ଭଞ୍ଜନଗର, ୧୬/୯(ପିପିଟି): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ଆହୂତ ପ୍ରାଥମିକ ଶିକ୍ଷକ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ରେ ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସାମୁହିକ ଭାବେ ବିଦ୍ୟାଳୟ ବନ୍ଦ କରି ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ସମୂହ ଧାରଣା ଦେଇଛନ୍ତି।ସେମାନଙ୍କ ଦାବିକୁ ଯଥାର୍ଥ ଦର୍ଶାଇ ବିଭିନ୍ନ ମହଲରୁ ସମର୍ଥନ ମିଳିବାରେ ଲାଗିଛି।ଏଥିରେ ବିଭିନ୍ନ ରାଜନୈତିକ ଦଳ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ମଧ୍ୟ ଆସି ତାଙ୍କ ସହିତ ସ୍ୱର ମିଳାଇଛନ୍ତି। ଦାବିଗୁଡିକ ମଧ୍ୟରେ ରାଜ୍ୟରେ ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷାକର୍ମୀ ତଥା ଶିକ୍ଷା ସହାୟକ ମାନଙ୍କ ଠିକା କାର୍ଯ୍ୟକାଳକୁ ଛଅଟି ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରି ରେ ଗଣନା କରିବା ସହିତ ଏକ୍ସ୍ କ୍ୟାଡ଼ର ଶିକ୍ଷକ ମାନଙ୍କୁ କ୍ୟାଡ଼ର ଭୁକ୍ତ କରିବା ଏବଂ କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ର ମାନ୍ୟତା ପ୍ରଦାନ,ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ଓ ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ କରିବା। ଏହି ସଂକ୍ରାନ୍ତୀୟ ଦାବୀପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ବ୍ଲକ ନେତୃମଣ୍ଡଳୀ ଦ୍ଵାରା ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଆଜି ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଓ ଆଇନଜୀବି ରାଜେନ୍ଦ୍ର ପ୍ରଧାନ ଓ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ, ଯୁବନେତା ଅଯୋଧ୍ୟାନାଥ ମହାପାତ୍ର ଓ ଅନ୍ୟମାନେ ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କ ସହ ଆଲୋଚନା କରି ଧର୍ଯ୍ୟ ଓ ସାହସ ଦେଇଥିଲେ।ସେହିପରି ପୂର୍ବରୁ କଂଗ୍ରେସ ଦଳ ପକ୍ଷରୁ ଯୁବ ସଭାପତି ସନ୍ତୋଷ କୁମାର ପ୍ରଧାନ ଓ ଛାତ୍ର କଂଗ୍ରେସ ସଭାପତି ବିନାୟକ ପାଣିଗ୍ରାହୀ ଓ ଅନ୍ୟମାନେ ଆସି ଭଲମନ୍ଦ ପଚାରି ବୁଝିଥିଲେ।
ରିପୋର୍ଟ-ଜେ କେ ପଟ୍ଟନାୟକ