ଶ୍ରୀଜଗନ୍ନାଥଙ୍କ ନାମରେ ସ୍ୱତନ୍ତ୍ର ଚ୍ୟାନେଲ ଗଠନ ନେଇ ଆଲୋଚନା ।

ଭୁବନେଶ୍ୱର,୦୭/୦୫(ପିପିଟି):ସବୁ ଓଡ଼ିଆଙ୍କ ଆରାଧ୍ୟ ଦେବତା ତଥା ବିଶ୍ୱବାସୀଙ୍କ ହୃଦୟରେ ବିରାଜମାନ କରୁଥିବା ଜଗତର ନାଥ ଜଗନ୍ନାଥଙ୍କ ନାମରେ ଏକ ସ୍ୱତନ୍ତ୍ର ଟିଭି ଚ୍ୟାନେଲ କରିବା ନେଇ ଏକ ଆଲୋଚନା ବୈଠକ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ପ୍ରସ୍ତାବିତ ନୂତନ ଚ୍ୟାନେଲର ରୂପରେଖ, ଦୈନିକ କାର୍ଯ୍ୟକ୍ରମ, ଜଗନ୍ନାଥ ସଂସ୍କୃତିର ପରିବ୍ୟାପ୍ତି, ଭକ୍ତଙ୍କ ମନରେ ଜଗନ୍ନାଥଙ୍କୁ ନେଇ ଥିବା ଭାବନାର ପରିପ୍ରକାଶ ନେଇ ଆସିଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ।

ଚ୍ୟାନେଲ ପ୍ରତିଷ୍ଠା ନେଇ ପ୍ରାଥମିକ ପର୍ଯ୍ୟାୟରେ ଥିବା ଏହି ଆଲୋଚନା ବେଶ୍‌ ସକାରାତ୍ମକ ବୋଲି ମନ୍ତ୍ରୀ ହରିଚନ୍ଦନ ମତବ୍ୟକ୍ତ କରିବା ସହ ଜଗନ୍ନାଥ ସଂସ୍କୃତିକୁ ନେଇ ସାରା ବିଶ୍ୱବାସୀଙ୍କୁ ଅବଗତ କରାଇବା ଏବଂ ଜଗନ୍ନାଥ ସଂସ୍କୃତି ଉପରେ ଅଧିକ ଗବେଷଣା ଓ ଆଲୋଚନା ସହ ଜଗନ୍ନାଥଙ୍କ ମହିମା ଓ ଭାବାବେଗ ନେଇ ଭକ୍ତଙ୍କ ଅନୁଭୂତିକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ନେଇ ଆସିଥିବା ପ୍ରସ୍ତାବ ଉପରେ ରାଜ୍ୟ ସରକାର ଅତି ସକାରାତ୍ମକ ଭାବେ ଚିନ୍ତା କରୁଛନ୍ତି । ପରବର୍ତ୍ତୀ ସମୟରେ ଏହା ଉପରେ ଅଧିକ ଆଲୋଚନା କରାଯିବା ସହ ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ହରିଚନ୍ଦନ କହିଥିଲେ ।

ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ଆଇନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments (0)
Add Comment