ଶ୍ରମିକ ଦିବସ ପାଳିତ।

ଜଗତସିଂହପୁର,୦୧/୦୫(ପିପିଟି); ପ୍ରତିବର୍ଷ ମେ ମାସ ୦୧ ତାରିଖକୁ ବିଶ୍ଵର ଶତାଧିକ ରାଷ୍ଟ୍ରରେ ଆନ୍ତର୍ଜାତିକ ‘ଶ୍ରମିକ ଦିବସ’ ବା ‘କର୍ମଜୀବୀ ଦିବସ’ ବା ‘ମେ ଡେ’ ଭାଵରେ ପାଳନ କରାଯାଏ । ଦିନକୁ ଆଠ ଘଣ୍ଟା କାର୍ଯ୍ୟ ସମୟ ଦାବିରୁ ଏହି ଦିବସ ସୃଷ୍ଟି ହୋଇ କାଳକ୍ରମେ ଆନ୍ଦୋଳନରେ ପରିଣତ ହୋଇଥିଲା ଆମେରିକାରୁ । କାନାଡା ଓ ଆମେରିକାରେ ୧୮୮୨ ମସିହା ସେପ୍ଟେମ୍ବର ମାସରେ ପ୍ରଥମ ଥର ପାଇଁ ଶ୍ରମିକ ଦିବସ ପାଳନ ହୋଇଥିଲା । ଏହାର ବହୁବର୍ଷ ପରେ ମେ ପହିଲା କୁ ୧୮୮୬ ମସିହା ଚିକାଗୋ ସହରରେ ଶ୍ରମିକମାନଙ୍କ ୮ଘଣ୍ଟାର ଶ୍ରମ ଦିବସ ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନ ଦିବସକୁ ଶ୍ରମ ଦିବସ ରୂପେ ପାଳନ କରିବାକୁ ସ୍ଥିର କରାଯାଇଥିଲା। ୧୯୨୩ରେ ‘ଲେବର କିଷାନ ପାର୍ଟି ଅଫ୍ ହିନ୍ଦୁସ୍ତାନ’ ତରଫରୁ ଭାରତରେ ପ୍ରଥମ ଥର ମାଡ୍ରାସ ଠାରେ ଲାଲ୍ ପତାକା ଉଡିଥିଲା । ଆଜି ଏହି ଦିବସ ପାଳନ ପରିପ୍ରେକ୍ଷୀରେ ଜଗତସିଂହପୁର ଥାନା ଅନ୍ତର୍ଗତ ଉଗାଳପୁରଠାରେ ଏଆଇଓ୍ଵାଇଏଫ୍ ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତି ଲାଲ୍ ପତାକା ଉତ୍ତୋଳନ କରିଥିଲେ । ଏଆଇକେଏସ୍ ଜଗତସିଂହପୁର ଜୋନାଲ ସଭାପତି ନାରାୟଣ ଦାସ ଆଜିର ଏହି ଶ୍ରମିକ ଦିବସର ସ୍ମୃତି ଚାରଣ କରିବା ସହ ଲାଲ୍ ପତାକାର ଇତିହାସ ବିଷୟରେ ନୂତନ ପିଢ଼ି କୁ ଅବଗତ କରାଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତିର ତୀବ୍ର ନିନ୍ଦା କରିଥିଲେ ଏଆଇଓ୍ଵାଇଏଫ୍ ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment