ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପାଞ୍ଚ କୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଶୁଭଖୁଣ୍ଟି ସ୍ଥାପନ।

ପୋଲସରା,୦୯/୧୧ (ପିପିଟି) :ଗତ ୨୦୨୪ ବର୍ଷ ଠାରୁ ଆରମ୍ଭ ହୋଇଥିବା ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପାଞ୍ଚ କୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ ଧାର୍ମିକ ଉତ୍ସବ କାର୍ଯ୍ୟକ୍ରମ ସକାଶେ ଆଜି ରବିବାର ପଞ୍ଚମୀ ତିଥି ଦିବସରେ ସ୍ଥାନୀୟ କଲେଜ ଛକ ପଡିଆ ପୋଲସରା ଠାରେ ବିଧିବିଧାନ ନିତିକାନ୍ତି ପ୍ରକାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି ଜଗନ୍ନାଥ ଚେତନା ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମଟି ଆସନ୍ତା ୨ ତାରିଖ ଗୁରୁବାର ସପ୍ତମୀ ତିଥି ଦିବସ ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ଆସନ୍ତା ଡ଼ିସେମ୍ବର ମାସ ୨ ତାରିଖ ମଙ୍ଗଳବାର ଦ୍ଵାଦଶୀ ତିଥିରେ ସମାପ୍ତ ହେବ। ଏହି ପାଞ୍ଚ ଦିବସ ଗୁଡିକରେ ଧାରାବାହିକ ପ୍ରବକ୍ତା ଭାବେ ରାଷ୍ଟ୍ରୀୟ ଜଗନ୍ନାଥ ମହିମା ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମହାରାଜ ଏବଂ ଅନେକ ସାଧୁସନ୍ଥଙ୍କ ସମେତ ବ୍ରାହ୍ମଣ ବୈଷ୍ଣବ ମାନଙ୍କ ସମାବେଶ ହେବ।ଏଥିସହ ବିଶେଷ ଆକର୍ଷଣ ସ୍ୱରୂପ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ଚବିଶ ବେଶ ଦେଖିବାକୁ ମିଳିବ। ଏଣୁ ଏହି ମହାପୁଣ୍ୟ ମହୋତ୍ସବରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ଶ୍ରୀଜଗନ୍ନାଥ ଜ୍ଞାନ ରସାମୃତ ପାନ କରିବାକୁ ଆୟୋଜକ ଶ୍ରୀ ଜଗନ୍ନାଥ ଚେତନା ଜାଗରଣ ସଂଘ ପୋଲସରା ମୁଖ୍ୟ ସଙ୍ଗଠକ ତଥା ବ୍ୟାସାସନ ପଣ୍ତିତ ସୁବ୍ରତ କୁମାର ତ୍ରିପାଠୀ ନିବେଦନ କରିଛନ୍ତି। ଏହି ଅବସରରେ କମିଟିର ସମସ୍ତ ପଦପଦବୀ ପ୍ରାପ୍ତ କର୍ମକର୍ତ୍ତା ଏଵଂ ସଭ୍ୟସଭ୍ୟା ବୃନ୍ଦ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସ୍ଥାନୀୟ ବ୍ରାହ୍ମଣସାହି ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଶ୍ରୀଶ୍ରୀ ଦଧିବାମନ ସ୍ଵାମୀଙ୍କ ଠାରୁ ଆଜ୍ଞାମାଳ ଅଣାଯାଇ କାର୍ଯ୍ୟ ସମ୍ପାଦନ କରାଯାଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment