ଶହୀଦ ଲକ୍ଷ୍ମଣ ନାୟକଙ୍କ ଦୁଇଟି ପ୍ରତି ମୂର୍ତ୍ତି ଉଦଘାଟନ  ।

ମାଲକାନଗିରି,୦୯/୦୫(ପିପିଟି):ଜିଲ୍ଲାର ମହାନ ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତିକୁ ଚିରସ୍ଥାୟୀ କରିବା ପାଇଁ ଆଜି ମାଲକାନଗିରି ଜିଲ୍ଲାରେ ଦୁଇଟି ଭବ୍ୟ ସ୍ମୃତି ପ୍ରତି ମୂର୍ତ୍ତି ଉଦଘାଟିତ ହୋଇଯାଇଛି। ସମାଜ ସଂସ୍କାରକ ତଥା ବିଶ୍ୱପ୍ରେମୀ ପଦ୍ମଶ୍ରୀ ପରମହଂସ ବଳିଆ ବାବାଙ୍କ କରକମଳରେ ଏହି ମନ୍ଦିର ଦ୍ୱୟ ଲୋକାର୍ପିତ ହୋଇଛି। ପ୍ରଥମ ମନ୍ଦିରଟି ମାଲକାନଗିରି ମହିଳା ମହାବିଦ୍ୟାଳୟ ପରିସରରେ ଏବଂ ଦ୍ୱିତୀୟଟି ମାଥିଲି ଜଗନ୍ନାଥ ମନ୍ଦିର ପରିସରରେ ନିର୍ମିତ ହୋଇଛି। ବାବାଙ୍କ ମାର୍ଗଦର୍ଶନରେ ତାଙ୍କର ଅନୁଗାମୀମାନେ ଏହି ଅଭିନବ ପ୍ରକଳ୍ପକୁ ସଫଳ କରିଛନ୍ତି।ଏହି ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦବୋଧନ ଦେଇ ପଦ୍ମଶ୍ରୀ ବଳିଆ ବାବା ଏକ ଭାବପୂର୍ଣ୍ଣ ବାର୍ତ୍ତା ଦେଇଥିଲେ। ସେ କହିଥିଲେ ଯେ, ପ୍ରାୟତଃ ରାସ୍ତାକଡ଼ରେ ସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିଗୁଡ଼ିକ କେବଳ ସ୍ୱାଧୀନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସ ଭଳି କିଛି ନିର୍ଦ୍ଦିଷ୍ଟ ଦିନରେ ସମ୍ମାନ ପାଇଥାନ୍ତି, କିନ୍ତୁ ବର୍ଷର ଅନ୍ୟ ୩୬୧ ଦିନ ସେଗୁଡ଼ିକ ଅବହେଳିତ ଅବସ୍ଥାରେ ପଡ଼ି ରହେ। ଏହି ଦୟନୀୟ ସ୍ଥିତି ତାଙ୍କୁ ଗଭୀର ମର୍ମାହତ କରିଛି। ତେଣୁ ଶହୀଦଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ବଜାୟ ରଖିବା ପାଇଁ ଏଭଳି ସ୍ମୃତି ମନ୍ଦିର ନିର୍ମାଣ କରାଯାଇଛି, ଯେଉଁଠି ଜନସାଧାରଣ ପ୍ରତିଦିନ ଶ୍ରଦ୍ଧାର ସହ ଫୁଲ ଓ ଧୂପକାଠି ଦେଇ ପୂଜା କରିପାରିବେ। ଏହା ଯୁବପିଢ଼ିଙ୍କ ମନରେ ଦେଶପ୍ରେମ ଓ ସମର୍ପିତ ମନୋଭାବ ଜାଗ୍ରତ କରିବ।ବାବା ଆହୁରି ମଧ୍ୟ କହିଥିଲେ ଯେ, ମନ୍ଦିରରେ ଭଗବାନଙ୍କୁ ପୂଜା କରିବା ଏବଂ ଜଣେ ଦେଶପ୍ରେମୀ ଶହୀଦଙ୍କୁ ପୂଜା କରିବା ସମାନ ଫଳଦାୟୀ। ଏହା ଭକ୍ତର ପ୍ରାର୍ଥନା ପୂରଣ କରିବାରେ ସମର୍ଥ ହୋଇଥାଏ। ଆଗାମୀ ଦିନରେ ଦେଶର ଅନ୍ୟ ଶହୀଦମାନଙ୍କ ସ୍ମୃତିରେ ମଧ୍ୟ ଏଭଳି ପୂଜା ପ୍ରକ୍ରିୟା ଜାରି ରହିବ ବୋଲି ସେ ସୂଚନା ଦେଇଥିଲେ।ଏହି ସ୍ୱତନ୍ତ୍ର ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ସୋମନାଥ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାତି ମୁକୁନ୍ଦ ନାୟକ ଏବଂ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment