ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ଦ୍ଵାରା ବିଭିନ୍ନ ସଂସ୍ଥା ଉପରେ ଚଢାଉ,୧୫ ଜଣ କିଶୋର ଓ ଜଣେ ଶିଶୁ ଶ୍ରମିକ ଉଦ୍ଧାର ।

ଯାଜପୁର,୨୪/୦୬(ପିପିଟି):ଓଡ଼ିଶା ସରକାର ଶ୍ରମ ବିଭାଗ ନିର୍ଦ୍ଦେଶ ମତେ ପନ୍ଦର ଦିନିଆ ଶିଶୁ ଶ୍ରମିକ ନିରାକରଣ ସମ୍ବନ୍ଧୀୟ ବିଶେଷ ସଚେତନତା ଓ ଶିଶୁ ଶ୍ରମିକ ନିୟୋଜିତ କରିଥିବା ସଂସ୍ଥା ତଥା ବ୍ୟକ୍ତିବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ୟାପକ ପଦକ୍ଷେପ ଯାଜପୁର ଜିଲ୍ଲାରେ ଗ୍ରହଣ କରାଯାଇଛି । ସରକାରୀ ନିର୍ଦ୍ଦେଶ ମତେ ଯାଜପୁର ଜିଲ୍ଲାରେ ପ୍ରାୟ ପନ୍ଦର ଦିନ ଶିଶୁ ଶ୍ରମିକ ନିୟୋଜନ ବାରଣ ପାଇଁ ସଚେତନତା ରଥ,ରାଲି,ବ୍ୟାପକ ସଚେତନତା ପାଇଁ ସରକାରୀ ବିଭାଗ ଓ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ବୈଠକ ସହିତ ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ଦ୍ଵାରା ଘନ ଘନ ରେଡ୍ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ୧୨ ଜୁନରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଯୁଧିଷ୍ଠିର ନାୟକ ଶିଶୁ ଶ୍ରମିକ ନିରାକରଣ ସମ୍ବନ୍ଧୀୟ ସଚେତନତା ରଥ ଓ ରାଲି କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ବ୍ୟାପକ ସଚେତନତା କରାଯାଇଥିଲା ଏବଂ ସଚେତନତା ରଥ ଜିଲ୍ଲାର ସବୁ ବ୍ଲକ ଓ ପୌରପାଳିକା ଜୁନ ୧୨ ରୁ ୧୯ ତାରିଖ ମଧ୍ୟରେ ଭ୍ରମଣ କରିଥିଲା । ସେହିପରି ଜୁନ ୧୯ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ତଥା ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଟାସ୍କ ଫୋର୍ସ ର ସମସ୍ତ ସଦସ୍ୟ ଯୋଗ ଦେଇ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ଏବଂ ୨୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ରେଡ କରି ଶିଶୁ ଓ କିଶୋର ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିଲା । ନିଷ୍ପତ୍ତି ମୁତାବକ ୨୦ ତାରିଖରେ ଯାଜପୁର ବ୍ଲକ ଓ ପୌରପାଳିକାରେ ସହକାରୀ ଶ୍ରମ ଅଧିକାରୀ ସୌମ୍ୟ ସୁନ୍ଦର ରାଉତରାୟ, ସହକାରୀ ଶ୍ରମ ଅଧିକାରୀ ସ୍ମୃତି ରଞ୍ଜନ ପଣ୍ଡାଙ୍କ ନେତୃତ୍ଵରେ ଚଢାଉ କରାଯାଇ ୭ ଜଣ କିଶୋର ଶ୍ରମିକ ବିଭିନ୍ନ ବିପଦସଙ୍କୁଳ କାର୍ଯ୍ୟ ରେ ନିୟୋଜିତ ଥିଲାବେଳେ ସେମାନଙ୍କୁ ଉଦ୍ଧାର କରି ମାଲିକ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି l ସେହିପରି ୨୨ ତାରିଖରେ ସହକାରୀ ଶ୍ରମ ଅଧିକାରୀ ସୌମ୍ୟରଞ୍ଜନ ବେହେରା, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସ୍ମୃତି ରଞ୍ଜନ ପଣ୍ଡା ,ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଅଭିଜିତ ଜୟପ୍ରକାଶ ପ୍ରଧାନ ବ୍ୟାସନଗର ପୌରପାଳିକା ଓ କୋରେଇ ବ୍ଲକରୁ ୪ ଜଣ କିଶୋର ଶ୍ରମିକ, ୨୩ ତାରିଖରେ ସହକାରୀ ଶ୍ରମ ଅଧିକାରୀ ସ୍ମୃତି ରଞ୍ଜନ ପଣ୍ଡା,ସହକାରୀ ଶ୍ରମ ଅଧିକାରୀ ଶତରୂପା ସାହୁ ବରୀ ବ୍ଲକ୍ ଅଞ୍ଚଳରୁ ୨ ଜଣ କିଶୋର ଶ୍ରମିକ, ୨୪ ତାରିଖରେ ସହକାରୀ ଶ୍ରମ ଅଧିକାରୀ ଦେବାଶିଷ ଜେନା , ସହକାରୀ ଶ୍ରମ ଅଧିକାରୀ ରଚନା ସେଠି, ସହକାରୀ ଶ୍ରମ ଅଧିକାରୀ ଶତାବ୍ଦୀକା ନାୟକ ଦାନଗଦି ଓ ସୁକିନ୍ଦା ବ୍ଲକ ରୁ ୨ ଜଣ କିଶୋର ଓ ଜଣେ ଶିଶୁ ଶ୍ରମିକ ଉଦ୍ଧାର କରି ଆବଶ୍ୟକୀୟ ବିହିତ ପଦକ୍ଷେପ ନେବା ସହିତ ମାଲିକ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ର ସଦସ୍ୟ ଆବାହକ ତଥା ଜିଲ୍ଲା ଶ୍ରମ ଅଧିକାରୀ,ଯାଜପୁର, ଯାଜପୁର ପ୍ରଭାଗୀୟ ଶ୍ରମ କମିଶନର ସତ୍ୟନାରାୟଣ ଆଚାର୍ଯ୍ୟ ଏବଂ ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ କମିଶନର ଶିବ ଶଙ୍କର ମିଶ୍ରଙ୍କ ତତ୍ତ୍ଵାବଧାନରେ ସମ୍ପନ୍ନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଚାଇଲ୍ଡ ଲାଇନ ସଦସ୍ୟ, ରୁଚିକା ଓ ଆସପାୟର ଭଳି ସ୍ଵେଚ୍ଛାସେବୀ ସଂଗଠନ ର ସଦସ୍ୟ, ଶିଶୁ ଶ୍ରମିକ ସୁରକ୍ଷା ମାନବାଧିକାର କର୍ମୀ ଏବଂ ପୋଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ ।  ଏତଦବ୍ୟତୀତ ପରବର୍ତ୍ତୀ ସମୟରେ ଯଦି କୌଣସି ସଂସ୍ଥା କିମ୍ବା ମାଲିକ କୌଣସି ଶିଶୁ ଓ କିଶୋର ଶ୍ରମିକ ନିୟୋଜିତ କରିବାର କିଛି ସୂଚନା ମିଳେ,ତେବେ ନିୟମ ଅନୁଯାୟୀ ଆବଶ୍ୟକୀୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । କୌଣସି ଭି ପରିସ୍ଥିତିରେ ୧୪ ବର୍ଷ ପର୍ଯ୍ୟନ୍ତ କୌଣସି ଶିଶୁକୁ ଶ୍ରମିକ ଭାବେ କିମ୍ବା ୧୪ ରୁ ୧୮ ବର୍ଷ ପର୍ଯ୍ୟନ୍ତ କୌଣସି କିଶୋରଙ୍କୁ ଶ୍ରମିକ ଭାବେ ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜିତ ନ କରିବାକୁ ସାବଧାନ କରାଯାଇଛି ।

Comments (0)
Add Comment