ବୁଗୁଡା,୧୧/୦୮(ପିପିଟି): ଜାଲ୍ ସାର୍ଟିଫିକେଟ ତଦନ୍ତ ଜାଣିଶୁଣି ବିଳମ୍ବିତ କରାଯାଉଥିବା ଅଭିଯୋଗ ହେଉଛି । ବିଭିନ୍ନ ସମୟରେ ଜାଲ୍ ସାର୍ଟିଫିକେଟ ତଦନ୍ତ ପାଇଁ ଅଭିଯୋଗ ହେବାପରେ ବିଇଓ କାର୍ଯ୍ଯାଳୟ ନିର୍ଦ୍ଦିଷ୍ଟ ସମୟ ମଧ୍ଯରେ ତଦନ୍ତ ସାରୁନାହାଁନ୍ତି। ସାମାଜିକ କର୍ମୀ ସମରଜିତ୍ ମହାନ୍ତି ତା-୨୬/୧୧/୨୦୨୧ ରେ ବୁଗୁଡା ବ୍ଲକର ଜଣେ, ପୁରୁଷୋତ୍ତମପୁର ବ୍ଲକର ୨ଜଣ ଏବଂ ଆସିକା ବ୍ଲକର ୪ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଲିଖିତ ଅଭିଯୋଗ ଡିଇଓ, ଡିପିସି,ଗଣ ଶିକ୍ଷା ମନ୍ତ୍ରୀ,ସଚିବ ଗଣ ଶିକ୍ଷା ବିଭାଗ, 5t ସଚିବ, କ୍ରାଇମବ୍ରାଞ୍ଚ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅବଗତ କରାଇ ଥିଲେ। ଆସିକା ବିଇଓ ତା-୦୩/୦୭/୨୦୨୩ ରେ ଶିକ୍ଷକ ଶିବରାମ ମହାନ୍ତିଙ୍କ ସାର୍ଟିଫିକେଟ ଜାଲ୍ ବୋଲି ଆସିକା ଥାନାରେ ଏତାଲା ଦେଇଥିଲେ। ଆସିକା ଥାନା କେଶ ନମ୍ବର ୩୭୧/୨୦୨୩ ରେ ମାମଲା ରୁଜ୍ଜୁ କରି ଶିକ୍ଷକ ଶିବରାମ ମହାନ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୁରୁଷୋତ୍ତମପୁର ବ୍ଲକର ୨ଜଣ ଶିକ୍ଷକ ହାଇସ୍କୁଲର ହୋଇଥିବାରୁ ତହା ଡିଇଓ ତଦନ୍ତ କରିବା କଥା। କିନ୍ତୁ ଡିଇଓ କାର୍ଯ୍ଯାଳୟ ତଦନ୍ତ ନକରି ଆଜି ପର୍ଯ୍ୟନ୍ତ କେଉଁ କାରଣରୁ ସୁରକ୍ଷା ଦେଇ ଆସୁଛନ୍ତି ବୋଲି ସମରଜିତ୍ ମହାନ୍ତି ପ୍ରଶ୍ନ କରିଛନ୍ତି। ଉକ୍ତ ୨ ଜଣ ଶିକ୍ଷକଙ୍କ ତଦନ୍ତ ସମ୍ପର୍କରେ ଜାଣିବା ପାଇଁ ସୂଚନା ତଥ୍ଯ ମଗାଯାଇଥିଲେ ମଧ୍ଯ ତଥ୍ଯ ନମିଳିବାରୁ ସୂଚନା କମିଶନରଙ୍କ ନିକଟରେ ଅଭିଯୋଗ ହୋଇଛି। ସେହିଭଳି ବୁଗୁଡାର ଶିକ୍ଷକ ବିନାୟକ ନାୟକଙ୍କ ସାର୍ଟିଫିକେଟ ତଦନ୍ତ ସମ୍ପର୍କରେ ମାର୍ଚ୍ଚ ୨୦୨୨ ରେ ବିଇଓ ଓ ଡିଇଓଙ୍କୁ ପଚାରିବାପରେ ତତ୍କାଳୀନ ବିଇଓ ପ୍ରସନ୍ନ କୁମାର ବେହେରା ତରବରିଆ ହୋଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଚିଠି ନମ୍ବର ୯୧୫, ତା-୦୪/୦୬/୨୦୨୨ ରେ ଚିଠି ଲେଖିଲେ। ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା,କଟକକୁ ଚିଠି ନମ୍ବର ୯୫୫,ତା- ୧୮/୦୬/୨୦୨୨ ଏବଂ ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ, ଓଡିଶା, ଭୁବନେଶ୍ବର କୁ ଚିଠି ନମ୍ବର ୯୫୮,ତା-୧୮/୦୬/୨୦୨୨ରେ ଚିଠି ଲେଖି ଚୁପ ବସିଛନ୍ତି ଶିକ୍ଷାଧିକାରୀ । ପରବର୍ତ୍ତି ସମୟରେ ଶିକ୍ଷା ଅଧିକାରୀ ଜାଣିଶୁଣି ତତ୍ପର ନଦେଖାଇ ନୀରବ ରହିବା ପଛରେ ଅନେକ ଗୁଜବ ଶୁଣିବାକୁ ମିଳୁଛି। ଏଥି ମଧ୍ଯ ରେ ଦୁଇଜଣ ବିଇଓ ବଦଳିଲେଣି। ଶିକ୍ଷକ ବିନାୟକ ନାୟକ ରାଜନୈତିକ ଓ ଅର୍ଥନୈତିକ ଚାପରେ ତଦନ୍ତକୁ ବିଳମ୍ବିତ କରିବାରେ ସଫଳ ହୋଇଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। 5t ସମସ୍ଯାର ଫଟାଫଟ ସମାଧାନ କରନ୍ତି ବୋଲି ପ୍ରଚାର ସର୍ବସ୍ବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ବାହାର ରାଜ୍ୟର ସାର୍ଟିଫିକେଟ ଯାଞ୍ଚରେ ବିଳମ୍ବ ହେଉଥିବା ଶିକ୍ଷା ବିଭାଗ ସଫେଇ ଦେଉଥିବାବେଳ ନିଜ ରାଜ୍ଯ ଓଡ଼ିଶାରେ ମଧ୍ଯ ସାର୍ଟିଫିକେଟ ଯାଞ୍ଚ ବିଳମ୍ବ କାହିଁକି ହେଉଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଶିକ୍ଷକ ବିନାୟକ ନାୟକଙ୍କ ସାର୍ଟିଫିକେଟ ଖୁବଶୀଘ୍ର ଯାଞ୍ଚ ଓ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ସହିତ ତଦନ୍ତରେ ଅବହେଳା ଓ ସୁରକ୍ଷା ଦେଇଥିବା ବିଇଓଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ପାଇଁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଦାବି କରିଛନ୍ତି।