ଆଗମନ ହେଲା ଶ୍ରାବଣ ମାସ
ଅମ୍ବରୁ ଝରିଲା ଅମୃତ ରସ ।
ପାନକରି ଜୀବଧାରୀ ସନ୍ତୋଷ
ପଲ୍ଲବିତ ହେଲେ ବୃକ୍ଷ ବିଶେଷ ।
କେଦାର ସିକ୍ତ ହେବାରୁ କୃଷକ
ହୃଦେ ସଞ୍ଚରିଲା ଖୁସି ମହକ ।
କୃଷି କର୍ମ ପାଇଁ ତତ୍ପର ମନ
ବୁଣିବ କେଦାରେ ଧାନ ବିହନ ।
ଅନ୍ନଦାତା ଏହି କୃଷକ ଭାଇ
ପାଳଇ ସଂସାର କ୍ଳେଶକୁ ସହି ।
ନିଜ ଜୀବନକୁ ନର୍କେ ପକାଇ
ଉଦ୍ଧାରେ ଜଗତ ଅନ୍ନ ଯୋଗାଇ ।
ଗଗନ ଆବୃତ୍ତ କଲା ବାରିଦ
ଲୁଚିଲା ସବିତା ନକରି ବାଦ ।
ହ୍ରାସ ହେଲା ଗ୍ରୀଷ୍ମପ୍ରବାହ ଜ୍ବାଳା
ତଡାଗ ସଲିଳେ ପୂର୍ଣ୍ଣ ହୋଇଲା ।
ଶୁଷ୍କ ନଦ ନଦୀ ପ୍ରାଣକୁ ପାଇ
କଳ କଳ ନାଦେ ଚଞ୍ଚଳେ ବହି ।
ଶଈଳ ଶିଖରୁ ଝରି ନିର୍ଝର
ବହେ ଗରଜିଣ ହୋଇ ପ୍ରଖର ।
ରୁଣୁଝୁଣୁ ଗୀତ ଗାଏ ଶ୍ରାବଣ
ମେଘ ମହ୍ଲାର ଏ ରାଗଟି ପୁଣ ।
ଆନନ୍ଦେ ନୃତ୍ୟନ୍ତି କେକୀ କାନନେ
ଘନ କୃଷ୍ଣ ମେଘ ଦେଖି ଗଗନେ ।
ଡାହୁକ ଡାକ ପକାଏ ସଧୀରେ
ଦର୍ଦୁର ଡାକଇ ଅତି ମଧୁରେ ।
ଝଷମାନେ ମନେ ହୋଇ ହରଷ
କ୍ରୀଡନ୍ତି ସରିତେ ବଢାଇ ବଂଶ ।
ଦୁର୍ବାଦଳ ଶ୍ଯାମ ବର୍ଣ୍ଣକୁ ବହି
କି ସୁନ୍ଦର ଚିତ୍ର ଆଙ୍କିଛି ମହୀ ।
ତୃଣ ବୃଦ୍ଧି ହେତୁ ତୃଣଭୋଜିର
ତୃଣ ଭୋଜନରେ ସଦା ତତ୍ପର ।
କୃଶ ଶରୀରକୁ କରନ୍ତି ଶକ୍ତ
ବୃଦ୍ଧି ହୋଇଥାଏ ଶରୀରେ ରକ୍ତ ।
କଇଁ କମଳ ଜଳ ପୁଷ୍ପ ଯେତେ
ବିକଶିବା ଲାଗି ତତ୍ପର କେତେ ।
ଲତା ମାନେ କ୍ଷୀପ୍ର ବେଗରେ ଧାଇଁ
ବୃକ୍ଷ ଭରସାରେ ଆକାଶ ଛୁଇଁ ।
ପ୍ରଲମ୍ବିତ କରି ଅପଘନକୁ
କାୟା ବିସ୍ତାରୀ ଲଙ୍ଘନ୍ତି ସୀମାକୁ ।
ବର୍ଷା ପାଇଁ ସିନା ଜୀବ ସମ୍ଭବ
ବର୍ଷା ନହୋଇଲେ ମୃତ୍ୟୁ ସମ୍ଭବ ।
ଏଣୁ ଏ ଅବନୀ ଜୀବନ୍ତ ଥୟ
ପ୍ରକୃତିର ଲୀଳା ବିଚିତ୍ର ମୟ ।
କବି -କେଶବ ଚନ୍ଦ୍ର ନାୟକ
(ସଭାପତି ଉତ୍କଳ ସାହିତ୍ୟ ସଂସଦ ମାଲକାନଗିରି)
ମୋନ:୯୪୩୭୭୭୯୪୪୭