କୋଦଳା,୨୩/୦୨(ପିପିଟି);ଶାଙ୍କୁଡା ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରେ ବ୍ୟାପକ ଅବ୍ୟବସ୍ଥା ନେଇ ଗ୍ରାହକ ଅସନ୍ତୁଷ୍ଟ ହୋଇଛନ୍ତି। ଆଗରୁ ସୁମଣ୍ଡଳ ବ୍ୟାଙ୍କ ଉପରେ ସମସ୍ତ ଜନସାଧାରଣ ନିର୍ଭର କରୁଥିବା ବେଳେ ଲୋକଙ୍କ ସୁବିଧା ପାଇଁ ଶାଙ୍କୁଡା ଠାରେ ଏକ ଶାଖା ଖୋଲାଯାଇଥିଲା। ଆଜି ବ୍ୟାଙ୍କ ଶାଖାରେ କିଛି ଲୋକ ଯାଇ ନୋୟୋର କଷ୍ଟମର ଫର୍ମ ମାଗିବା ପରେ ଶାଖା ପକ୍ଷରୁ ଫର୍ମ ଏଠାରେ ନାହିଁ କହି ଏକ ଲମିନେଟେଡ଼ ଫର୍ମ ଦିଆଯାଇ ତାକୁ ଜେରକ୍ସ କରି ଆଣିବା ପାଇଁ କହିବା ପରେ ଗ୍ରାହକ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି । ଆମେ ଫର୍ମ ମାଗିଲେ ଜେରକ୍ସ ପାଖକୁ ପଠାଉଛନ୍ତି କାହିଁକି, ଆମେ ଜେରକ୍ସ ଦୋକାନ କେଉଁଠାରୁ ପାଇବୁ ବୋଲି ହିତାଧିକାରୀ ଅଭିଯୋଗ କରିଥିଲେ । ଏପରିକି ଏହି ଶାଖାରେ ସପ୍ତାହରେ କେବଳ ଦୁଇ ଦିନ ନୂଆ ଆକାଉଣ୍ଟ ଖୋଲିବା ପାଇଁ ଲୋକଙ୍କୁ କୁହାଯାଉଥିବା ବେଳେ ସପ୍ତାହରେ ମାତ୍ର ଗୋଟିଏ ଦିନ ଆକାଉଣ୍ଟ ଖାତା ଅପଡେଟ କରିବା ପାଇଁ ବ୍ୟବସ୍ଥା ରହୁଥିବାରୁ ଲୋକମାନେ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି। ଏହି ବ୍ୟାଙ୍କଟି ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ହୋଇଥିବା ବେଳେ ପ୍ରାୟତଃ ସ୍ୱଳ୍ପ ଶିକ୍ଷିତ କିମ୍ବା ଅଶିକ୍ଷିତ ଲୋକ ବ୍ୟାଙ୍କକୁ ଆସି ଖାତା ଖୋଲିଥାନ୍ତି। ସପ୍ତାହରେ ଯଦି ଉକ୍ତ ଦୁଇଦିନ ରେ ଲୋକ ଆସିନଥାନ୍ତି ତେବେ ପୁଣି ତାଙ୍କୁ ଏକ ସପ୍ତାହ ଅପେକ୍ଷା କରିବାକୁ ପଡିଥାଏ। ଅପର ପକ୍ଷରେ କରୋନା ଯୋଗୁଁ ଏହି ଦୁଇ ଦିନରେ ଲୋକଙ୍କ ଗହଳି ବେଶୀ ଲାଗିରହୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବ୍ୟାଙ୍କରେ ଲୋକଙ୍କ ଆବଶ୍ୟକତାକୁ ନେଇ କେ ୱାଇ ସି ଫର୍ମ ରହିବା ଆବଶ୍ୟକ ଥିବା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖାଦେଇଥିବା ଜଣାପଡିଛି । ସେପଟେ ବ୍ୟାଙ୍କ ଶାଖା ପରିଚାଳକ ଲୋକଙ୍କୁ ଦୁର୍ବ୍ୟବହାର ଦେଖାଉଥିବା ନେଇ ଆଜି ଜଣେ ବ୍ୟାଙ୍କ ଉପଭୋକ୍ତା ସମାଜସେବୀ ଟୁକୁନା ପ୍ରଧାନ ସଙ୍ଗିନ ଅଭିଯୋଗ କରିଥିବା ବେଳେ ବ୍ୟାଙ୍କରେ ଲୋକଙ୍କୁ ଠିକ ସେବା ଯୋଗାଯାଉ ନାହିଁ ବୋଲି ଆଉ ଦୁଇଜଣ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେମାନେ ରିଜିଓନାଲ ମ୍ୟାନେଜରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି। ଏ ସମ୍ପର୍କରେ ଉକ୍ତ ବ୍ୟାଙ୍କ ଶାଖା ପରିଚାଳକ ବଳରାମ ପତିଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏ ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ, ଏଠାରେ ୧୦୦୦୦ ରୁ ଅଧିକ ଖାତାଧାରୀ । ସମସ୍ତ ସମୟ ରେ ଫର୍ମ ସୁବିଧା ଏବଂ ମାଗଣା ରେ ଯୋଗାଇ ଦିଆଯାଇଥାଏ, ସୋମବାର କୌଣସି କାରଣ ବଶତଃ ଫର୍ମ ଶେଷ ହୋଇଯାଇଥିଲା ଏଣୁ ଆମ ପାଖରେ ଥିବା ଏକ ଲେମିନେସନ କପି ନେଇ ଜେରକ୍ସ କରି ଆଣିବାକୁ ପରାମର୍ଶ ଦେଇଥିଲୁ, ସେ ବହୁତ ବ୍ୟସ୍ତଥିଲେ ନଚେତ ଦଶ ମିନଟ ମଧ୍ୟରେ ଆମେ ଜେରକ୍ସ କରି ଦେଇଥାନ୍ତୁ । ସପ୍ତାହକୁ ଦୁଇଦିନ ନୁହଁ ସବୁ କାର୍ଯ୍ୟ ଦିବସ ରେ ଖାତା ଖୋଲାଯାଉଥିବା ନେଇ କହିଥିଲେ ମେନେଜର ଶ୍ରୀ ପତି ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )