କୋଦଳା,୧୬/୦୩(ପିପିଟି):ବହୁ ପ୍ରତିକ୍ଷିତ ପାରମ୍ପରିକ ଓଡିଶା ପ୍ରସିଦ୍ଧ ଐତିହାସିକ କୋଦଳା ଦୋଳଯାତ୍ରା ସମାପ୍ତ ହୋଇଯାଇଛି ।ପ୍ରଥମ ଦିନରେ ସଫଳତାର ସହିତ କାର୍ଯ୍ୟକ୍ରମ ସରିଥିବା ବେଳେ,ପ୍ରଶାସନ ର ବାରଣ ସତ୍ୱେ ଦ୍ଵିତୀୟ ଦିନରେ ବାଣ ଫୁଟି ଅଘଟଣ ସୃଷ୍ଟି ହୋଇଥିଲା । ଏଥିରେ ଜଣେ ବ୍ୟକ୍ତି ନିଜର ଗୋଡ଼ ହରାଇଥିବା ବେଳେ ୫ରୁ ଅଧିକ ଆହାତ ମଧ୍ୟ ହୋଇଥିଲେ । ପରେ ପରେ ଯାତ୍ରା ଧିମା ପଡିଯାଇଥିଲା । ଚତୁର୍ଥ ସନ୍ଧ୍ୟାରେ ଉଭୟ ମହାପ୍ରଭୁ ଗ୍ରାମର କୋଣ ଅନୁକୋଣ ରେ ପରିକ୍ରମା କରି ପ୍ରତ୍ୟକ ଘରେ ପୀଠାପଣା ଭୋଗସାରି ପୂର୍ବାହ୍ନ ରେ ନିଜ ନିଜ ଜାଗାରେ ପହଞ୍ଚି ରାଜାଗ୍ନି ରେ ଅଗ୍ନି ସଂଯୋଗ କରିଥିଲେ । ପଞ୍ଚମ ଦିନଟି ସବୁଠାରୁ ଆକର୍ଷଣୀୟ ତଥା ଲୋକଙ୍କ ବହୁ ପ୍ରତିକ୍ଷିତ ବାଣଯାତ୍ରା ହେବାକୁ ଥିବା ବେଳେ କୌଣସି କାରଣ ବଶତଃ ଦୁଇ କମିଟିର ଆଲୋଚନା ଏବଂ ପ୍ରଶାସନ ର ନିର୍ଦ୍ଦେଶ ମୁତାବକ ଦୋଳପୁର୍ଣିମାରେ ପ୍ରସିଦ୍ଧ ଆତାଶବାଜ ପ୍ରଦର୍ଶନ ମଧ୍ୟ ବନ୍ଦ ହୋଇଯାଇଥିଲା । ବହୁ ଜନସାଧାରଣ ନିରାଶ ହୋଇ ଫେରିଥିଲେ । କିନ୍ତୁ ହୋଲିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ହୋଲିର ପୂର୍ବାହ୍ନ ରୁ ଉଭୟ ପଟୁ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଭାରତ ଲୀଳା, ଗାହାଣି ସହିତ ରାମାୟଣ ନାଟକ ମଞ୍ଚସ୍ଥ ହୋଇଥିଲା ।ଦିନସାରା ଲୋକଙ୍କ ଭିଡ଼ ଲାଗିଥିବା ବେଳେ ରାତ୍ରରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଲାଗିରହିଥିଲା । ରବିବାର ସମସ୍ତ କାର୍ଯ୍ୟକ୍ରମ ସାରି ମହାପ୍ରଭୁ ବାବା ଶ୍ରୀ ଦଣ୍ଡିଶ୍ୱର ଓ ପ୍ରଭୁ ଶ୍ରୀ ଜଗନ୍ନାଥ ଯାତ୍ରାପଦା ଛାଡି ନିଜ ନିଜ ମନ୍ଦିରକୁ ପ୍ରବେଶ କରିଥିଲେ । ଏତେବଡ ଯାତ୍ରାକୁ କୋଦଳା ଥାନା ପକ୍ଷରୁ ଲୋକଙ୍କ ସୁରକ୍ଷ୍ୟା ନିମନ୍ତେ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିବାରୁ ଉଭୟ କମିଟି ପକ୍ଷରୁ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ପୁଣି ଏକ ବର୍ଷର ଅପେକ୍ଷା,ଆସନ୍ତା ବର୍ଷ ଯେମିତି ଯାତ୍ରା ସ୍ୱାଭାବିକ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଉଭୟ କମିଟି ଓ ପ୍ରଶାସନକୁ ଅନୁରୋଧ କରିଛନ୍ତି ଅଞ୍ଚଳ ର ଜନସାଧାରଣ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)