ମୁକ୍ତ ବୃକ୍ଷ ଡାଳେ ବସିଣ ବିହଙ୍ଗ
ସକାଳ ସୂଚନା ପାଇ….
ମଙ୍ଗଳ ସ୍ତବକେ ଆହ୍ବାନ କରନ୍ତି
ଊଷା ନାମ ଗାଇ ଗାଇ….!!
ପୂରୁବ ଗଗନେ ଫାଟଇ ସିନ୍ଦୁରା
ସବିତା ଉଇଁବା ପାଇଁ….
ରକ୍ତିମ ଆଭାରେ ପୂର୍ବ ଦିଗ ଶୋଭା
ବିଚିତ୍ର ଦିଶିଇ ରହି…!!
ଡାକ ଛାଡେ ଶୁଭ ସକାଳ ହୋଇଲା
କୁକୁଟ ଟା ରହି ରହି….
ରାବୁଥାଏ କାକ ପିକ କୁମ୍ଭାଟୁଆ
ଆନନ୍ଦ ଉଲ୍ଲାସ ହୋଇ…!!
କଳିକା ମେଲାଏ ପାଖୁଡା ସଧିରେ
ରବିର କିରଣ ପାଇ….
ବିକଶି ସୁମନ ସୌରଭ ପରସେ
ମୃଦୁ ମଳୟକୁ ନେଇ….!!
ଶିଶିର ପାତରେ ଦୁର୍ବାଦଳ ଗାତ୍ର
ଦିଶୁଥାଏ ଝଲମଲ….
ପଦ୍ମ ପୋଖରୀରେ ପଙ୍କଜ ସୁନ୍ଦର
ନାଚୁଥାଏ ଢଳ ଢଳ…!!
ସୁମନ ତନୁରେ ବିହରେ ଭ୍ରମର
ଗୁଣୁ ଗୁଣୁ ଗୀତ ଗାଇ….
ନୀଡ ଛାଡି ପକ୍ଷୀ ଉଡ଼େ ବହୁ ଦୂରେ
ଆହାର ଖୋଜିବା ପାଇଁ….!!
ଶୈବ ମନ୍ଦିରରୁ ଶୁଭେ ଶଙ୍ଖ ନାଦ
ପ୍ରଭାତ ଆସିଲା ବୋଲି….
ଜାଗ୍ରତ ହୋଇଲେ ନିଦ୍ରିତ ଜନତା
ନିଶି ନାଶ ହେଲା ବୋଲି…!!
ସ୍ନାନ ଶୌଚ ସାରି ନିଜ ନିଜ କର୍ମେ
ମଗନ ହୋଇଲେ ଯାଇ…
ପୂର୍ବ ଦିଗେ ରବି ସୁନେଲି କିରଣେ
ଧରଣୀ କୁ ଗଲେ ଛୁଇଁ…!!
ଜଳ କଳସିକୁ କାଖରେ କାଖେଇ
ଏଣୀ ନେତ୍ରୀ ଚାହୁଁ ଥାଏ….
ଚହଲା ପାଣିରେ ଦୁକୁଳ ଭିଜାଇ
ମନ୍ଦ ମନ୍ଦ ଗମୁଥାଏ….!!
ରୋଷେଇ ଶାଳରୁ ଧୂମର କୁଣ୍ଡଳୀ
ପବନକୁ ଶୁଭ୍ର କରେ….
କଅଁଳ ଶିଶୁଟି କ୍ଷୀର ପାନ ଲାଗି
କୁଆଁ କୁଆଁ ରଡି ଛାଡେ…!!
ଗାଈ ପାଶେ ବତ୍ସା ଯିବାକୁ ବ୍ୟାକୁଳ
ବନ୍ଧା ପଡିଛି ପଘାରେ….
ହମ୍ବା ହମ୍ବା ରଡି ଛାଡେ ବାରମ୍ବାର
ଗୋପାଳ ମୁକ୍ତ ନ କରେ…!!
ପାରା ଉଡି ଉଡି ଦାଣ୍ଡେ ଦଳ ଦଳ
ଓହ୍ଲାଇ ଖୋଜେ ଚାଉଳ….
କିଏ ପୂଣ୍ୟ ଆତ୍ମା ଦେଇଣ ଆହାର
ତୃପ୍ତି ମଣଇ ସକଳ…!!
କିଏ ପୂଜା ଘରେ ଧୂପ ଦୀପ ଦିଏ
ଜପିଣ ଆପଣା ଇଷ୍ଟ…
ଦିନଟି ଶୁଭେ କଟିବା ଲାଗି ଯେ
ହେଉଥାଏ ଟି ଭୂମିଷ୍ଠ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)