ଶାନ୍ତିପୂର୍ଣ୍ଣ କ୍ୟାମ୍ପସ ନିର୍ବାଚନ ପାଇଁ ଏସ୍ପିମାନଙ୍କୁ ଆଇଜି ଡଃ ସତ୍ୟଜିତ ନାୟକଙ୍କ ନିର୍ଦ୍ଦେଶ ।

କଟକ,୦୬/୧୦(ପିପିଟି): ୨୦୨୬-୨୭ ଶିକ୍ଷାବର୍ଷରେ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ଓ ବିଭିନ୍ନ ଛାତ୍ର ସଂଗଠନର ନିର୍ବାଚନକୁ ଶାନ୍ତିପୂର୍ଣ୍ଣ, ଅବାଧ, ନିରପେକ୍ଷ ଓ ସୁଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାୟକ ସମସ୍ତ ଜିଲ୍ଲାର ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପୁଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଜାରି ନିର୍ଦ୍ଦେଶନାମାରେ ଶିକ୍ଷାନୁଷ୍ଠାନର ଶୈକ୍ଷିକ ପରିବେଶ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖି ପ୍ରତିଷେଧମୂଳକ ଓ ଆବଶ୍ୟକ ସୁରକ୍ଷା ପଦକ୍ଷେପ ନେବାକୁ କୁହାଯାଇଛି। ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ କ୍ୟାମ୍ପସ ଚିହ୍ନଟ କରି ମତଦାନ ଓ ଭୋଟ ଗଣତି କେନ୍ଦ୍ର ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପର୍ଯ୍ୟାପ୍ତ ପୁଲିସ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ ଓ ଭିଡ଼ ପରିଚାଳନା ପାଇଁ ବ୍ୟବସ୍ଥା କରିବାକୁ ଏସ୍ପିମାନଙ୍କୁ କୁହାଯାଇଛି।

ନିର୍ବାଚନ ସମୟରେ ଗଣ୍ଡଗୋଳ, ଗୋଷ୍ଠୀ ସଂଘର୍ଷ, ଧମକ, ହିଂସା ଓ ବେଆଇନ ସମାବେଶକୁ ରୋକିବା ସହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ପରିଚୟ କିମ୍ବା ସଂଗଠନ ନିର୍ବିଶେଷରେ ଦୃଢ଼ ଓ ନିରପେକ୍ଷ ଆଇନଗତ ପଦକ୍ଷେପ ନେବାକୁ ଡଃ ନାୟକ ନିର୍ଦ୍ଦେଶ ଦେଇଛନ୍ତି। କୁଳପତି, କୁଳସଚିବ, ଅଧ୍ୟକ୍ଷ, ନିର୍ବାଚନ କର୍ତ୍ତୃପକ୍ଷ ଓ ଅନ୍ୟ ସମ୍ପୃକ୍ତ ପକ୍ଷଙ୍କ ସହ ନିୟମିତ ସମନ୍ୱୟ ବୈଠକ କରି ସୁରକ୍ଷା ଆବଶ୍ୟକତା ଆକଳନ କରିବାକୁ କୁହାଯାଇଛି। “ଛାତ୍ରଛାତ୍ରୀମାନେ ଯେପରି ଶାନ୍ତିପୂର୍ଣ୍ଣ ଭାବେ ନିଜର ଗଣତାନ୍ତ୍ରିକ ଅଧିକାର ପ୍ରୟୋଗ କରିପାରିବେ ଏବଂ ଶିକ୍ଷାନୁଷ୍ଠାନର ଶୈକ୍ଷିକ ପରିବେଶ ଅବ୍ୟାହତ ରହିବ, ତାହା ନିଶ୍ଚିତ କରିବା ମଧ୍ୟ ପୁଲିସର ଦାୟିତ୍ୱ,” ବୋଲି ଡଃ ନାୟକ କହିଛନ୍ତି। ଛାତ୍ରଛାତ୍ରୀ, ପ୍ରାର୍ଥୀ ଓ ଛାତ୍ର ସଂଗଠନଗୁଡ଼ିକୁ ଶୃଙ୍ଖଳା, ପରସ୍ପର ସମ୍ମାନ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ବଜାୟ ରଖି ପୁଲିସ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ କେନ୍ଦ୍ରାଞ୍ଚଳ ପୁଲିସ ପକ୍ଷରୁ ଆହ୍ୱାନ କରାଯାଇଛି।

Comments (0)
Add Comment