ଶିକ୍ଷକଙ୍କ ତାଗିଦକୁ ଆତ୍ମହତ୍ୟା ପାଇଁ ପ୍ରରୋଚନା କୁହାଯାଇପାରିବ ନାହିଁ: ହାଇକୋର୍ଟ ।

କଟକ, ୧୬/୧୦(ପିପିଟି): ଶିକ୍ଷାନୁଷ୍ଠାନରେ ଶୃଙ୍ଖଳା ରକ୍ଷା କରିବା ଏବଂ ନିଶାଦ୍ରବ୍ୟ ସେବନରୁ ନିବୃତ୍ତ ରହିବାକୁ ଛାତ୍ରଛାତ୍ରୀଙ୍କୁ ତାଗିଦ୍ କରିବାକୁ ଆତ୍ମହତ୍ୟା ପାଇଁ ପ୍ରରୋଚନା ବୋଲି ଗ୍ରହଣ କରାଯାଇପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ଆତ୍ମହତ୍ୟା ପାଇଁ ପ୍ରରୋଚନା ଅଭିଯୋଗକୁ ପ୍ରମାଣିତ କରିବା ଲାଗି ଅପରାଧିକ ଉଦ୍ଦେଶ୍ୟ ଏବଂ ଆତ୍ମହତ୍ୟା ପାଇଁ ପ୍ରତ୍ୟକ୍ଷ କିମ୍ବା ଆଇନତଃ ଗ୍ରହଣଯୋଗ୍ୟ ପ୍ରରୋଚନାର ପ୍ରାଥମିକ ପ୍ରମାଣ ରହିବା ଆବଶ୍ୟକ। କେବଳ ସାଧାରଣ ଶୃଙ୍ଖଳାଗତ ପଦକ୍ଷେପ କିମ୍ବା ଶିକ୍ଷକଙ୍କ ତାଗିଦ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ବୋଲି ଧରାଯାଇପାରିବ ନାହିଁ ବୋଲି ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। କେନ୍ଦୁଝର ଜିଲ୍ଲା ଚମ୍ପୁଆସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଜଣେ ଶିକ୍ଷକ ଓ ହଷ୍ଟେଲ ୱାର୍ଡେନ୍ଙ୍କ ବିରୋଧରେ ଚମ୍ପୁଆ ଏସ୍ଡିଜେଏମ୍ ଅଦାଲତ ଗ୍ରହଣ କରିଥିବା ଅଭିଯୋଗର ବିଚାର ପ୍ରକ୍ରିୟାକୁ ରଦ୍ଦ କରିବା ଅବସରରେ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ମାମଲା ଅନୁଯାୟୀ, ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୬ ବର୍ଷୀୟ ଛାତ୍ର ୨୦୨୫ ଜୁଲାଇ ୧୨ ତାରିଖରେ ହଷ୍ଟେଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଛାତ୍ରଙ୍କ ପିତା ଅଭିଯୋଗ କରିଥିଲେ ଯେ ହଷ୍ଟେଲ କର୍ମଚାରୀ ଓ ଶିକ୍ଷକଙ୍କ ଶାରୀରିକ ଏବଂ ମାନସିକ ନିର୍ଯାତନା ଯୋଗୁଁ ତାଙ୍କ ପୁଅ ଏଭଳି ଚରମ ପଦକ୍ଷେପ ନେଇଥିଲେ। ଏହାକୁ ନେଇ ଚମ୍ପୁଆ ଥାନାରେ ଏତଲା ଦାଖଲ ହୋଇଥିଲା। ପୁଲିସ ତଦନ୍ତ ପରେ ଆତ୍ମହତ୍ୟା ପାଇଁ ପ୍ରରୋଚନା ଅଭିଯୋଗରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହା ଆଧାରରେ ଚମ୍ପୁଆ ଏସ୍ଡିଜେଏମ୍ ଅଦାଲତ ୨୦୨୫ ସେପ୍ଟେମ୍ବର ୨୪ ତାରିଖରେ ଶିକ୍ଷକ ଓ ହଷ୍ଟେଲ ୱାର୍ଡେନ୍ଙ୍କ ବିରୋଧରେ ଅଭିଯୋଗର ବିଚାର ପାଇଁ କଗ୍ନିଜାନ୍ସ ଗ୍ରହଣ କରିଥିଲେ। ନିମ୍ନ ଅଦାଲତଙ୍କ ଏହି ଆଦେଶକୁ ଚାଲେଞ୍ଜ କରି ସୁରେନ୍ଦ୍ରନାଥ ମିଶ୍ର ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତଦନ୍ତ ରିପୋର୍ଟ ଓ ଅନ୍ୟ ଛାତ୍ରମାନଙ୍କ ବୟାନରୁ ଜଣାପଡ଼ିଥିଲା ଯେ ଘଟଣା ଘଟିଥିବା ରାତିରେ ହଷ୍ଟେଲରେ କିଛି ଛାତ୍ର ନିଶାଦ୍ରବ୍ୟ ସେବନ କରୁଥିବାବେଳେ ଶିକ୍ଷକ ଓ ୱାର୍ଡେନ୍ ସେମାନଙ୍କୁ ଧରିଥିଲେ। ଏହାପରେ ଶିକ୍ଷକମାନେ ଛାତ୍ରମାନଙ୍କୁ ତାଗିଦ୍ କରିବା ସହ ଘଟଣା ସମ୍ପର୍କରେ ସେମାନଙ୍କ ଅଭିଭାବକଙ୍କୁ ଜଣାଇବେ ବୋଲି ସତର୍କ କରାଇଥିଲେ। ମୃତ ଛାତ୍ର ମଧ୍ୟ ସେହି ଦଳରେ ଥିଲେ। ଏଭଳି ପରିସ୍ଥିତିରେ କେବଳ ଶୃଙ୍ଖଳା ରକ୍ଷା ପାଇଁ ଦିଆଯାଇଥିବା ତାଗିଦ୍କୁ ଆତ୍ମହତ୍ୟା ପାଇଁ ପ୍ରରୋଚନା ବୋଲି ବିବେଚନା କରିବା ଲାଗି ଆବଶ୍ୟକ ଆଇନଗତ ଆଧାର ରହିବା ଜରୁରୀ ବୋଲି ହାଇକୋର୍ଟଙ୍କ ରାୟରୁ ସ୍ପଷ୍ଟ ହୋଇଛି।

Comments (0)
Add Comment