ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ,ଗାଙ୍ଗପୁରକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କଲେ ଛତ୍ରପୁର ବିଇଓ ।

ବେଲଗୁଣ୍ଠା,୧୧/୦୬(ପିପିଟି), ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ନିଜର ଶିକ୍ଷାଦାନ ଶୈଳୀ ଏବଂ ପରିବେଶ ସମ୍ପର୍କିତ କାର୍ଯ୍ୟକ୍ରମ ପାଇଁ ଗଞ୍ଜାମ ଜିଲ୍ଲାରେ ଏକ ସ୍ଵତନ୍ତ୍ର ମାନଚିତ୍ର ସୃ୍ଷ୍ଟି କରିଛି । ପ୍ରତ୍ୟେକ ବର୍ଷ ଏହି ବିଦ୍ୟାଳୟର ଶତ ପ୍ରତିଶତ ହାଇସ୍କୁଲ୍ ସାର୍ଟିଫିକେଟ ପରୀକ୍ଷା ଫଳ ସହିତ ଏହାର ସ୍ଵଚ୍ଛ ସବୁଜ ଶୈକ୍ଷିକ ପରିବେଶ ଛାତ୍ରଛାତ୍ରୀଙ୍କ ସମେତ ଉଚ୍ଚ କର୍ତୃପକ୍ଷଙ୍କୁ ମଧ୍ୟ ନିଜ ପ୍ରତି ଆକୃଷ୍ଟ କରିପାରିଛି । ଏହି ବିଦ୍ୟାଳୟଟି ଗତ ତିନି ବର୍ଷ ଧରି ଜିଲ୍ଲାର ଅନ୍ୟତମ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କୃତ ହୋଇଥିବା ବେଳେ ପରିବେଶ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଠାରୁ ଦୁଇ ଦୁଇ ଥର ରାଜ୍ୟ ବନ ପୁରସ୍କାର, ପ୍ରକୃତି ମିତ୍ର ଏବଂ ପ୍ରକୃତି ବନ୍ଧୁ ସମ୍ମାନ ଲାଭ କରିଛି । ତେଣୁ ଏଥିରେ ପ୍ରଭାବିତ ହୋଇ ବେଲଗୁଣ୍ଠା ବ୍ଳକ୍ ର ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବର୍ତ୍ତମାନର ଛତ୍ରପୁରର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅବିନାଶ ଶତପଥି ଏହି ବିଦ୍ୟାଳୟକୁ ମୋ ସ୍କୁଲ୍ ଯୋଜନାରେ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବା ପାଇଁ ଇଚ୍ଛା ପ୍ରକାଶ କରିବା ସହିତ ଏନେଇ ମୋ ସ୍କୁଲ୍ ପରିଚାଳନା ସଂଗଠନର ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପତ୍ର ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ଉକ୍ତ ଚିଠିରେ ଶ୍ରୀ ଶତପଥୀ ଉଲ୍ଲେଖ କରିଛନ୍ତି ଯେ ସେ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ପ୍ରଥମ ପୋଷ୍ଟିଂ ପାଇବା ପରେ ବେଲଗୁଣ୍ଠା ବିଇଓ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ସମୟରେ ବ୍ଳକ୍ ର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ସ୍ଵତନ୍ତ୍ର ଶିକ୍ଷଣ ଶୈଳୀ ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ବିଦ୍ୟାଳୟ ଗଠନ କ୍ଷେତ୍ରରେ ଥିବା ଦୂର ଦୃଷ୍ଟି ,ନିଷ୍ଠାପର ଉଦ୍ୟମ ସହ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀଙ୍କ ସହଯୋଗ ଯୋଗୁଁ ହିଁ ୧୯୯୫ ରେ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ସ୍ଥାପିତ ହୋଇଥିବା ଏହି ଉଚ୍ଚ ବିଦ୍ୟାଳୟଟି ବିଭିନ୍ନ ସଂଘର୍ଷ ମଧ୍ୟରେ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ଦୀର୍ଘ ଦଶ ବର୍ଷ ହେବ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଜାତୀୟ ତଥା ରାଜ୍ୟ ସ୍ତରୀୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ ସରକାରୀ ମେଡିକାଲ କଲେଜ୍, ଇଂଜିନିୟରିଙ୍ଗ୍ କଲେଜ୍ ଏବଂ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ପାରିଛନ୍ତି । ଏହି ବିଦ୍ୟାଳୟର ପୁରାତନ ଛାତ୍ରମାନେ ମୋ ସ୍କୁଲ୍ ଆନୂକୂଲ୍ଯରେ ବିଭିନ୍ନ ଜନହିତକର କାର୍ଯ୍ୟ ଯଥା ପରିବେଶ ସଚେତନତା ଓ ବୃକ୍ଷରୋପଣ, ଗରୀବ ଓ ନିସହାୟ ମାନଙ୍କ ପାଇଁ ଷ୍ଟ୍ରିଟ୍ ଷ୍ଟୋର୍ ମାଧ୍ୟମରେ ଶୀତ ବସ୍ତ୍ର ପ୍ରଦାନ ଏବଂ ରକ୍ତଦାନ ଶିବିର ଆୟୋଜନ କରି ସର୍ବସାଧାରଣରେ ବିଶେଷ ଆଦୃତ ହୋଇଛନ୍ତି । ତେଣୁ ଶୈକ୍ଷିକ କ୍ଷେତ୍ରରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉତ୍କୃଷ୍ଟ କରିବା ସହିତ ବିଭିନ୍ନ ଜାତୀୟ ସ୍ତରୀୟ ପରୀକ୍ଷା ପାଇଁ ଛାତ୍ର ଛାତ୍ରୀଙ୍କୁ ପ୍ରସ୍ତୁତ କରିବା ଦିଗରେ ଶ୍ରୀ ଶତପଥୀ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇଦେବାକୁ ପ୍ରତିଶୃ୍ତି ଦେଇଛନ୍ତି । ସେଥିପାଇଁ ଲକ୍ ଡ଼ାଉନ୍ ପରେ ବିଦ୍ୟାଳୟ ଖୋଲିଲେ ବିଦ୍ୟାଳୟର ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ ଏବଂ ସ୍ଥାନୀୟ ଶିକ୍ଷାବିତ୍ ଙ୍କୁ ନେଇ ଏକ ବୈଠକର ଆୟୋଜନ କରିବେ ବୋଲି ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି । ଶ୍ରୀ ଶତପଥୀ ଏହି ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କ ସମେତ ସମସ୍ତ ଶିକ୍ଷକ କର୍ମଚାରୀ ,ଅଭିଭାବକ ଓ ଅଞ୍ଚଳର ବୁଦ୍ଧିଜୀବି ଶ୍ରୀ ଶତପଥୀଙ୍କ ପ୍ରଚେଷ୍ଟାକୁ ଧନ୍ୟବାଦ ଜଣାଇଛନ୍ତି । ପ୍ରକାଶ ଥାଉକି ଶ୍ରୀ ଶତପଥୀ ଗଞ୍ଜାମ ଜିଲ୍ଲାର ଜଣେ ଦକ୍ଷ ଯୁବ ଗୋଷ୍ଠୀ ଶିକ୍ଷାଅଧିକାରୀ ହୋଇଥିବା ବେଳେ ବର୍ତ୍ତମାନ ସେ ଛତ୍ରପୁର ସମେତ ଖଲ୍ଲିକୋଟ ଏବଂ ଗଞ୍ଜାମ ବ୍ଳକ୍ ର ଶିକ୍ଷାଅଧିକାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment