ସଙ୍ଗରୋଧ ଗୃହରେ ବିଭିନ୍ନ ମହା ପୁରୁଷଙ୍କ ଛବିଆଙ୍କି ଅନ୍ୟ ମାନଙ୍କୁ ନୁଆଁ ବାର୍ତ୍ତା ଦେଲେ ପ୍ରବାସୀ ।

ବେଲଗୁଣ୍ଠI,(ପିପିଟି ନ୍ଯୁଜ୍),  ୨୧/୦୫, ଗଞ୍ଜାମ ଜିଲ୍ଲାରେ ସଙ୍ଗରୋଧ ଗୃହରେ ଥିବା ପ୍ରବାସୀମାନେ କେଉଁଠି ଭାତ ଫୋପାଡ଼ି ହରତାଳ କରୁଛନ୍ତି ତ ଆଉ କେଉଁଠି ବାଡ ଡେଇଁ ଚାଲିଯାଉଛନ୍ତି । ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଭିନ୍ନ ଭିନ୍ନ ପ୍ରକାରର କୁଢ଼ କୁଢ଼ ଅଭିଯୋଗ ଆଣୁଛନ୍ତି । କିନ୍ତୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠI ବ୍ଲକ୍ ଧୂମୂଛାଇ ପଞ୍ଚାୟତର କେବୀରୀ ବ୍ରହ୍ମପୁର ପିୟୁପିଏସ୍ ବିଦ୍ୟାଳୟରେ ଥିବା ପ୍ରବାସୀମାନେ ବିଭିନ୍ନ ମହା ପୁରୁଷଙ୍କ ଚିତ୍ର ଆଙ୍କି ଓ ବିଦ୍ୟାଳୟର ପରିବେଶକୁ ନିଜେ ପାଳି କରି ସଫା କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଏହି ବିଦ୍ୟାଳୟରେ ଗତ ୧୩ ତାରିଖରେ ତାମିଲନାଡୁ କୋଏମ୍ବାଟୁରରୁ ୫୧ ଜଣ ଓ ହାଇଦ୍ରାବାଦରୁ ୯ ଜଣ ସମୁଦାୟ ୬୦ ଜଣ ରହି ଆସୁଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଓ ୨ ଛୋଟ ଛୁଆ ରହିଛନ୍ତି I ସଙ୍ଗରୋଧ ଗୃହରେ ଥିବା  କ୍ଷତ୍ରିୟବରପୁରର ପୂର୍ଣ୍ଣ ଚନ୍ଦ୍ର ଡ଼ାକୁଆ (୨୬), ଓ କ୍ଷତ୍ରିୟବରପୁର ପଞ୍ଚାୟତ ପାଲକଷଣ୍ଢା ଗ୍ରାମର ସନ୍ତୋଷ କୁମାର ଜେନା (୨୬) ଦୁହେଁ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବ୍ରତ ପାତ୍ରଙ୍କୁ ରଙ୍ଗ ତୂଳି ଆଣିଲେ ଆମେ ବିଭିନ୍ନ ଚିତ୍ର କରିବୁ ବୋଲି କହିଥିଲେ I ପ୍ରଧାନ ଶିକ୍ଷକ ଶ୍ରୀ ପାତ୍ର ୧୬ ତାରିଖ ଦିନ ଏକ ହଜାର ଟଙ୍କାର ରଙ୍ଗ ଓ ତୂଳି ଆଣି ଦୁଇ ଯୁବକଙ୍କୁ ଦେଇଥିଲେ । ଦୁଇ ଯୁବକଙ୍କୁ ସମୟ ମିଳିବା ମାତ୍ରେ ବିଭିନ୍ନ ମହା ପୁରୁଷଙ୍କ ଅବିକଳ ଚିତ୍ର ସ୍କୁଲ୍ କାନ୍ଥରେ ଆଙ୍କିବା ଆରମ୍ଭ କରିଥିଲେ । ତିନିଦିନ ମଧ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀ,  ଶହୀଦ ଭଗତ ସିଂ, ଭାରତ ମାତା ଓ ବିଭିନ୍ନ ତୀର୍ଥ ସ୍ଥାନର ଚିତ୍ର ଅବିକଳ ଭାବେ ଆଙ୍କି ଚର୍ଚ୍ଚାକୁ ଆସିଲେ I ଧୂମୂଛାଇ ସରପଞ୍ଚ ମନୋଜ କୁମାର ପ୍ରଧାନ ଓ ପ୍ରଧାନ ଶିକ୍ଷକ ଶ୍ରୀ ପାତ୍ର ଦୁହେଁ ଏହି ବିଦ୍ୟାଳୟରେ ଥିବା ସମସ୍ତ ପ୍ରବାସୀଙ୍କୁ ପ୍ରଶଂସା କରିଛନ୍ତି । ସାତ ଦିନ ମଧ୍ୟରେ କୌଣସି କ୍ଷେତ୍ରରେ ଏମାନେ ଅଭିଯୋଗ କରି ନାହାଁନ୍ତି । ସକାଳ ୫ ଟାରୁ ଉଠି ଯୋଗ କରୁଛନ୍ତି । ୭ ଟାରେ ଚା ଜଳଖିଆ ଖାଇ ଦୁଇ ଯୁବକ ଚିତ୍ର କରୁଛନ୍ତି ଏବଂ ଅନ୍ୟ ପ୍ରବାସୀ ସେମାନଙ୍କୁ ସହଯୋଗ କରୁଛନ୍ତି । ଅନ୍ୟ ପ୍ରବାସୀ ମାନେ  ବିଦ୍ୟାଳୟ ପରିସର ପରିଷ୍କାର କରୁଛନ୍ତି । ୧୨ ଟାରେ ମଧ୍ୟାହ୍ନଭୋଜନ,  ସନ୍ଧ୍ୟା ୫ ଟାରେ ଚା ବିସ୍କୁଟ ଖାଇବା ପରେ ପ୍ରତି ଦିନ ଭଜନ ସଂଧ୍ୟା ଚାଲୁଛି । ରାତ୍ର ୮ଟା  ପରେ ଖାଇ ସାରି ସମସ୍ତେ ବିଶ୍ରାମ ନେଉଛନ୍ତି । ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଓ ବିଡିଓ  ଶଶୀ ଭୁଷଣ ମହାପାତ୍ର ଉଭୟ ଯୁବକଙ୍କୁ ପ୍ରଶଂସା କରିଛନ୍ତି । ଦୁଇ ଯୁବକ ଅନ୍ୟ ମାନଙ୍କ ପାଇଁ  ଉଦାହରଣ ପାଲଟିଛନ୍ତି । 
ରିପୋର୍ଟ – ଶିବରାମ ଚୌଧୁରୀ ।
Comments (0)
Add Comment