ସଂକ୍ରାମକ ରୋଗ ସଂଶୋଧନ ବିଲ୍ ୨୦୨୦ ପାରିତ : ଆଇନ ନ ମାନିଲେ ୨ ବର୍ଷ ଜେଲ୍,ଏକଲକ୍ଷ ଟଙ୍କା ଜୋରିମାନା ।

ଭୁବନେଶ୍ବର,୦୧/୧୦ : କରୋନା ମହାମାରୀ ସଂକ୍ରମଣ ପରିସ୍ଥିତି ଜଟିଳ ପରିସ୍ଥିତି ସୃଷ୍ଟି କରିଛି । ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଆଇନକୁ ଅଧିକ କଠୋର କରିଛନ୍ତି । ରୋଗ ସଂକ୍ରାମକ ଅଧିନିୟମ ୧୮୯୭ରେ ଥିବା ଦଣ୍ଡ ବିଧାନ ବ୍ଯବସ୍ଥାକୁ ଅଧିକ କଡାକଡି କରାଯାଇଛି । ଏଣିକି ଯଦି କେହି ଏହି ଆଇନକୁ ଉଲ୍ଲଂଘନ କରେ ତାକୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ ନଚେତ୍ ୨ବର୍ଷ ପର୍ଯ୍ୟନ୍ତ ଜେଲ୍ ଯିବାକୁ ହେବ । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୩୦ ତାରିଖରେ ଗୃହରେ ସଂକ୍ରାମକ ରୋଗ ସଂଶୋଧନ ବିଲ୍ ୨୦୨୦ ଅଣାଯାଇଥିଲା । ଏହାକୁ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରବଳ ବିରୋଧ କରାଯିବା ସତ୍ତ୍ବେ ବିଲ୍ ପାରିତ ହୋଇଯାଇଛି । ବିରୋଧୀ ବିଜେପି ଓ କଂଗ୍ରେସ ଏହାକୁ କଳା ବିଲ୍ ବୋଲି ଅଭିହିତ କରିବା ସହିତ ବିରୋଧୀଙ୍କୁ ଜେଲରେ ପୂରାଇବା ପାଇଁ ସରକାର ଫନ୍ଦି ତିଆରି କରିଛନ୍ତି ବୋଲି କହିଥିଲେ । ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଥିଲେ ଯେ ଏହି ବିଲ୍ କେବଳ ମାନବ ସମାଜ କଲ୍ଯାଣ ପାଇଁ ଉଦ୍ଦିଷ୍ଟ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଏହା ବିଲ୍ ନୁହେଁ, ଏକ କୀଳା । ଏହି ସଂଶୋଧନ ବିଲ୍ ଦ୍ବାରା ଅମାନିଆ ମାନଙ୍କ ପାଇଁ ସତର୍କ ଘଣ୍ଟି । କୋଭିଡ୍ ଆଇନକୁ ଉଲ୍ଲଂଘନ କରି ମାସ୍କ ନ ପନ୍ଧିବା, ସାମାଜିକ ଦୂରତ୍ବକୁ ନ ମାନିବା ଭଳି ଘଟଣା ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ପୁରୁଣା ମହାମାରୀ ଆଇନରେ ଜୋରିମାନା ବ୍ୟବସ୍ଥା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଥିଲା,ସେଥିରେ ପରିବର୍ତ୍ତନ କରି ଅମାନିଆଙ୍କ ପାଇଁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା କରାଯାଇଛି ।

Comments (0)
Add Comment