ମାଲକାନଗିରି,୧୪/୦୪(ପିପିଟି): ପ୍ରତିଶ୍ରୁତି ରକ୍ଷାକଲେ ପ୍ରକୃତି ବନ୍ଧୁ କରୁଣାକର ମଲ୍ଲିକ । ହନୁମାନ ମନ୍ଦିରକୁ ଦଶ ହଜାର ଟଙ୍କାର ଚେକ୍ ପ୍ରଦାନ କଲେ । ପବିତ୍ର ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ତଥା ଓଡ଼ିଆ ନବବର୍ଷ ପାଳନ ଅବସରରେ ନିଜର ପ୍ରତିଶ୍ରୁତି ରକ୍ଷା କରିଛନ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ଆଦର୍ଶ ଶିକ୍ଷକ, ବରିଷ୍ଠ କବି, ସମାଜ ସେବୀ, ପ୍ରକୃତି ବନ୍ଧୁ କରୁଣାକର ମଲିକ। ୨୦୨୧ ମସିହାରେ ରାଜ୍ୟ ସରକାରଙ୍କ ପରିବେଶ ଓ ଜଙ୍ଗଲ ବିଭାଗ ତରଫରୁ ” ପ୍ରକୃତି ବନ୍ଧୁ ” ପୁରସ୍କାର ବାବଦରେ ପାଇଥବା ଦଶ ହଜାର ଟଙ୍କା ପୁରୁଣା ଚିତାପାରି ହନୁମାନ ମନ୍ଦିର ପରିସରରେ ବୃକ୍ଷ ରୋପଣ ଓ ମନ୍ଦିର ପରିଚାଳନା ପାଇଁ ମନ୍ଦିର ପରିଚାଳନା କମିଟିକୁ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଯାହାକି ଗତ ସେପ୍ଟେମ୍ବର ମାସରେ ବିଭିନ୍ନ ଖବର କାଗଜ ରେ ପ୍ରକାଶ ପାଇଥିଲା। କିନ୍ତୁ ସେ ସମୟରେ ତାଙ୍କ ଧର୍ମପତ୍ନୀ ସ୍ବର୍ଗତ ମଧୁସ୍ମିତାଙ୍କ ଅକାଳ ବିୟୋଗରେ ମ୍ରିୟମାଣ ହୋଇପଡିଥିଲେ। ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ଦରଖାସ୍ତ ଆହ୍ଵାନ ବେଳେ ତାଙ୍କ ସ୍ବର୍ଗତା ପତ୍ନୀ ମଧୁସ୍ମିତା ମଧ୍ୟ ଏ କଥା ଜାଣିଥିଲେ।ତେବେ ଆଜି ଏହି ପବିତ୍ର ଦିବସରେ ମନ୍ଦିର ପରିସରରେ ଭକ୍ତମାନଙ୍କ ଗହଣରେ ମନ୍ଦିର ପରିଚାଳନା କମିଟିର ସଭାପତି ଦେବା ପଡିଆମି, ସମ୍ପାଦକ ଲବ ପାତ୍ର, କୋଷାଧ୍ୟକ୍ଷ ଭକ୍ତରାମ ଦୋରା, ଗାଁ ନାୟକ ଶୁକୁ ମାଝିଙ୍କ ହାତରେ ଦଶ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଶ୍ରୀ ମଲିକ ବୃତ୍ତିରେ ଜଣେ ଶିକ୍ଷକ ହୋଇଥିଲେ ମଧ୍ୟ ପ୍ରବୃତ୍ତିରେ ଜଣେ ସୁସାହିତ୍ଯିକ, ପରିବେଶ ବିତ୍, ସମାଜ ସେବୀ ଭାବେ ଓଡ଼ିଶାରେ ବେଶ୍ ପରିଚିତ। ମନ୍ଦିର କମିଟି ଶ୍ରୀ ମଲିକଙ୍କ ଭବିଷ୍ୟତ ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ମନ୍ଦିର ନିର୍ମାଣ ସମୟରେ ତାଙ୍କର ଅନୁଦାନ କଥା ମନେ ପକେଇ ଭୂୟସୀ ପ୍ରଶଂସା କରିଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)