ଶିଶୁ କନ୍ୟାର କନ୍ୟାର ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି ରହୁ ।

ଯାଜପୁର,୨୪/୦୧(ପିପିଟି);ସମାଜରେ ଶିଶୁ କନ୍ୟା ମାନଙ୍କର ସ୍ଥିତି ବର୍ତମାନ ଉଦ୍ବେଗ ସ୍ତରରେ ରହିଛି । ବିଶେଷ କରି ଲିଙ୍ଗ ଅନୁପାତରେ କନ୍ୟାମାନଙ୍କର ସଂଖ୍ୟା ଦୃତ ଗତିରେ ହ୍ରାସ ପାଇବା ପରିତାପର ବିଷୟ ବୋଲି ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି । ରବିବାର ଅପରାହ୍ନରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ବେଟି ବଚାଅ ବେଟି ପଢାଓ ଅଭିଯାନ ଅର୍ନ୍ତଗତ  ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାନ୍ତି କନ୍ୟା ମାନଙ୍କର ସୁରକ୍ଷା ପାଇଁ ତୃଣ ମୂଳ ସ୍ତରରୁ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ । ବିଶେଷ କରି ଆଶା, ଅଙ୍ଗନବାଡି, ପଂଚାୟତ ପ୍ରତିନିଧି, ପଂଚାୟତ ଓ ବ୍ଲକ ସ୍ତରର ଶିଶୁ ସୁରକ୍ଷା କମିଟି, ସମାଜସେବୀ ଓ ସ୍ୱଛାସେବୀ ଅନୁଷ୍ଠାନ ମାନେ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହକୁ ପ୍ରତିହତ କରିବା ପାଇଁ ୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି ବୋଲି ସେ ସୂଚନା ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ନିଆଯାଉଥିବା ବିବିଧ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶିଶୁ ହସିଲେ ଦୁନିଆ ହସିବ ବୋଲି କହିଥିଲେ । ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ଡାକ୍ତର ରୁଦ୍ରନାରାୟଣ ପୃଷ୍ଟି ପୌରାଣିକ ଓ ସାମାଜିକ ଉପାଖ୍ୟାନ ମାଧ୍ୟମରେ ନାରୀର ସୁରକ୍ଷା, ସ୍ଥିତି ଓ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ । ଭାରପ୍ରାପ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁବାଷ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଦଶରଥପୁର ସିଡିପିଓ ମଞ୍ଜୁଳା ରଥ, ଯାଜପୁର ସିଡିପିଓ ସରିତା ନାୟକ ପ୍ରମୁଖ ଶିଶୁ କନ୍ୟା ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଙ୍ଗନୱାଡି କର୍ମୀ, ସୁପରଭାଇଜର, ସ୍ୱଂୟସହାୟକ ଗୋଷ୍ଠିର କର୍ମକର୍ତ୍ତା, ଚାଇଲ୍ଡଲାଇନ, ଏକକ ରହଣୀ କେନ୍ଦ୍ର ଓ ସ୍ୱଧାର କେନ୍ଦ୍ରର କର୍ମକର୍ତା ମାନେ ଯୋଗ ଦେଇଥିଲେ । ଶେଷରେ ଶିଶୁ ସୁରକ୍ଷା କର୍ମକର୍ତ୍ତା ତପନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment