ଶାଳୀନତା

ରଘୁଆ ଜଣେ କୃଷି ଶ୍ରମିକ ଥିଲା। ନିଜର ବୋଲି ଚାଷ ଜମି ବୋଲି କିଛି ନଥିଲା। ସେ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି। ଗାଁ ତା’ର ଶରଧା ପୁଟରେ । ଘର କହିଲେ ଝାଟିମାଟି ଚାଳ ଛପର। ବର୍ଷା ଦିନେ ହେଲେ ଘର ସାରା ପାଣି। ଗରିଵ ହେତୁ ସେ ପ୍ରତି ବର୍ଷ ଚାଳ ଛପର କରି ପାରି ନା । ଘରେ ସ୍ତ୍ରୀ ରତନୀ ଆଉ ପୁଅ ସୁରେଶ।
ସୁରେଶ ପାଠ ପଢେ ସରକାରୀ ବିଦ୍ୟାଳୟରେ । ରଘୁଆ ସିନା ପାଠ ସାଠ ପଢି ନି । ହେଲେ ତା ପୁଅ ସୁରେଶକୁ ଢେର୍ ସାରା ପାଠ ପଢାଇବ। ସେ ଦିନ ରାତି ଖଟିବ, ହେଲେ ପାଠ ପଠାଇବାରେ ଅବହେଳା କରିବ ନାହିଁ।
ଗାଁ ଗହଳରେ କାମ ଧନ୍ଦା କଣ? କେବେ ବର୍ଷା ଦିନ ଆସିଲେ ଚାଷବାସ। ତାପରେ କାମ ଅଭା। ଆଜି କାଲି ଆଉ ବଳଦ ରେ
ଲଙ୍ଗଳ ଯୋଚି କିଏ ଚାଷ କରୁ ନି । ଛୋଟ ବଡ଼ ଚାଷୀମାନେ, ଟ୍ରାକ୍ଟରରେ ଚାଷ କଲେଣି। ଧାନ ରୁଆ ଠାରୁ ଧାନ କଟା ପର୍ଯ୍ୟନ୍ତ ସବୁ ମେସିନ୍ ରେ କାମ। ଧାନ ବେଙ୍ଗଳା ବି ସେଇ ଟ୍ରାକ୍ଟର। ଧାନ ଠେଙ୍ଗାରେ ପୂର୍ବପରି ଆଉ କିଏ ବଳଦରେ ଧାନ ମନ୍ଥୁ ନାହାଁନ୍ତି।
ଧୀରେ ଧୀରେ ଗାଁ ଗହଳିରେ ଥିବା କୃଷି ଶ୍ରମିକମାନେ ମଧ୍ୟ କାମ
ଧନ୍ଦା ନପାଇ ବେକର । ଏଣୁ ପେଟ ପାଇଁ ଲୋକମାନେ
ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୁଅନ୍ତି। ଦିନ ଥିଲା ରଘୁଆର ଚାହିଦା
ବେଶି ଥିଲା। ଗାଁ ଜମିଦାର ମାନେ ବର୍ଷା ଦିନ ଆସିଲେ, ଚାଷ କାର୍ଯ୍ୟ ପାଇଁ ରଘୁଆକୁ ଖୋସାମଦ କରନ୍ତି। କଅଁଳ କଥା କହି, ମନ ଜିଣନ୍ତି। କହନ୍ତି: ରଘୁଆ ମୋ ଜମିବାଡ଼ି କଥା ତୋତେ ଲାଗିଲା। ତୁ ଚାଷ କରିବୁ। ଯାହା ଆବଶ୍ୟକ ହେବ,ମାଗିବୁ। ଏମିତି କି ପାଖ ପଡିଶା ଗାଁ ଜମିଦାରମାନେ ମଧ୍ୟ ରଘୁଆକୁ କୃଷି କାର୍ଯ୍ୟ ପାଇଁ ଡାକନ୍ତି। କେହି କେହି ଅଗ୍ରିମ ଟଙ୍କା ମଧ୍ୟ ଦିଅନ୍ତି।
ରଘୁଆ ଗରିବ ଆଉ ସରଳ ଲୋକଟିଏ। ଯାହାକୁ ଥରେ ହଁ କରିଛି, ତା’ ବିଲରେ ହଳ କରିବ। କେହି ଯଦି ଅଧିକ ପାଉଣା ଦେବ, ସେ ନୀତି ଭ୍ରଷ୍ଟ ହୋଇ ଅନ୍ଯ ଜମିଦାରଙ୍କ ପାଖରେ କାମ କରିବ ନାହିଁ। ସେ କେବେ ପର ଧନ ପ୍ରତି ଲୋଭ କି ଲାଳସା ନାହିଁ। ଖଟିବ,ଖାଇବ। ମିଛ କହିବ ନାହିଁ, କି ଅନ୍ୟାୟ ଅନୀତି କରିବ ନାହିଁ। ହୁଏ ରଘୁଆ ନିର୍ଦ୍ଧନ ହୋଇ ପାରେ। ଦିନେ ଖାଇଲେ ଓଳିଏ ଉପାସ ରହି ପାରେ। ମାତ୍ର ତା ସଚ୍ଚୋଟ ପଣିଅକୁ କିଏ ବଳି ଯିବ ନାହିଁ। ରଘୁଆର ସ୍ତ୍ରୀ ରତନୀ ମଧ୍ୟ ସେମିତି ସରଳ ଓ ନିର୍ମଳ ହୃଦୟର ମହିଳା। ଘରର ସବୁ କାମ କଲା ପରେ ମଧ୍ୟ ବାହାରେ ଧାନ ରୁଆ କୁ ଯାଏ। ସ୍ବାମୀ ସ୍ତ୍ରୀ ଉଭୟେ ଖଟନ୍ତି। ଯେତେବେଳେ ଯାହା କାମ ମିଳେ କରନ୍ତି। ସଂସାର ଟା ସିନା ଦୁଃଖରେ ଚାଲିଛି। ହେଲେ ପରିବାରରେ ପୁଅକୁ ନେଇ ଚିନ୍ତା। ଏଥର ପୁଅ ସୁରେଶ ର ମେଟ୍ରିକ୍ ପରୀକ୍ଷା। ମେଟ୍ରିକ୍ ପାଶ କଲେ, କଲେଜରେ ନାଁ ଲେଖା । ଏଥି ପାଇଁ ଅଧିକ ଅର୍ଥ ଆବଶ୍ୟକ। ଚିନ୍ତାରେ ସ୍ବାମୀ ସ୍ତ୍ରୀ ଉଭୟେ।
ସୁରେଶ ମେଟ୍ରିକ୍ ପରୀକ୍ଷା ଦେଲା ଆଉ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହେଲା । ରଘୁଆ ପୁଅ ମେଟ୍ରିକ୍ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛି। ରଘୁଆ ଆଉ ରତନୀର ମନରେ ଅମାପ ଆନନ୍ଦ। ଭଗବାନ ତାଙ୍କ ଡ଼ାକ ଶୁଣିଲେ। ଧାର ଉଦ୍ଧାର କରି ସୁରେଶ ନାଁ କଲେଜରେ ଲେଖା ଗଲା। ସୁରେଶ ଗରିବ ଘରେ ଜନ୍ମ ହେତୁ, ସର୍ବଦା ଅଭାବ ଅନାଟନ ରେ ଚଳେ। ବାପା ରଘୁଆ କେବେ ହେଲେ, ସେ ସୁରେଶ ର ଦାବି ମୁତାବକ ଆବଶ୍ୟକତା କୁ ପରିପୂର୍ଣ୍ଣ କରି ପାରେ ନାହିଁ। ଏଣୁ ମନରେ ଦୁଃଖ। ସତରେ ଗରିବ ହୋଇ ଜନ୍ମ ହେବାଟା ଅଭିଶାପ।
ଗାଁ ରେ ଆଗ ଭଳି ରଘୁଆକୁ କେହି ଡାକନ୍ତି ନାହିଁ ଚାଷ କାମକୁ । ଆଉ କିଏ ଖୋସାମଦ କରନ୍ତି ନାହିଁ କାମକୁ। କିଏ ଅଗ୍ରୀମ ଅର୍ଥ ଦିଏ ନି କୃଷି ଶ୍ରମିକ ଭାବେ। ଧୀରେ ଧୀରେ ସମୟ ବଦଳି ଗଲା। ଗାଁ ଗାଁ ରେ ଦେଖା ଦେଲା କଳ ଲଙ୍ଗଳ । ଆଉ ବଳଦ ଚାଷର ଯୁଗ ଶେଷ
।ରଘୁଆ ହାତରେ କାମ ନାହିଁ। ବର୍ଷା ଦିନେ ତାକୁ କିଏ ଚାଷ କରିବାକୁ ଡାକନ୍ତି ନାହିଁ। ସେ କାମ ପାଇଁ ଜମିଦାର ଙ୍କ ନିକଟରେ ନେହୁରା ହୁଏ।
ବାବୁ,ଆପଣେ, ସାହୁକାରେ କହି ଯେତେ କାକୁତି ମିନତି ହେଲେ ମଧ୍ୟ ରଘୁଆକୁ କେହି ଚାଷକୁ ଡାକନ୍ତି ନାହିଁ। ଦିନକୁ ଦିନ ରୋଜଗାର ଅଭାବରୁ ଘର ସଂସାର ଚଳାଇବା କଷ୍ଟକର ହୋଇ ପଡିଲା। ରଘୁଆ ନିଜର ବଳଦ ଦି’ଟା ହାଟରେ ବିକି କିଛି ଋଣ କରଜ ସୁଝିଲା। ଆଉ କାହାର କିଛି ବାକି ଅଛି । ହେଲେ ଦାଣ୍ଡ କୁ ବାହାରିଲେ ସେଇ ଗୋଟାଏ କଥା: ଧାର ଟଙ୍କା ଫେରାଇବୁ କେବେ ? ଆଜି କାଲି କହି ଦିନ ଗଡ଼ି ଚାଲେ। ରଘୁଆ ଆଉ ଧାର କରଜ ବୁଝିବାରେ ଅକ୍ଷମ। ଉପାୟ ଶୂନ୍ୟ। ଯାହାକୁ ଯେତେ ମିଠା କଥା କହିଲେ ମଧ୍ୟ ରଘୁଆକୁ ଲୋକେ ତିରସ୍କାର କରନ୍ତି। କେହି କେହି ଧାର କରଜ ଠିକ୍ ସମୟରେ ପରିଶୋଧ ନକରିବାରୁ ଗାଳି ମନ୍ଦ ବି ଶୁଣେ। ଅଭାବେ ସ୍ବଭାବ ନଷ୍ଟ ପରି ଗାଁ ରେ ମୁଣ୍ଡ ଟେକି ଚାଲି ପାରେ ନାହିଁ। ଏଣେ ଅର୍ଥ ଅଭାବରୁ ସୁରେଶର କଲେଜ ଯିବା ବନ୍ଦ ରହିଛି। ସେ ପାଠ ନ ପଢି ସୁରାଟ ଯିବାକୁ ସ୍ଥିର କରିଛି। ଏକଥା ଶୁଣିଲା ପରେ ରଘୁଆର ମୁଣ୍ଡରେ ବଜ୍ରପାତ ହୋଇଛି। ରତନୀର ସ୍ବପ୍ନ ଥିଲା,ତା’ ପୁଅ ପାଠ ପଢି ସରକାରୀ ଚାକିରି ଖଣ୍ଡେ କଲେ, ତା’ର ଦୁଃଖ ଦୂର ହେବ। ମାତ୍ର ଭଗବାନ ଏ କଥାରେ କରିବା ପାଇଁ ଦେଲେ ନାହିଁ। ଶେଷରେ ଧାର କରଜ କରି ସୁରେଶ ଗଲା ସୁରାଟ। କେଉଁ ଏକ ଲୁଗା କଳରେ କାମ କରି ଦାଦନ ଖଟିବାକୁ ବାଧ୍ୟ ହେଲା।
ରଘୁଆ ଆଉ ରତନୀ ଦୁଇ ପ୍ରାଣୀ। ପୁଅ କ’ଣ ଟଙ୍କା ପଇସା ଦେଲେ ଚଳନ୍ତି। ଧୀରେ ଧୀରେ ବୟସ ବଢିବା ସହିତ ରଘୁଆକୁ ଚିନ୍ତା ଘାରିଲା। ସୁନା ଭଳିଆ ପାଠୁଆ ପୁଅଟା ଆଉ ଦୁଇ ତିନି ମାସ ହେଲା ଟଙ୍କା ଦେଉ ନାହିଁ। ଯେତେ ଚିଠି ପଠାଇଲେ ମଧ୍ୟ ଉତ୍ତର ନାହିଁ। ଗାଁ କୁ ବୁଲିଲା କରିବାକୁ ଆସୁ ନାହିଁ। ଏମିତି ଘଡି ସନ୍ଧି ମୁହୂର୍ତ୍ତ ଦେଇ ରଘୁଆର ସଂସାର ଗତିଶୀଳ। ସୁରାଟରୁ ଗାଁ କୁ ଯିଏ ଫେରେ ରତନୀ ପଚାରେ ମୋ ପୁଅ କେମିତି ଅଛି? କେହି କେହି କହନ୍ତି: ଭଲରେ ଅଛି ? କେହି କେହି କହନ୍ତି: ସେ କାହାକୁ ଭଲ ପାଇ ବାହା ହୋଇ ଗଲାଣି; କିଏ କହେ ସେ ମଦ ପିଇ ମାତାଲ୍ ହୋଇ ବୁଲୁଛି। କିନ୍ତୁ ରତନୀ ଏ ଶୁଣା କଥାକୁ ବିଶ୍ୱାସ କରେ ନାହିଁ। ତା ପୁଅ ସୁରେଶ ସୁନା ମୁଣ୍ଡାଟା। ଏମାନେ ସବୁ ବିରୋଧ କହୁଛନ୍ତି। ରତନୀ ପୁଅ କଥା ଭାବି ଭାବି ଦିନକୁ ଦିନ କଣ୍ଟା ହୋଇ ଯାଏ। ଚିନ୍ତା ଖାଏ ଗଣ୍ଡି,ଲୁଣ ଖାଏ ହାଣ୍ଡି ପରି ରତନୀ ପୁଅ କଥା ଭାବି ଭାବି ଜ୍ବର ରେ ପଡ଼ିଲା। ମନ ଆଉ ଦେହ ଭଲ ରହିଲା ନାହିଁ। ରଘୁଆ ହାତରେ ଟଙ୍କା ପଇସା ଅଭାବରୁ ରତନୀକୁ ଡାକ୍ତର ଖାନକୁ ଭଲ ଚିକିତ୍ସା ପାଇଁ ନେଇ ପାରିଲା ନାହିଁ। ଗାଁ ବଇଦ ପାଖରୁ ଚେର ମୂଳି ଆଣି ଖୁଆଇଲା। ଜ୍ବର ଭଲ ହେଲା ନାହିଁ। ରତନୀ ପୁଅ ପୁଅ ଝୁରି ହେଲା । ଶେଷରେ ରତନୀ ସବୁ ଦିନ ପାଇଁ ଚିର ନିଦ୍ରା ଗଲା। ସାହି ଭାଇ ମାନେ ରଘୁଆକୁ ସାହଯ୍ୟ କଲେ। ରତନୀ ଶବ ସଂସ୍କାର ହେଲା। ଗାଁ ଲୋକମାନେ କୁହା କୁହି ହେଲେ: ରଘୁଆ ମୋ ପୁଅଟା କୁଳାଙ୍ଗାର। ସୁରାଟ ଗଲା ଯେ ଗଲା, ଗାଁ କୁ ଫେରିଲା ନାହିଁ। ବାପା ମା ମଲେ କି ବଞ୍ଚିଲେ ଚିନ୍ତା କଲା ନାହିଁ। ଛି ଛି ଏମିତି ପୁଅ କାହାକୁ ନ ମିଳୁ। ରଘୁଆ କଣ ଉତ୍ତର ଦେବ। ସବୁ ଭାଗ୍ଯ ଫଳ କହି ଦି ଟୋପା ଲୁହ ଗଡାଇବା ଛଡ଼ା ଉପାୟ କିଛି ନାହିଁ।

ଶେଷରେ ରତନୀର ଶୁଦ୍ଧି କ୍ରିୟା ପାଇଁ ନିଜର ଝାଟିମାଟି ଘରଟିକୁ ସାହୁକାର ନିକଟରେ ବନ୍ଧକ ପକାଇ କିଛି ଟଙ୍କା ଆଣିଲା । ଶୁଦ୍ଧି କ୍ରିୟା ସମାପ୍ତ ହେଲା ପରେ ସହୁକାର ବିଷ୍ଣୁ ପ୍ରଧାନେ କହିଲେ: ରଘୁଆ ତୁ ଘର ଛାଡେ। ଯଦି ସେ ଘରେ ରହିବୁ ମାସିକ ଭଡା ଲାଗିବ। ରଘୁଆ କରିବ କଣ? ସାହୁକାରଙ୍କୁ ୧୦ ,୧୫ ଦିନ ରହିବା ଲାଗି ସମୟ ମାଗିଲା । କଣ୍ଟ ଶେଷ ହେଲା।ଘରର ଚାବିକାଠିକୁ ସାହୁକାରଙ୍କୁ ଦେଇ ରଘୁଆ ଭାଟାମାଟି ଛାଡ଼ିଲା । ଏବେ ରହିବ କେଉଁଠି। ଆର ଗାଁ ମନ୍ଦିର ହିଁ ସହା ଭରସା। ରଘୁଆ ଆର ଗାଁ ମଣି ପାଟଣାରେ‌ଥିବା ଜଗନ୍ନାଥ ମନ୍ଦିର କୁ ଗଲା। ପୂଜାରୀ ସହିତ କଥା ହୋଇ ମନ୍ଦିରରେ ଆଶ୍ରୟ ନେଲା। ମନ୍ଦିରର ବେଠି ବଗାରୀ କରି ଯାହା ମୁଠେ ପ୍ରସାଦ ମିଳିଲା ଖାଇ ହରି ନାମ ଜପିଲା।
କର୍ମ ଫଳ ଆଉ ଭାଗ୍ୟ ଫଳ ମଣିଷକୁ କେତେବେଳେ କେଉଁ ଆଡକୁ ନେବ କିଏ କହିବ? ରଘୁଆ ହିନ କପାଳ ପାଏ। ତା ଭାଗ୍ୟ ବଡ ଖରାପ। ଭଗବାନ ତା ଠାରୁ ସବୁ ଛଡାଇ ନେଇ ସର୍ବହରା କରି ନେଲେ। ବେଳେ ବେଳେ ରଘୁଆ ଲୁଚି ଲୁଚି କାନ୍ଦେ। ତା ହୃଦୟର କୋହ ଆଉ ଯନ୍ତ୍ରଣା କୁ କହିବ କାହାକୁ। ଅତି ଆପଣାର ରତନୀଟା ବି ଶେଷରେ ରଘୁଆର ହାତ ଛାଡି ଆର ପାରିକି ଚାଲି ଗଲା। ଅନ୍ତରର ବେଦନା କହିବ କାହାକୁ? ପୁଅଟା କୁଳାଙ୍ଗାର। ସେ ପୁଅକୁ କେତେ ଭଲ ପାଉଥିଲା। ସେ ବି ଧୋକା ଦେଲା। ଦୁନିଆରେ କାହାକୁ ଭରସା
ଆଉ ବିଶ୍ୱାସ କରିବ? ନିଜ ଜନ୍ମ କଲା ପୁଅ ପର ହୋଇ ଗଲା !
ରଘୁଆ ନିଜର ଦୁର୍ଦ୍ଦଶା ଦେଖି କାନ୍ଦେ। ତା ଅମାନିଆ ଲୁହ ଯାକ
ନିଗିଡ଼ି ପଡେ ଦୁଇ ଆଖିରୁ। ପୁଣି ନିଜକୁ ନିଜେ ବୁଝାଏ,ଏହା ପୂର୍ବ
ଜନ୍ମର କର୍ମଫଳ। ସୁରେଶ ଗାଁ ଯୁବକ ଠୁ ଖବର ପାଇଲା,ତା ମା ମରି ଯାଇଛି। ଶେଷରେ ସେ ଏକ କାର ଧରି ଆସିଛି ନିଜ ମାତୃଭୂମି କୁ । ଗାଁ ରେ କାରଟିଏ ପ୍ରବେଶ କଲା। ଲୋକମାନେ ହତବାକ୍ ହୋଇଗଲେ – ଏ କାର ଟି କାହାର? ଏ ବାବୁ ଜଣଙ୍କ କିଏ? ଦଶ ବର୍ଷ ପରେ ସୁରେଶ ଫେରିଛି,ତା ନିଜ ଗାଁ ଶରଧାପୁଟରେ। ତା ଘର ପାଖରେ ଗାଡି ଲାଗିଲା? ସେଇ ଝାଟିମାଟି ଘରେ ତାଲା ଝୁଲୁଛି। ବାପା କୁଆଡ଼େ ଗଲେ? ସୁରେଶ ପଚାରିଲା ଗାଁ ଲୋକଙ୍କୁ । ଗାଁ ଲୋକମାନେ ସକଳ ବୃତ୍ତାନ୍ତ ବଖାଣିଲେ। ସୁରେଶ ତାଙ୍କ ଘରକୁ ବନ୍ଧୁକରୁ ମୁକୁଳାଇ ସେଠାରେ ରହିଲା । ତା ବାପାଙ୍କୁ ଯାଇ ମନ୍ଦିର ବେଢ଼ା ରୁ ଉଦ୍ଧାର କଲା। ପିତା ପୁତ୍ର ମିଳନ ହେଲା। ଉଭୟେ ଆଲିଙ୍ଗନ ହୋଇ ଭୋ ଭୋ କାନ୍ଦିଲେ। ନିଜ ଝାଟିମାଟି ମାଟି ଘରକୁ ବାପପୁଅ ପ୍ରତ୍ୟାବର୍ତ୍ତନ କଲେ।

ସୁରେଶ ପ୍ରତି ମାସରେ ତାଙ୍କ ଗାଁ ର ଯେ କୌଣସି ଯୁବକ ହାତରେ ତା ବାପା ମାଙ୍କ ଖର୍ଚ୍ଚ ପଠାଏ। ମାତ୍ର ସେହି ଅର୍ଥ ଆତ୍ମସାତ ହୋଇ କରନ୍ତି ଗାଁ କୁ ଫେରନ୍ତା ସୁରଟ୍ ଯୁବକମାନେ। ଗାଁ କୁ ଆସି କିଛି ଦିନ ପାଇଁ ମଦ୍ଯ ପାନ,ଜୁଆ ଖେଳ ଖେଳି ଭ୍ରଷ୍ଟାଚାର ରେ ଲିପ୍ତ ରହନ୍ତି। କିନ୍ତୁ ସୁରେଶ ସଂସ୍କାର ସମ୍ପନ୍ନ ଯୁବକ। ତା ନାଁ ରେ ମିଥ୍ଯା ପଚାର କରି,ତା ଦେଇଥିବା ଟଙ୍କାକୁ ଆତ୍ମସାତ କରନ୍ତି। ସୁରେଶ ଚରିତ୍ର ବାନ ଯୁବକ। ସେ କେବେ ମଦ୍ଯ ପାନ କରେ ନାହିଁ କି କୌଣସି ଯୁବତୀକୁ ପ୍ରେମ କରି ବାହା ହୋଇ ନି। ଏ ସବୁ ଗୁଜବ। ସୁରେଶ ର ଗୋଟିଏ ମାତ୍ର ଲକ୍ଷ୍ଯ ଅର୍ଥ ରୋଜଗାର। ସୁରଟରୁ ବହୁ ଟଙ୍କା ରୋଜଗାର କରି ଗାଁ କୁ ଫେରିଛି। ସେ ଏଠାରେ ରହିବ। ଏଠି ଜମି କିଣି ଲୁଗା କଳ ବସାଇବ। ଆଉ ଗାଁ ଯୁବକଙ୍କୁ ରୋଜଗାର କ୍ଷମ କରାଇବ। ସତରେ ସୁରେଶର ସ୍ବପ୍ନ ସତ୍ଯ ହେଲା। ନିଜର ଝାଟିମାଟି ଘରଟି କିଛି ଦିନ ପରେ କୋଠାରେ ପରିଣତ ହୋଇଗଲା। ଯେଉଁ ମାନେ ରଘୁଆକୁ ଅସମ୍ମାନ କରୁଥିଲେ, ସେମାନେ ରଘୁନାଥ ଆଜ୍ଞା ବୋଲି ସମ୍ବୋଧନ କଲେ। ଯେତେ ଜମିଦାର ଆଉ ସାହୁକାର ଥିଲେ,ରଘୁଆକୁ ଖାତିର କଲେ। ରଘୁଆ ପାଞ୍ଚ ଦଶ ଖଣ୍ତ ଗାଁ ରେ ଧନୀ।
ସୁରେଶ ଗାଁ ମୁଣ୍ଡରେ ଲୁଗା କଳ ବସାଇ ବେକରୀ ଯୁବକ ମାନଙ୍କୁ ରୋଜଗାର ଦେଲା। ଶେଷରେ ଜମିଦାର ଘରର ଝିଅ ସହିତ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା। ବାପ ରଘୁଆ ପୁଅ ବୋହୂ କୁ ପାଇ ଅତ୍ୟନ୍ତ ଆନନ୍ଦରେ ରହିଲା।

(କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Comments (0)
Add Comment