***ଶାସନ କଳ***

ହୁ.. ହୁ..ହୋଇ ବଜାର ଦର
ଆକାଶ ଛୁଆଁ ବୃଦ୍ଧି….
ବିକାଶ ନାମେ ବାଜେ ବାଇଦ
ଭ୍ରମିତ ହେଲା ବୁଦ୍ଧି…!!
ପୋଟ୍ରୋଲ ଦର ଶହେ ଆଠ
ଗାଡ଼ି ଖାଉଅଛି ଖତ…
କାନ୍ଦୁଲ ଡାଲି ଶହେ ସତୁରୀ
ପେଟକୁ ନାହିଁ ଭାତ…!!
ବିଜୁଳି ବିଲ୍ ଦେଖିଲେ ଆଖି
ତରାଟି ହୋଇ ପଡେ….
ମାସକୁ ମାସ ବିଲ୍ ଭରି
ଆଖି ରୁ ଲୁହ ଝରେ…!!
କିରୋସିନି ତ ସାତ ସପନ
ଥିଲା ଗରିବ ସାଥୀ….
ଗରିବ ମରେ ଅନ୍ଧାର ଘରେ
ବିଜୁଳି ଦେଲେ କାଟି…!!
ରସୁଣ ଅଦା ପିଆଜ ଆଳୁ
ପନିପରିବା ଦର….
ଶୁଣିଲେ ଥରେ ବଜାର ଯାଇ
ଅବେଳେ ଆସେ ଜ୍ବର…!!
କାମ ନାହିଁ କି ମଜୁରୀ ନାହିଁ
ଦାଦନ ଭୋଗେ କଷ୍ଟ….
ଖାଇବା ପାଇଁ ପାଞ୍ଚ ପରାଣୀ
ଭୋକରେ ଛଟପଟ….!!
ସରକାରିଆ ଚାକର ଯେତେ
ଦେଶକୁ କଲେ ଖୋଳ….
ନିଜକୁ ରାଜା ମଣିଣ ସଦା
ପ୍ରଜାଙ୍କୁ ହେଲେ କାଳ…!!
ଲାଞ୍ଚ ମିଛରେ ଚାଲେ ଶାସନ
ଗରିବ ନିଷ୍ପେସିତ…
ରକ୍ତର ଖେଳ ଗୁଣ୍ଡା ପ୍ରବଳ
ସର୍ବତ୍ର ଭୀତତ୍ରସ୍ତ….!!
ଜନତା ସ୍ବର କରି ନିରବ
ଚାଲିଛି ରାଜନୀତି….
ମିଛରେ ଆସି ପୋଲିସ ଭାଇ
ଠେଙ୍ଗା ଦେଖାଏ ନିତି…!!
ନେତା ମନ୍ତିରୀ ଯେତେକ ଆଜି
ସଭିଏଁ ଟାଉଟର….
କଥା ଗୋଟିଏ କାମ ଗୋଟିଏ
ନିଜ ପକେଟ୍ ଭର….!!
ଗରିବ ଏଠି ଗରିବ ହେଲା
ବେକାରୀ ମାଳ ମାଳ…..
ପେଟ ବିକଳେ ଦେହ ବେପାର
ଲୁଚି କରନ୍ତି ଖେଳ….!!
ମଦର ବନ୍ୟା ଗାଁ ଗାଁ ରେ
ସଂସ୍କାର ର ଚୁରମାର….
ଉଛନ ହୁଏ ସୁନା ସଂସାର
ଗଣ୍ଡଗୋଳଟି ସାର….!!
କିଏ କହୁଛି ବିକାଶ କଥା
ମୁହେଁରେ ଲାଜ ନାହିଁ…
ପ୍ରଜାଙ୍କ ଆଖି ଲୁହରେ ଭିଜେ
ସୁଖର ସ୍ବପ୍ନ କାହିଁ….?

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Comments (0)
Add Comment