ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉର୍ତ୍ସବ ।

ସିମୁଳିଆ,୩୦/୦୯: ଶିକ୍ଷକଙ୍କ ବିଦାୟକାଳୀନ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କାନ୍ଦ ବୋବାଳିରେ ବିଦାୟ ଦେଲେ ଶିକ୍ଷକଙ୍କୁ । ଖାଲି ସେତିକି ନୁହେଁ ଏକ ଖୋଲା ଗାଡ଼ିରେ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରି ଶିକ୍ଷକଙ୍କୁ ଘର ପହଞ୍ଚାଇ ଥିଲେ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅବଝୁଣା ପଞ୍ଚାୟତର ରାମକୃଷ୍ଣପୁର ଗ୍ରାମ ଠାରେ ଥିବା କାଂଚନ କମଳା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଦାମୋଦର ବନ୍ଧଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉର୍ତ୍ସବରେ । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ କାଞ୍ଚନ କମଳା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ଧଳଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଅଜୟ କୁମାର ପଣ୍ଡା ଯୋଗଦେଇ ଜଗନ୍ନାଥ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ରୟାଲ ବିଦ୍ୟାଳୟ ସମୂହର ନିର୍ଦ୍ଦେଶକ ପଦ୍ମଲୋଚନ ଦାଶ, ଅନ୍ୟତମ ଅତିଥି ଭାବେ ଅଣ୍ଡରାଇ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୂର୍ଯ୍ୟମଣି ବୋଇତି,ସିମୁଳିଆ ଓଷ୍ଟାର ସଭାପତି ଭଗବାନ ବାରିକ, ପୂର୍ବତନ ସଭାପତି କମଳାକାନ୍ତ ପତି, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ବାଙ୍କ ବିହାରୀ ରାଉତ ପ୍ରମୁଖ ଯୋଗ ଦେଇ ଶିକ୍ଷକ ଶ୍ରୀ ବନ୍ଧଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହି ମଞ୍ଚରେ ଶ୍ରୀ ବନ୍ଧଙ୍କୁ ବିଦ୍ୟାଳୟ ପକ୍ଷରୁ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିଦାୟ ଦେବା ଘଟଣା ସମସ୍ତଙ୍କ ଆଖି ଲୁହ ଛଳଛଳ କରିଦେଇଥିଲା । ପରେ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରେ ଆଲୁମିନି ଛାତ୍ରଛାତ୍ରୀ ଦ୍ଵାରା ପୁଷ୍ପ ସଜିତ ଖୋଲା ଗାଡ଼ିରେ ବିଦାୟୀ ଶିକ୍ଷକଙ୍କୁ ଗ୍ରାମ ପରିକ୍ରମା କରିବା ସହ ବାଉରିପଦା ଗ୍ରାମର ତାଙ୍କ ଘର ପର୍ଯ୍ୟନ୍ତ ନେଇଥିଲେ ।

Comments (0)
Add Comment