ଶ୍ରମିକ ନେତା ବିଷ୍ଣୁ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା ସହ ସରକାରଙ୍କ ଜନ ବିରୋଧୀ ନୀତି ବିରୁଦ୍ଧରେ ସିପିଆଇ (ଏମ) ଗଣ ପ୍ରତିବାଦ।

ବୋଲଗଡ଼,୧୯/୦୫(ପିପିଟି): ରାଜ୍ୟ ର ବିଶିଷ୍ଟ ଶ୍ରମିକ ନେତା,ସିଆଇଟିୟୁ ର ରାଜ୍ୟ ସାଧାରଣ ସମ୍ପାଦକ ଓ କେନ୍ଦ୍ରୀୟ ଉପ ସଭାପତି ତଥା ସିପିଆଇ (ଏମ) ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସାଥୀ ବିଷ୍ଣୁ ଚରଣ ମହାନ୍ତିଙ୍କ ବିୟୋଗ ରେ ପାର୍ଟି ର ରଣପୁର ଆଞ୍ଚଳିକ କମିଟି ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସାଥୀ ଦୁଃଶାସନ ଜେନା ଙ୍କ ସଭାପତିତ୍ବ ଶହୀଦ ରଘୁ-ଦିବାକର ଭବନରେ ଅନୁଷ୍ଠିତ ହୋଇ ଯାଇଅଛି।ବକ୍ତା ମାନେ ସାଥୀ ବିଷ୍ଣୁ ମହାନ୍ତି ଙ୍କ ସ୍ମୃତି ଚାରଣ କରି ତାଙ୍କ ର ଜୀବନ ଆଦର୍ଶ ସମ୍ପର୍କରେ ଆଲୋକ ପାତ କରିଥିଲେ।୧୯୫୦ ମସିହାରେ କେନ୍ଦ୍ରାପଡ଼ା ର ନିଆଳି ଅଞ୍ଚଳ ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ମହାନ୍ତି ଛାତ୍ର ରାଜନୀତି ରେ ପ୍ରବେଶ କରି ୧୯୭୦ ମସିହାରେ କେନ୍ଦ୍ର ସରକାର ଙ୍କ ଜରୁରୀ ପରିସ୍ଥିତି ବିରୋଧରେ ସାଲିସ ହୀନ ଲଢେ଼ଇ କରି ମିଶା ଆଇନ ବଳରେ ୨୪ ମାସ କାରାବରଣ କରିଥିଲେ।ଶ୍ରମିକ ଶ୍ରମ ଜୀବି ଜନ ଗଣ ଙ୍କ ଅଗ୍ରଣୀ ଭୂମିକା ରେ ସେନାପତି ଭାବେ କାର୍ଯ୍ୟ କରି ରାଉରକେଲା ଇସ୍ପାତ ନଗରୀ ର ଇସ୍ପାତ ମଣିଷ ଭାବେ ସମସ୍ତ ମନକୁ ଛୁଇଁ ପାରିଥିଲେ। ଦୀର୍ଘ ୫୫ ବର୍ଷ ରାଜନୈତିକ ଜୀବନ ରେ ସେ କେତେ ବେଳେ ପଛଘୁଞ୍ଚା ନ ଦେଇ ସାମ୍ୟବାଦୀ ଦର୍ଶନ ପ୍ରତି ଅଙ୍ଗିକାର କରି ଅବିଚଳିତ ଭାବେ ଗରୀବ,ଶୋଷିତ ଓ ଶ୍ରମିକ ଶ୍ରମ ଜୀବି ଙ୍କ ପାଇଁ କାର୍ଯ୍ୟ କରିଥିଲେ। ତାଙ୍କ ଅଧୁରା ସ୍ବପ୍ନ କୁ ସାକାର କରି ପାରିଲେ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତା ମାନେ ଆହ୍ବାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ପାର୍ଟି ତରଫରୁ ରାଜ୍ୟ ର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ଆକାଶ ଛୁଆଁ ପେଟ୍ରୋଲ,ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ର ପ୍ରତିବାଦରେ ଏକ ପ୍ରତିବାଦ ସଭା ରଣପୁର ପଞ୍ଚୁଦୋଳ ପଡ଼ିଆ ଠାର ସାଥୀ ଦୁଃଶାସନ ଜେନା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଥିଲା। ବାଲିଅନ୍ତା ଅଞ୍ଚଳରେ ସୌମ୍ୟ ଙ୍କୁ ହତ୍ୟା, କଣାସରେ ବୁଲେଟ ମଡାଇ ଯୁବକଙ୍କୁ ହତ୍ୟା, ଗଞ୍ଜାମ ରେ ଗର୍ଭିଣୀ ମହିଳାଙ୍କୁ ହତ୍ୟା, ନୟାଗଡ଼ ଓଡ଼ଗାଁ ରେ ଖଣି ମାଫିଆ ଙ୍କ ଯୁବକଙ୍କୁ ନିର୍ମମ ହତ୍ୟା, ଗଣିଆ ରେ ଯୁବକ ଙ୍କୁ ପୋଡ଼ି ହତ୍ୟା ଆଦି ଲୋମ ହର୍ଷଣ କାରୀ ଘଟଣା ପଛରେ ସରକାରୀ ଦଳର କର୍ମୀଙ୍କ ସମ୍ପୃକ୍ତି ଥିଲା ବେଳେ ପୋଲିସ ହାତବାରିସ ସାଜିଛି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। ସ୍ଵୟଂ ମୂଖ୍ୟ ମନ୍ତ୍ରୀ ଗୃହ ବିଭାଗର ଦାୟିତ୍ୱରେ ଥାଇ ମଧ୍ୟ ଆଇନ୍ ଶୃଙ୍ଖଳା ରକ୍ଷା କରିବାରେ ବିଫଳ ହୋଇଥିବାରୁ ତୁରନ୍ତ ମୁଖ୍ୟ ମନ୍ତ୍ରୀ ଇସ୍ତଫା ଦାବୀ କରିଥିଲେ। ସେହିଭଳି ବିଜେପି ମୋଦୀ ସରକାର ଙ୍କ ତୈଳ ଆମଦାନି ଦେଶ ମାନଙ୍କ ଅପେକ୍ଷା ଆମେରିକା ପ୍ରିତି ଓ ଆଦାନୀ ଆମ୍ବାନି ଭଳି ପୁଞ୍ଜିପତି ପ୍ରୀତି ଯୋଗୁଁ ପେଟ୍ରୋଲ ଡିଜେଲ ଓ ଗ୍ୟାସ ର ଆକାଶ ଛୁଆଁ ଦର ହୋଇ ଥିବା ବୃଦ୍ଧି ତୁରନ୍ତ ପ୍ରତ୍ୟାହାର କରିବା, ତୈଳ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା,ନିଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଯୋଗୁଁ ୨୩ ଲକ୍ଷ ଛାତ୍ରଛାତ୍ରୀ ଜୀବନ ପ୍ରତି ଅନିଶ୍ଚିତତା ସୃଷ୍ଟି କରିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ପାଇଁ ପାର୍ଟି ତରଫରୁ ଦାବି କରାଯାଇଛି। ସରକାର ଙ୍କ ଏଭଳି ଜନ ବିରୋଧୀ ନୀତି ବିରୁଦ୍ଧରେ ଜନ ଗଣ ରାଜ ରାସ୍ତା କୁ ଓହ୍ଲାଇ ଆସିବା ପାଇଁ ବକ୍ତା ମାନେ ଆହ୍ବାନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ଗୁଡିକ ରେ ପାର୍ଟି ନେତା ନିତ୍ୟାନନ୍ଦ ପରିଡ଼ା,ସୁରେଶ ସ୍ବାଇଁ, ସବ୍ୟସାଚୀ ସେନାପତି, ଶୁଶିଲ ମହାନ୍ତି ପ୍ରମୁଖ ବକ୍ତବ୍ୟ ଦେଇ ଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment