ସଂପୁର ଗ୍ରାମରେ ପାଳିତ ହେଲା ନୂଆଖାଇ ମହୋତ୍ସବ-୨୦୨୬, ଜୀବନ୍ତ ହେଲା ସାଂସ୍କୃତିକ ମଞ୍ଚ।

ବୋଲଗଡ଼, ୧୫/୯ (ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂପୁର ଗ୍ରାମରେ ସନ୍ଧ୍ୟାରେ ବଡ଼ ଧୁମଧାମରେ ନୂଆଖାଇ ମହୋତ୍ସବ-୨୦୨୬ ପାଳିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ଅବସରରେ ସ୍ଥାନୀୟ ଯୁବକ ସଂଘ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ବର୍ଣାଢ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ନୂଆ ଧାନକୁ ପ୍ରଥମେ ଇଷ୍ଟଦେବତାଙ୍କୁ ଅର୍ପଣ କରି ପରେ ଗ୍ରହଣ କରିବାର ଏହି ପରମ୍ପରା କୃଷି ଓ କୃଷକ ସହ ଆମ ସଂସ୍କୃତିକୁ ଯୋଡ଼ିଥାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘ ସଭାପତି ଲୋତକ ବିନ୍ଦୁ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା ଭାଇଚାରା ଓ କୃତଜ୍ଞତାର ପର୍ବ। ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ସଭ୍ୟ ପ୍ରକାଶ କୁମାର ସାହୁ ଯୋଗଦେଇ ଅଞ୍ଚଳର କଳା ସଂସ୍କୃତିକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ତଥା ଶିକ୍ଷାବିତ୍ ପ୍ରମୋଦ କୁମାର ସ୍ୱାଇଁ, କଟକ ରେବା ପ୍ରତିଷ୍ଠାନ ମୁଖ୍ୟ ପ୍ରଫୁଲ୍ଲ କୁମାର ପାତ୍ର, ପୂର୍ବତନ ସରପଞ୍ଚ ସୁବାସ ଚନ୍ଦ୍ର ସ୍ୱାଇଁ, ଯୁବ କଳାକାର ମୁନା ପଣ୍ଡା, ହେମନ୍ତ ଦେଓ, ହରପ୍ରସାଦ ମହାନ୍ତି ଓ ଏମ୍. ଆଲୋକ କୁମାର ପ୍ରମୁଖ ମଞ୍ଚାସୀନ ଥିଲେ। ପରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ ନୃତ୍ୟ-ଗୀତ ପରିବେଷିତ ହୋଇଥିଲା, ଯାହା ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ କରିଥିଲା।

କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଯୁବ ସଂଗଠକ ଶାନ୍ତନୁ ଛୋଟରାୟ ଓ ଶିକ୍ଷକ ଅରୁଣ କୁମାର ସାହୁ ଏବଂ ସଭାପତିତ୍ୱ କରିଥିଲେ ମହୋତ୍ସବ କମିଟିର ସଭାପତି ବରିଷ୍ଠ ସାମ୍ବାଦିକ ନିରଞ୍ଜନ ନାୟକ (ଅନିଲ)। ଶେଷରେ ଆୟୋଜକ କମିଟି ପକ୍ଷରୁ ସମସ୍ତ ଅତିଥି ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment