ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ରାଧାଦାମୋଦର ବେଶ ।

ପୁରୀ,୨୨/୧୦(ପିପିଟି): ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ମହାକାର୍ତ୍ତିକ ନୀତି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରାଧାଦାମୋଦର ବେଶ ସହ ବାଳଭୋଗ ନୀତି ଅନୁଷ୍ଠିତ ହେବ। ଏହି ପବିତ୍ର ବେଶରେ ମହାପ୍ରଭୁ ଦୀର୍ଘ ଏକ ମାସ ଧରି ଭକ୍ତଙ୍କୁ ଦର୍ଶନ ଦେବେ।
ଏହି ବେଶରେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ତ୍ରିକଚ୍ଛ ପରିଧାନ କରାଯିବା ସହ ଶ୍ରୀଭୁଜରେ ସୁବର୍ଣ୍ଣ ନଳୀ ଲାଗି କରାଯାଏ। ବାଉଁଶପାତିଆ ଓ କନାରେ ପ୍ରସ୍ତୁତ ଚୂଳ ଏବଂ ଚନ୍ଦ୍ରିକା ତ୍ରିମୁଣ୍ଡିରେ ଶୋଭା ପାଏ। ମସ୍ତକରେ ତଡ଼ଗୀ, ଚନ୍ଦ୍ର, ସୂର୍ଯ୍ୟ ଓ ଚିତା, କର୍ଣ୍ଣରେ କୁଣ୍ଡଳ ଏବଂ କଟିରେ ଓଡ଼ିଆଣୀ ଧାରଣ କରି ମହାପ୍ରଭୁ ଅପୂର୍ବ ରୂପରେ ସଜ୍ଜିତ ହୁଅନ୍ତି। ବାରଲାଗି ପାଟ, ବିଭିନ୍ନ ପୁଷ୍ପ ଅଳଙ୍କାର, ଶିରି କପଡ଼ା ଓ କଳା ଉତ୍ତରୀୟ ବସ୍ତ୍ରରେ ଶ୍ରୀଜୀଉଙ୍କ ଶୋଭା ଆହୁରି ବୃଦ୍ଧି ପାଏ।

ପରମ୍ପରା ଅନୁଯାୟୀ, ଏହି ବେଶରେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ସମ୍ପନ୍ନ ହେବା ପରେ ସ୍ୱତନ୍ତ୍ର ବନ୍ଦାପନା କରାଯାଏ। ଏହି ନୀତି କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶମୀ ପର୍ଯ୍ୟନ୍ତ ଚାଲିବ। ଏଥିସହ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଧାରିତ ନୀତି ଅନୁସାରେ ଆଜିଠାରୁ ପ୍ରତିଦିନ ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟା ନୀତି ସମ୍ପନ୍ନ କରାଯିବ। କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଏହି ଦିବ୍ୟ ବେଶ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଆଧ୍ୟାତ୍ମିକ ଉତ୍ସାହ ଦେଖିବାକୁ ମିଳିବ।

Comments (0)
Add Comment