ଶିଳ୍ପ ସୁରକ୍ଷା ଓ ଶୂନ୍ୟ ଦୁର୍ଘଟଣା ପାଇଁ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ।

ଯାଜପୁର,୨୩/୧୨(ପିପିଟି): ଶିଳ୍ପ କାରଖାନାରେ କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଦୁର୍ଘଟଣା ରୋକିବା ପାଇଁ ଜିଲ୍ଲା ପ୍ରଶାସନ,ଜିଲ୍ଲା ଶ୍ରମ ବିଭାଗ ଓ ଜିନ୍ଦଲ ଷ୍ଟେନଲେସର ମିଳିତ ସହଯୋଗରେ ଏକ ଜିଲ୍ଲା ସ୍ତରୀୟ ସଚେତନତା ତଥା ଦକ୍ଷତା ବିକାଶ କାର୍ଯ୍ୟକ୍ରମ “ସୁରକ୍ଷା-୨୦୨୫” ଆୟୋଜିତ ହୋଇଛି। ସ୍ଥାନୀୟ ଜିନ୍ଦଲ ଷ୍ଟେନଲେସ ଲିମିଟେଡ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ଯାଜପୁର ଯୁଗ୍ମ ଶ୍ରମ କମିଶନର ଶିବ ଶଙ୍କର ମିଶ୍ର, ଡିଭିଜନାଲ ଶ୍ରମ କମିଶନର ସତ୍ୟନାରାୟଣ ଆଚାର୍ଯ୍ୟ, ଆଇଜିଏଫପି ନିର୍ଦ୍ଦେଶକ ବିକେ ସାହୁ,ଜେଏସଏଲର ୟୁନିଟ୍ ମୁଖ୍ୟ ଦୀପକ ଅଗ୍ରୱାଲ,ଜେଏସଏଲର ବିଜନେସ ମୁଖ୍ୟ ଅବନୀନ୍ଦ୍ର କୁମାର ସିଂ ଯୋଗ ଦେଇଥିଲେ। ଡିଭିଜନାଲ ଶ୍ରମ କମିଶନର ଶ୍ରୀ ଆଚାର୍ଯ୍ୟ ସ୍ଵାଗତ ବକ୍ତବ୍ୟ ଦେବା ସହ କର୍ମକ୍ଷେତ୍ରରେ ସୁରକ୍ଷା ଏବଂ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ବ ଦେଇଥିଲେ। ଏହା ପରେ ସୁରକ୍ଷା ସମ୍ବନ୍ଧୀୟ ବୈଷୟିକ ଅଧିବେଶନ ଆୟୋଜିତ ହୋଇଥିଲା,ଯେଉଁଥିରେ ସେବାନିବୃତ ଅଗ୍ନିଶମ ଅଧିକାରୀ,ସ୍ପର୍ଶ ହସ୍ପିଟାଲର ଡାକ୍ତର ରଞ୍ଜନ ସାହୁ, ଏନଏଲୟୁ ଦିଲ୍ଲୀର ଡ. ମାନ୍ ଏବଂ ପୂର୍ବତନ ଇଏସଆଇସି କମିଶନର ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଜିଲ୍ଲା ନିୟୋଜନ ଅଧିକାରୀ, ଜିଲ୍ଲା ଶ୍ରମ ବିଭାଗର ଅଧିକାରୀଗଣ ତଥା ବିଭିନ୍ନ କମ୍ପାନୀ ଓ ପ୍ଲାଣ୍ଟର ସେଫ୍ଟି ମୁଖ୍ୟ ତଥା ମାନବ ସମ୍ବଳ ଅଧିକାରୀଗଣ ଉପସ୍ଥିତ ଥିଲେ। ଡିଭିଜନାଲ ଶ୍ରମ କମିଶନର ସତ୍ୟନାରାୟଣ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments (0)
Add Comment