ସଚିନ ପାଇଲଟ ଉପ ମୁଖ୍ଯମନ୍ତ୍ରୀ ଓ ପିସିସି ସଭାପତିରୁ ବିଦା ହେଲେ ।

ନୂଆଦିଲ୍ଲୀ,୧୪/୦୭: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଗଲା ସଚିନ ପାଇଲଟଙ୍କୁ ଏବଂ ତାଙ୍କର ଦୁଇ ସମର୍ଥକ କ୍ଯାବିନେଟ ମନ୍ତ୍ରୀ ବିଶ୍ବେନ୍ଦ୍ର ସିଂ ଓ ରମେଶ ମୀନାଙ୍କୁ ମଧ୍ୟ ସେମାନଙ୍କ ପଦରୁ ହଟାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ତୁତୁମେମେ ଚରମ ସୀମାରେ ପହଞ୍ଚିଥିବା ବେଳେ ଶେଷରେ ପାଇଲଟଙ୍କୁ ତାଙ୍କ ପଦ ହରାଇବାକୁ ପଡିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟି ସଚିନ ପାଇଲଟ ଓ ତାଙ୍କ ସହ ଦୁଇ ମନ୍ତ୍ରୀଙ୍କୁ ହଟାଇ ଦିଆଯାଇଥିବା ପ୍ରସ୍ତାବ ଦେଇଥିବା ବେଳେ ରାଜ୍ୟପାଳ ଏହାକୁ ଗ୍ରହଣ କରି ନେଇଥିଲେ। ରାଜସ୍ଥାନ କଂଗ୍ରେସରେ ଚାଲିଥିବା ଦଳୀୟ ସଙ୍କଟର ସମାଧାନ କରିବାକୁ ଯାଇଥିବା ସ୍ବତନ୍ତ୍ର ପର୍ଯ୍ଯବେକ୍ଷକ ଭାବେ ଦିଲ୍ଲୀରୁ କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ମଙ୍ଗଳବାର ଦିନ ଘୋଷଣା କରିଛନ୍ତି ଯେ ସଚିନ ପାଇଲଟଙ୍କୁ ଉପ ମୁଖ୍ଯମନ୍ତ୍ରୀ ଓ ପିସିସି ସଭାପତିରୁ ହଟାଇ ଦିଆଯାଇଛି । ନୂତନ ପିସିସି ସଭାପତି ଭାବରେ ଗୋବିନ୍ଦ ସିଂ ଦୋତାସରାଙ୍କୁ ନିଯୁକ୍ତି ଦିଆଯାଇଛି । ଏହାପରେ ସଚିନ ପାଇଲଟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ବଦଳାଇବା ସହ କହିଛନ୍ତି ସତ୍ୟକୁ କେବେ ପରାଜୟ ଦେଖିବାକୁ ପଡି ନ ଥାଏ। ବିଜେପି ନେତା ଓମ୍ ମାଥୁର କହିଛନ୍ତି ପାଇଲଟଙ୍କ ପାଇଁ ବିଜେପି ଦ୍ବାରା ଖୋଲା । ସେ କହିଛନ୍ତି କେହି ବି ନେତା ବିଜେପି ବିଚାରଧାରାରେ ସାମିଲ ହେଲେ ଆମେ ତାଙ୍କୁ ସ୍ବାଗତ କରିଥାଉ ।

Comments (0)
Add Comment