘କ୍ଷଣିକ ସୁଖ’ ।

ବ୍ରହ୍ମପୁର,୦୯/୦୧(ପିପିଟି) :ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ଆୟୋଜିତ ଅଷ୍ଟମ ରାଜ୍ୟସ୍ତରୀୟ ତଥା ଚତୁଃତ୍ରିଂଶତିତମ ଦକ୍ଷିଣ ଓଡ଼ିଶା ନାଟକ ସମାରୋହର ପୁରସ୍କାର ବିତରଣୀ ଉତ୍ସବ ସମ୍ମିଳନୀର ସଭାପତି କେ. ବଳରାମ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଅବସରପ୍ରାପ୍ତ ଆୟକର ବିଭାଗ ମୁଖ୍ୟ ଆଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ଶିକ୍ଷାବିତ୍ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ବରିଷ୍ଠ ଶିଶୁ ସାହିତ୍ୟିକ ତଥା ଅଭିନେତା ଡଃ. ବିଜୟ ଚନ୍ଦ୍ର ମହାରଣା, ପୂର୍ବତନ କର୍ପୋରେଟର ଜଗନ୍ନାଥ ସାବତ,ହୋଟେଲ ଶିଳ୍ପପତି ଅରକ୍ଷିତ ରାଉତ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗିତା ଓ ସମାରୋହ ମଞ୍ଚ ନାଟକକୁ ବଂଚେଇ ରଖିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ହେତୁ ଆୟୋଜକ ଅନୁଷ୍ଠାନ ସର୍ବାଦୌ ଧନ୍ୟବାଦାର୍ହ ବୋଲି ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ନାଟ୍ୟକାର ରମେଶ ମହାରଣଙ୍କୁ ଆନୁଷ୍ଠାନିକ ଭାବେ ଜନ୍ମଦିନ ଶୁଭେଚ୍ଛା ଜ୍ଞାପନ ସମେତ କିଛି ପ୍ରତିଭାଦୀପ୍ତ କଳାକାରଙ୍କୁ ଆନୁଷ୍ଠାନିକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସୁରଳ, ସୁହାନୀ କ୍ରିଏସନ୍ ପ୍ରଯୋଜିତ ପାରିବାରିକ ନାଟକ ‘କ୍ଷଣିକ ସୁଖ’ ସଫଳ ଅଭିନୟ ସହ ସାମାଜିକ ସଚେତନ ବାର୍ତ୍ତା ମାଧ୍ୟମରେ ଦର୍ଶକ ମହଲରେ ବିଶେଷ ଆଦୃତ୍ତି ଲାଭ କରିଥିବା ପରିଲକ୍ଷିତ।

ସମ୍ପ୍ରଦାୟଗତ ବିଦ୍ବେଷ ମନୋଭାବ ତ୍ୟାଗ ଭଳି କେତେକ ସଚେତନ ବାର୍ତ୍ତାର ବାର୍ତ୍ତାବହ ଉକ୍ତ ନାଟକଟିକୁ ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ ରଚନା କରିଥିଲେ। ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ନିର୍ଦ୍ଦେଶିତ ଏହି ନାଟକଟିରେ ସର୍ବଶ୍ରୀ ତିରୁପତି ସାହୁ, ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ, ସୁବାସ ଚନ୍ଦ୍ର ସାହୁ ରୋଶନ୍, ରମେଶ ରଣା, ଗଙ୍ଗାଧର ପାଣିଗ୍ରାହୀ, ନଳିନୀକାନ୍ତ ଗୌଡ଼, ଚାନ୍ଦମାମା ବେହେରା ଏବଂ ରଜନୀ ନାହାକ ଜୀବନ୍ତ ଅଭିନୟ କରିଥିଲେ। ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ ଏବଂ ମାଷ୍ଟର ସଞ୍ଜୟ ବିଷୋୟୀଙ୍କ ସୁମଧୁର ସଂଗୀତ ମୂର୍ଚ୍ଛନାରେ ନାଟକଟି ଗତିଶୀଳ ହେଉଥିବା ବେଳେ ପି. ଶଙ୍କର ଯନ୍ତ୍ର ସଙ୍ଗୀତରେ ସହଯୋଗ କରିଥିଲେ। ରୂପସଜ୍ଜାରେ ପ୍ରଫୁଲ୍ଲ ଚନ୍ଦ୍ର ନାୟକ ସହଯୋଗ କରିଥିବା ବେଳେ ଦୃଶ୍ୟ ସଜ୍ଜିକରଣରେ ସହଯୋଗ କରିଥିଲେ ସତ୍ୟ ମହାରଣା, ନଳିନୀକାନ୍ତ ଗୌଡ଼ ଏବଂ କାଶୀନାଥ ମହାରଣା। ନାଟକ ପରିଚାଳନାରେ ଦୀପକ କୁମାର ପ୍ରଧାନ, ପ୍ରଦୀପ କୁମାର ସାହୁ, ନୀଳକଣ୍ଠ ନାଲ୍ଲା, କୁରା ଗୌଡ଼, ଜଗନ୍ନାଥ ଚୌଧୁରୀ, ଶ୍ରୀଧର ଆଚାରୀ, ଅଭିମନ୍ୟୁ ଗୌଡ଼, ପ୍ରମୋଦ କୁମାର ସାମନ୍ତ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ କୃତି ପ୍ରତିଯୋଗୀ ଓ ଅନୁଷ୍ଠାନକୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Comments (0)
Add Comment