କୋଦଳା,୧୨/୦୫(ପିପିଟି): କ୍ଷୁଦ୍ର ଜଳସେଚନ ବିଭାଗ ବେଗୁନିଆପଡା ପକ୍ଷରୁ ଏହି ବ୍ଲକ ଅନ୍ତର୍ଗତ ବଡ଼ ଖଇର ଖମା ପଞ୍ଚାୟତର ଶ୍ରଦ୍ଧ।ପୁର ଠାରୁ ବଡ ରାଉଳ ମନ୍ଦିର ପର୍ଯ୍ୟନ୍ତ ୨ କିମି ୧୦୦ ମି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଣା ପଡିଛି। ଏହି କାର୍ଯ୍ୟ ପାଇଁ ୭୦ ଲକ୍ଷ ୩୨ ହଜାର ଟଙ୍କା ଅନୁଦାନ ଆସିଥିବା ବେଳେ ଏହି ରାସ୍ତା ଉପରେ ୩ ଟି ସ୍ତର ପଡିବା କଥା। କିନ୍ତୁ ଉକ୍ତ ଠିକାଦାର ନାଲି ମୋରମ ସ୍ତର ପରେ ବଡ ମେଣ୍ଟାଲ ପକାଇ ଦେଇ ତା ଉପରେ ନାମକୁ ମାତ୍ର ଗୋଡି ବିଛାଇ ପିଚୁ ପକାଉଛନ୍ତି। ପ୍ରଥମେ ଇମ୍ୟୁଲସନ, ପରେ ପ୍ରିମିକ୍ସ କର୍ପେଟ ତା ଉପରେ ଵଜୂରୀ ପକାଇ ପିଚୁ ପକାଇବା କଥା କିନ୍ତୁ ଏହା ସଠିକ ଭାବରେ ନ ହୋଇ ମନ ଇଛା ପିଚୁ ପକାଇ କାମ ସାରିବାକୁ ମସୁଧା କରାଯାଉଛି। ଯେଉଁ ପିଚୁ ପକାଯାଇଛି ତାହାର ପରିମାଣ ଯଥେଷ୍ଟ କମ ଥିବାବେଳେ ଵଜୂରୀ ଓ ପିଚୁ ସ୍ତର ନାମକୁ ମାତ୍ର ପକାଯାଇ ତା ଉପରେ ତରବରିଆ ଭାବେ ବାଲି ପକାଯାଇ ଦୁର୍ନୀତିକୁ ଲୁଚାଇବାକୁ ଚେଷ୍ଟା କରାଯାଉଛି। ବଡ଼ ଆଶ୍ଚର୍ଯ୍ୟର କଥା ଏହାଯେ କେବଳ ଉଦଘାଟନ ଫଳକ ନିର୍ମାଣ କରାଯାଇଥିବା ବେଳେ ଆର୍ଥିକ ଅଟକଳ ସମ୍ପର୍କିତ କୌଣସି ସୂଚନା ଫଳକ ନିର୍ମାଣ ହୋଇନାହିଁ ଯାହା ଫଳରେ ଏହାକୁ ଲୋକଙ୍କ ଆଢୁଆଳରେ ରଖାଯାଇଛି। ଅପର ପକ୍ଷରେ ନିର୍ମାଣର ସ୍ତର ଆଦୌ ପ୍ରଦର୍ଶିତ ହୋଇନାହିଁ। ଯାହା ଫଳରେ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଗରୁ ଏହି ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଆସି ବାଟ ମାରଣା ହୋଇଥିବା ବେଳେ ଏବେ ପୁଣି ଏହି କାର୍ଯ୍ୟରେ ଦୁର୍ନୀତି ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ବିଭାଗୀୟ ଅଧିକାରୀ ଏହି ସ୍ଥାନକୁ କାଁ ଭାଁ ଆସି ଚାଲିଯାଉଥିବା ବେଳେ ଏହା ଜନବସତି ଠାରୁ ଦୂର ହୋଇଥିବା ଯୋଗୁଁ କାର୍ଯ୍ୟରେ ଯଥେଷ୍ଟ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏପଟେ ଏହି କାର୍ଯ୍ୟର ବିଲ ମାର୍ଚ୍ଚ ମାସରୁ କୁଆଡେ ସିଂହ ଭାଗ ପ୍ରଦାନ କରାଯାଇଥିବା ବେଳେ କାମ ସାରି ଠିକାଦାର ବିଲ ଅର୍ଥ ହାତେଇବାକୁ ବସିଛନ୍ତି। କାମରେ କିପରି କ୍ୱାଲିଟି କଣ୍ଟ୍ରୋଲ ଅଧିକାରୀ ଆଖି ବୁଜିଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୁର୍ନୀତି ସମ୍ପର୍କିତ ତଥ୍ୟକୁ ଲୋକ ଲୋଚନକୁ ଆଣିବା ପାଇଁ ଦାବୀ ହୋଇଛି । ଏହାକୁ ନେଇ ବିଭାଗୀୟ ଯନ୍ତ୍ରୀ ଗଙ୍ଗାରାମ ଟୁଡୁ କହିଛନ୍ତି ଯେ କାର୍ଯ୍ୟରେ କୌଣସି ଦୁର୍ନୀତି ହୋଇନାହିଁ, ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତିରେ କାର୍ଯ୍ୟ ହେଉଛି,ସେହି ରାସ୍ତାଟି ମୁଖ୍ୟ ରାସ୍ତା ହୋଇଥିବାରୁ ଗାଡି ଯାତାୟତ ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଠିକାଦାର, ଆଉ ମାତ୍ର ଦୁଇଦିନରେ କାର୍ଯ୍ୟ ଶେଷ ହେବାଳୁ ଥିବାବେଳେ ପାଗ ଖରାପ ଯୋଗୁଁ ବିଳମ୍ବ ହେଉଛି, ବର୍ତ୍ତମାନ ସୁଦ୍ଧା ଉକ୍ତ କାର୍ଯ୍ୟ ପାଇଁ ଠିକାଦାର ୫୦% ରନିଙ୍ଗ ବିଲ୍ ପାଇଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)