ଶେରଗଡ଼ରେ ଆର୍ଥିକ ସାକ୍ଷରତା ଓ ସାଇବର ସୁରକ୍ଷା କର୍ମଶାଳା ।

ଶେରଗଡ଼,୨୪/୦୮(ପିପିଟି): ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଶେରଗଡ଼ ବ୍ଲକରେ ଆର୍ଥିକ ସାକ୍ଷରତା,ଡିଜିଟାଲ ନିର୍ଯାତନା ଓ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀ ସୁଦାମ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ସେ ଆର୍ଥିକ ସାକ୍ଷରତା, ନିୟମିତ ସଞ୍ଚୟର ଗୁରୁତ୍ୱ ଏବଂ ଅନଲାଇନ୍ ଓ ସାମାଜିକ ଗଣମାଧ୍ୟମର ସୁରକ୍ଷିତ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ ।

ଛତ୍ରପୁର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ସାଇବର ସେଲ୍‌ର ସହକାରୀ ଆରକ୍ଷୀ ଉପନିରୀକ୍ଷକ କିରଣ କୁମାର ପାତ୍ର ଡିଜିଟାଲ ନିର୍ଯାତନା, ସାଇବର ଅପରାଧ ଓ ଡିଜିଟାଲ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ। ଅଜଣା ଆପ୍‌ ଫାଇଲ୍‌ ଡାଉନଲୋଡ୍ ନକରିବା, ସାମାଜିକ ପ୍ରତାରଣା, ମିଥ୍ୟା ଜରୁରୀକାଳୀନ ଫୋନ୍‌, ଫୋନ୍‌ କଲ୍‌ ସ୍ଥାନାନ୍ତରଣ ଠକେଇ ଏବଂ ମୋବାଇଲ୍‌ରେ ଡିଜିଟାଲ ସ୍ୱଚ୍ଛତା ବଜାୟ ରଖିବା ଉପରେ ସେ ବିସ୍ତୃତ ଭାବେ ବୁଝାଇଥିଲେ ।

ଆସ୍କା ଡାକ ବିଭାଗର ଅଧୀକ୍ଷକ ଦିଲୀପ କୁମାର ବେହେରା ସଞ୍ଚୟ, ଆର୍ଥିକ ଅନ୍ତର୍ଭୁକ୍ତି ଓ ଆର୍ଥିକ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବା ସହ ସୁକନ୍ୟା ସମୃଦ୍ଧି ଯୋଜନା ସମେତ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭ ନେବାକୁ ସଚେତନ କରିଥିଲେ ।

ଡାକ ଜୀବନ ବୀମାର ବିକାଶ ଅଧିକାରୀ ଦୀପକ ରଞ୍ଜନ ପାଣିଗ୍ରାହୀ ଡାକ ଜୀବନ ବୀମା ଓ ବିଭିନ୍ନ ସଞ୍ଚୟ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ ।

କର୍ମଶାଳାରେ ସାମାଜିକ ଗଣମାଧ୍ୟମର ସୁରକ୍ଷିତ ବ୍ୟବହାର, ଅନଲାଇନ୍‌ ଆର୍ଥିକ କାରବାରରେ ସତର୍କତା, ଚାକିରି ଠକେଇ, ଋଣ ଆପ୍‌ ଠକେଇ, ବିବାହ ସମ୍ପର୍କିତ ଠକେଇ, ଅଜଣା ଫୋନ୍‌ କଲ୍‌, ଏବଂ ଅନଲାଇନ୍‌ କ୍ରୟବିକ୍ରୟ ଠକେଇ ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା ।

ଶେରଗଡ଼ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ମମତାଞ୍ଜଳି ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରିଣୀ ଡି. ନାଗରତ୍ନମ୍ କର୍ମଶାଳାର ଉଦ୍ଦେଶ୍ୟ ଓ ବିଷୟବସ୍ତୁ ସମ୍ପର୍କରେ ଅବଗତ କରାଇଥିଲେ ।

କର୍ମଶାଳାରେ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ସଂଯୋଜିକା ଗୀତାଞ୍ଜଳି ମହାରଣା, ସଂଯୋଜକ ଦେବବ୍ରତ ମହାନ୍ତ, ଆର୍ଥିକ ସାକ୍ଷରତା ଲିଙ୍ଗ ବିଶେଷଜ୍ଞ ବାପୁଜୀ କନ୍ୟାରୀ, ଟୁନି ବିଷୋୟୀଙ୍କ ସମେତ ଶେରଗଡ଼ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ସମସ୍ତ ଅଞ୍ଚଳ ପରିଦର୍ଶିକା ଓ ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ ଥିଲେ ।

Comments (0)
Add Comment