ଶ୍ରୀ ଚନ୍ଦନ ସାହିତ୍ୟ ଓ ସାଂସ୍କୃତିକ ଏକୀଡେମୀ ତରଫରୁ ବେଲଗୁଣ୍ଠା ଏବଂ ଭଞ୍ଜନଗରର ଶିକ୍ଷକଙ୍କୁ ରାଜ୍ୟସ୍ତରୀୟ ସମ୍ମାନ ।

ବେଲଗୁଣ୍ଠା,୨୧/୦୩(ପିପିଟି): ଶ୍ରୀ ଚନ୍ଦନ ସାହିତ୍ୟ ଓ ସାଂସ୍କୃତିକ ଏକୀଡେମୀ କଟକ ଆନୁକୂଲ୍ୟରେ ଆୟୋଜିତ ୪୫ ତମ ରାଜ୍ୟ ସ୍ତରୀୟ କବି,କଳାକାର,ସାହିତ୍ୟିକ ସମ୍ମିଳନୀ ଓ ସାରସ୍ବତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏବଂ ଭଞ୍ଜନଗର ବ୍ଳକର ଯୁବ ଶିକ୍ଷକ ତଥା ସାହିତ୍ୟିକମାନେ ସମ୍ବର୍ଦ୍ଧିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବେଲଗୁଣ୍ଠା ବ୍ଳକ୍ କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ବାଇଁ, ତୁରୁମୁର ସୁଦାମ ଦଳବରା, ଟୋକାଗଣ୍ଡାର କାଳୀ ଚରଣ ନାୟକଙ୍କୁ ରାଜ୍ୟ ସ୍ତରୀୟ ଶିକ୍ଷା ଜ୍ୟୋତି ସମ୍ମାନ ୨୦୨୨ ରେ ସମ୍ମାନିତ ଯାଇଥିବା ବେଳେ ବଡକୋଦଣ୍ଡାର ତ୍ରିନାଥ ବେହେରାଙ୍କୁ ରାଜ୍ୟସ୍ତରୀୟ ବାଣୀ ପୁତ୍ର ସମ୍ମାନ ୨୦୨୨ ରେ ସମ୍ମାନିତ କରାଯାଇଛି । ଏହା ସହ ଅଞ୍ଚଳର ଶିକ୍ଷୟିତ୍ରୀ ରେଣୁପ୍ରଭା ଦାସ୍ ଏବଂ ରଞ୍ଜିତା ପତିଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି । ଏହି ଅବସରରେ କଟକ ସ୍ଥିତ କର୍ମବୀର ଗୌରୀ ଶଙ୍କର ରାୟ ଟାଉନ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସାହିତ୍ୟିକ ତଥା ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ବିଶିଷ୍ଟ କବି ତଥା ପ୍ରାକ୍ତନ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ଡକ୍ଟର ହୁସେନ ରବି ଗାନ୍ଧୀଙ୍କ ସମେତ ନୀଳଗିରିର ରାଜା ସାହେବ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ,ରାଣୀ ମନୋଜା ମଞ୍ଜରୀ ଦେବୀ ,ମୁଖ୍ୟ ସଂପାଦକ ଡକ୍ଟର ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର, ସଭାପତି ଡକ୍ଟର ପ୍ରମୋଦ କୁମାର ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ଉପସ୍ଥିତ ସାହିତ୍ୟିକ ମାନଙ୍କୁ ଉଦବୋଧନ ଦେବା ସହ ଅନୁଷ୍ଠାନର ମୁଖପତ୍ର ମନସ୍ବିନୀ ପତ୍ରିକାକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଭଞ୍ଜନଗରର କବୟିତ୍ରୀ ରେଣୁପ୍ରଭା ଦାଶ ଙ୍କ ଚତୁର୍ଥ ସଂକଳନ “ମଜା ମଜା ଗପ ” ଅତିଥିଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ପ୍ରଥମ ଅଧିବେଶନରେ କବିତା ପାଠ ହେବା ସହ ଦ୍ବିତୀୟ ଅଧିବେଶନରେ ଏହି ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment