ଭଞ୍ଜନଗର, ୧୦/୧୧(ପିପିଟି):ଗଞ୍ଜାମ ଜିଲ୍ଲା ଦାୟିତ୍ଵରେ ଥିବା ରାଜ୍ୟ ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସଚିବ ତଥା କମିଶନର ଗିରିଶ ଏସ୍ ଏନ୍ ରବିବାର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ସୋରଡ଼ା ଓ ଜଗନ୍ନାଥପ୍ରସାଦ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକ୍ ଗାୟାଗଣ୍ଡା ଠାରେ ଚାଲିଥିବା ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ଏହା ହେଉଛି ୧୬୦୦ କୋଟି ଟଙ୍କାରେ ନିର୍ମାଣାଧୀନ ରାଜ୍ୟର ଅନ୍ୟତମ ମେଗା ଜଳ ପ୍ରକଳ୍ପ। ଏହି ପ୍ରକଳ୍ପ ନିର୍ମାଣ ହେଲେ ଗଞ୍ଜାମ ଜିଲ୍ଲାର ୧୨ଟି ବୃକ୍ ଓ ୬ଟି ସହରାଞ୍ଚଳର ପାନୀୟ ଜଳ ସମସ୍ୟା ଦୂର କରିବ। ଏଲ୍ଏଣ୍ଡଟି ସଂସ୍ଥା ଏହାର ନିର୍ମାଣ ଦାୟିତ୍ଵ ହାତକୁ ନେଇଛି। ଏତେ ବଡ଼ ଯୋଜନା ଦୃଷ୍ଟିରୁ ପୂର୍ବରୁ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଧାନସଭା ଷ୍ଟାଣ୍ଡିଂ କମିଟି ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ। ରବିବାର ବିଭାଗୀୟ ସଚିବ ପ୍ରକଳ୍ପସ୍ଥଳକୁ ଯାଇ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମକୁ ତ୍ବରାନ୍ବିତ କରିବା ସହ ଏହା ମାଧ୍ୟମରେ ଲୋକେ ଯେମିତି ଉପକୃତ ହୋଇପାରିବେ ଏହାକୁ ପ୍ରାଥମିକତା ଦେବା ଲାଗି ସଚିବ ପରାମର୍ଶ ଦେଇଥିଲେ।
ବିଭାଗୀୟ ସଚିବଙ୍କ ଗସ୍ତ ବେଳେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତି ଭାସନ୍, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ବିଡିଓ ଭାରତୀ ଦେବୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ମୁନା କାଲୁଣ୍ଡିଆ,ବିଡ଼ିଓ ଭାରତୀ ଦେବି, ଏବିଡିଓ ପୂର୍ଣଚନ୍ଦ୍ର ପାଢ଼ୀ, ବୃକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର ଉପସ୍ଥିତ ଥିଲେ। ପୂର୍ବରୁ ସଚିବ ସୋରଡା ବ୍ଲକ୍ ଗସ୍ତ କରି ନୂଆଗଡ଼ ପଞ୍ଚାୟତ ବ୍ରାହ୍ମଣଦେଇ ଗ୍ରାମରେ ୪ ଜଣ ଓ ସୁରମଣି ଠାରେ ୪ ଜଣ ଅଦ୍ୟୋଦୟ ଗୃହ ଯୋଜନା ହିତାଧିକାରୀଙ୍କ ନୂତନ ଗୃହ ପ୍ରବେଶ ସମାରୋହରେ ଯୋଗଦେଇଥିଲେ। ପରେ କରଡ଼ାବାଡ଼ି ଠାରେ ସ୍ମାର୍ଟ ପାର୍କରେ ଚାରାରୋପଣ ସହ ସୋରଡ଼ା ଏନ୍ଏସିର ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ବିଡିଓ ତନ୍ମୟ ପାତ୍ର, ନିର୍ବାହୀ ଅଧୁକାରୀ ଉମେଶ କୁମାର ସାହୁ ଉପସ୍ଥିତ ଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)