ସଙ୍ଘବଦ୍ଧ ଆକ୍ରମଣ ଘଟଣାରେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ସମେତ ୫ ଗିରଫ ।

ଭଞ୍ଜନଗର, ୧୨/୦୬(ପିପିଟି): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡ଼ା ଗ୍ରାମରେ ଏକ ସଙ୍ଘବଦ୍ଧ ଆକ୍ରମଣ ଓ ଗଣ୍ଡଗୋଳ ଘଟଣା ସାମ୍ନାକୁ ଆସିଛି।ଗଞ୍ଜାମ ଜିଲ୍ଲାକୁ ଅପରାଧ ମୁକ୍ତ କରିବା ପାଇଁ ଏସପି ହରିଶ ବିସିଙ୍କ ନିର୍ଦ୍ଦେଶ କ୍ରମେ ତତ୍ପରତା ପ୍ରକାଶ କରି ଭଞ୍ଜନଗର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରିଛି।​ଗତ ୯ ଜୁନ୍ ୨୦୨୬ ମଧ୍ୟାହ୍ନ ୧୨ଟା ସମୟରେ ଭଞ୍ଜନଗର ବ୍ଲକ ବାରୁଡ଼ା ଚିକେନ୍ ସେଣ୍ଟର ନିକଟରେ ପୂର୍ବ ଶତ୍ରୁତାକୁ ନେଇ କିଛି ସଶସ୍ତ୍ର ଯୁବକ ସଙ୍ଘବଦ୍ଧ ଭାବେ ସୁଶାନ୍ତ କୁମାର ସାହୁଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଆକ୍ରମଣ ସମୟରେ ଜଣେ ଅଭିଯୁକ୍ତ ସୁଶାନ୍ତଙ୍କ ଡାହାଣ ହାତ ବୁଢ଼ା ଆଙ୍ଗୁଠିକୁ କାମୁଡ଼ି ରକ୍ତାକ୍ତ କରିଦେଇଥିଲା।ଏହାପରେ ଅଭିଯୁକ୍ତମାନେ ବେଆଇନ ଭାବେ ସୁଶାନ୍ତଙ୍କ ଘରେ ପଶି କବାଟକୁ ଗୋଇଠା ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପରବର୍ତ୍ତୀ ସମୟରେ ଗ୍ରାମରେ ଚାଲିଥିବା ଏକ ଭୋଜିରେ ସୁଶାନ୍ତଙ୍କ ଭାଉଜ ସାବିତ୍ରୀ ସାହୁଙ୍କୁ ସର୍ବସାଧାରଣରେ ଗାଳିଗୁଲଜ କରିବା ସହ ତାଙ୍କୁ ଓ ତାଙ୍କ ନାବାଳିକା ଭାଣିଜୀଙ୍କୁ ଅପହରଣ କରିବାକୁ ଧମକ ଦେଇଥିଲେ। ଏ ସମ୍ପର୍କରେ ସାବିତ୍ରୀ ସାହୁ ଭଞ୍ଜନଗର ଥାନାରେ ଏକ ଲିଖିତ ଅଭିଯୋଗ କେସ୍ ନଂ- ୫୭୧/୨୦୨୬ କରିଥିଲେ।
​ଗିରଫ ଅଭିଯୁକ୍ତମାନେ ହେଲେ ବିଡ଼ପୁର ଗ୍ରାମର ଶତ୍ରୁଘ୍ନ ସ୍ଵାଇଁ ଓରଫ୍ ବାପି ଏବଂ ଅନିଲ ନାୟକ,ସୋରିଷମୂଳିର
ରାଜେନ୍ଦ୍ର ନାୟକ ଓରଫ୍ ସୁବୁ,ବାରୁଡାର ଲିଟୁ ସାମନ୍ତରାୟ ଓରଫ୍ ସାଗର,ସାଉଥ୍ ବାଲାଣ୍ଡା, ଅନୁଗୁଳର ରିତେଶ ସିଂହ।​ତଦନ୍ତ ସମୟରେ ପୋଲିସ ​ଶତ୍ରୁଘ୍ନ ସ୍ଵାଇଁ (ବାପି) ନିକଟରୁ ଗୋଟିଏ 9ଏମ ଏମ ପିସ୍ତଲ ଏବଂ ​ରାଜେନ୍ଦ୍ର ନାୟକ (ସୁବୁ) ନିକଟରୁ ଗୋଟିଏ ସିଙ୍ଗଲ୍ ସଟ୍ ଦେଶୀ ବନ୍ଧୁକ ଜବତ କରିଛି।
​ଭଞ୍ଜନଗର ଥାନା ଏସ.ଆଇ. ଲଷ୍ମୀଧର ମହାନ୍ତିଙ୍କ ନେତୃତ୍ୱରେ ପୋଲିସ ଭାରତୀୟ ନ୍ୟାୟ ସଂହିତା ଏବଂ ଆର୍ମସ ଆକ୍ଟର ବିଭିନ୍ନ ସଙ୍ଗିନ ଦଫାରେ ମାମଲା ରୁଜୁ କରି ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼ ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଆଇଆଇସି ଜୀବନାନନ୍ଦ ଜେନା, ଏସ ଆଇ ସମୀର କୁମାର ସେଠୀ, ଲଷ୍ମୀଧର ମହାନ୍ତି, ଜ୍ୟୋସ୍ନା ରାଣୀ ସାହୁ ଓ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ -ଜେ କେ ପଟ୍ଟନାୟକ

Comments (0)
Add Comment