ବାଲିଗୁଡା,୧୧/୦୮(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ ସଶକ୍ତି କରଣ ସଚେତନତା କାର୍ଯ୍ୟକ୍ରମ ସଂଯୋଜିକା ଶ୍ରୀମତୀ ସୁଲୋଚନା କହଁରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ବିଭୂତି ଭୂଷଣ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଆୟୋଜିତ ଏକ ଆଲୋଚନାଚକ୍ର ରେ ଛାତ୍ରୀ ମାନଙ୍କୁ ସଂଯମତା ରକ୍ଷା କରିବା,ନିଜେ ସତର୍କ ରହିବା ସହିତ ନିଜ ଅଞ୍ଚଳବାସୀଙ୍କୁ ସତର୍କ କରିବା, ନାରୀ ନିର୍ଯାତନାକୁ ରୋକିବା,ବାଲ୍ୟ ବିବାହକୁ ନାଁ କରିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା ଏବଂ କେହି ନିର୍ଯାତନାର ଶିକାର ହେଲେ କେଉଁ ପ୍ରକାରର କୌଶଳ ଅବଲମ୍ବନ କରିବେ, ଏବଂ କେଉଁ ସମସ୍ୟା ନିମନ୍ତେ କେଉଁ ଫୋନ୍ ନମ୍ବର ବ୍ୟବହାର କରିବେ ସେହି ବିଷୟରେ ଆଲୋଚନା ହୋଇଥିଲା ।ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ସାଧନ ବ୍ୟକ୍ତିତ୍ବ ଯଥା ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ସମୀର କୁମାର ବେହେରା, ଶିଶୁ ଓ ମହିଳା ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ସସ୍ମିତା ପ୍ରଧାନ, ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ଇନ୍ଦିରା ପଣ୍ଡା, ପୋଷଣ ବିଭାଗର ଗୋଷ୍ଠୀ ସଂଯୋଜିକା ଶ୍ରୀମତୀ ମଧୁମିତା ବଳିୟାରସିଂ, ଶକ୍ତିଶ୍ରୀ ସାଥୀ ସୁଶ୍ରୀ ଲକ୍ଷ୍ମୀପ୍ରିୟା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶକ୍ତିଶ୍ରୀ ସଶକ୍ତି କରଣ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କ ରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରୀ ଯୋଗ ଦେଇଥିବା ବେଳେ ସୁଶ୍ରୀ ଲକ୍ଷ୍ମୀପ୍ରିୟା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ