ଲୋକାର୍ପଣ ହେଲା କେନ୍ଦ୍ରୀୟ ବିଦ୍ୟାଳୟ ।

ଟିଟିଲାଗଡ଼,୧୯/୦୪: ଟିଟିଲାଗଡ଼ ଠାରେ ବହୁ ପ୍ରତୀକ୍ଷିତ କେନ୍ଦ୍ରୀୟ ବିଦ୍ୟାଳୟ ଆଜି ସାକାର ହୋଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟିଟିଲାଗଡ଼ ଗସ୍ତରେ ଆସି ସ୍ଥାନୀୟ ଧବଳେଶ୍ୱର ହାଇସ୍କୁଲ ପରିସରରେ ଚଳିତ ଶିକ୍ଷା ବର୍ଷରୁ ଅସ୍ଥାୟୀ ଭାବରେ ଆରମ୍ଭ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଶୁଭ ଉଦଘାଟନ କରିଛନ୍ତି । ଏହା ସହ ୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କୋଠା ଶିଳାନ୍ୟାସ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ହେଲିକେପ୍ଟର ଯୋଗେ ପୂର୍ବାହ୍ନ ପ୍ରାୟ ୧୦ଟାରେ ଟିଟିଲାଗଡ଼ ଡ଼ିଏଭି କଲେଜ ପଡିଆରେ ଓହ୍ଲାଇଥିବା ବେଳେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ, ଟିଟିଲାଗଡ଼ ବିଧାୟକ ନବିନ ଜୈନ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ କରିଥିଲେ । ତାଙ୍କୁ ଏକ ଵିଶାଲ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା ପରେ କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟନ ତଥା ଶିଳାନ୍ୟାସ ସ୍ଥଳକୁ ପାଛୋଟି ନିଆଯାଇଥିଲା । ଶିଳାନ୍ୟାସ ସ୍ଥଳରେ ଅନୁଷ୍ଠିତ ସଭାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାର ବିକାଶ ନେଇ ଦୁରଦୃଷ୍ଟି ତଥା ରାଜ୍ୟରେ ବିଜେପି ସରକାର ଗଠନ ପରେ ପିଏମ ଶ୍ରୀ ସ୍କୁଲ ଯୋଜନା ଲାଗୁ ହେବା ଓଡିଶା ବାସୀଙ୍କ ବଡ଼ ଉପଲବ୍ଧି ବୋଲି କହିଥିଲେ । ସେହିପରି ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼କୁ ଶୀତଲ ଗଡ଼ ଭାବରେ ଗଠନ ପାଇଁ ସେ ଆସନ୍ତା ଜୁଲାଇରେ ଏଠାରେ ଏକ ବଡ଼ ବନୋମହୋତ୍ସବ କାର୍ଯ୍ୟକ୍ରମ କରିବେ, ଏନେଇ ଟିଟିଲାଗଡ଼ବାସୀ ତାଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ସଭାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ବିଜେପି ସରକାରକୁ ଆସିଲେ ସୂର୍ଯ୍ୟ ଘର ଯୋଜନାରେ ୩୦୦ ୟୁନିଟ ବିଦ୍ୟୁତ ମାଗଣା ପାଇଁ ପ୍ରତିଶୃତି ଦେଇଥିଲା । ତାହା ପାଳନ ହେବ । ଟିଟିଲାଗଡ଼ ଠାରେ ନୂତନ ବିଦ୍ୟୁତ ଗ୍ରୀଡ଼ ସ୍ଥାପନ ହେବ ବୋଲି କହିଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଖୁବ ଶୀଘ୍ର ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନା ପ୍ରାୟ ୨ ବର୍ଷ ପୂର୍ବରୁ ନିର୍ମିତ୍ତ ନୂତନ କୋଠାକୁ ସ୍ଥାନାନ୍ତର ହେବ ବୋଲି କହିବା ସହ ଖାଲିଥିବା ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ପାଇଁ ପ୍ରତିଶୃତି ଦେଇଥିଲେ । ବଲାଙ୍ଗିର ସାଂସଦ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବିକାଶ କାର୍ଯ୍ୟର ଅବତାରଣା କରିଥିଲେ । ବିଧାୟକ ନବିନ ଜୈନ ଟିଟିଲାଗଡ଼ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ନେଇ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସଭିଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, କଣ୍ଟାବାଞ୍ଜି ବିଧାୟକ ଶ୍ରୀ ବାଗ, ଉପଜିଲ୍ଲାପାଳ ରେହାନ ଖତ୍ରୀ, ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଜୈନ, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ,କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଯୁଗ୍ମ କମିଶନର ଦିଲ୍ଲୀ ସୋମିତ ଶ୍ରୀବାସ୍ତବ, ସମ୍ବଲପୁର ରେଳ ବିଭାଗ ଏଡ଼ିଆରଏମ ଆନନ୍ଦ ସିଂ ପ୍ରମୁଖ ମଞ୍ଚାସିନ ଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସହକାରୀ କମିଶନର ବିରବଲ ଧିନୱା ଧନ୍ୟବାଦ ଅର୍ପଣ କରିଥିଲେ । ଦଳର ଜିଲା ସଭାପତି ଶ୍ରୀବତ୍ସ ବେହେରା, ସାଂସଦ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ, ନଗର ସଭାପତି ବୁଦ୍ଧିଆ ଆଚାର୍ଯ୍ୟ,ରଞ୍ଜୁ ରାଏମନ,ପ୍ରଦୀପ ସାହୁ,ସଞ୍ଜୟ ତ୍ରିପାଠୀ,ଅଶ୍ୱିନୀ ସାହୁ,ସୂର୍ଯ୍ୟ ଚୌଧୁରୀ, ଟୁନିଆ ପାଣିଗ୍ରାହୀ, କାଉନସିଲର ମନୋଜ ଜୈନ,ସୁନିତା ଦାଶ,ମହେନ୍ଦ୍ର ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment