***ଲାଞ୍ଚ***

ବର୍ତ୍ତମାନ ଯେ କୌଣସି ସରକାରୀ କାର୍ଯ୍ୟାଳୟକୁ କାମ ପାଇଁ ଗଲେ ଲାଞ୍ଚ ଦେବାକୁ ପଡିଥାଏ।ବିନା ଲାଞ୍ଚରେ କୌଣସି କାର୍ଯ୍ୟ
ସମ୍ଭବ ନାହିଁ। ଓଡ଼ିଆରେ କଂଗ୍ରେସ ଶାସନ କାଳରେ ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟର ପ୍ରବେଶ ପଥରେ ଲାଞ୍ଚ ମାଗିବା
ଏକ ଦଣ୍ଡନୀୟ ଅପରାଧ ଓ ଜେଲ୍ ଯିବାର ଫଳକ ଜନ ସଚେତନତା ପାଇଁ ଲଗାଯାଇଥିଲା । ମାତ୍ର ବିଜେଡି ସରକାର ଓଡ଼ିଶାରେ ୨୪ ବର୍ଷ ଶାସନ କଲା ପରେ ସେ ଫଳକୁ ଗୁରୁତ୍ବ ଦିଆ ଗଲା ନାହିଁ। କେବଳ “ମୋ ସରକାର” ର ଫଳକ ପ୍ରତି କାର୍ଯ୍ୟଳାୟ କାନ୍ଥରେ ଝୁଲା ଗଲା। ମାତ୍ର ଲାଞ୍ଚ ନେବା ଓ ଦେବାର ପ୍ରକ୍ରିୟା ଚାଲୁ ରହିଲା। ବିଜେପି ସରକାର ଓଡିଶାରେ
ଶାସନ କ୍ଷମତା କୁ ଆସିଲା ପରେ ” ମୋ ସରକାର” ଫଳକୁ ସବୁ ସରକାରୀ କାର୍ଯ୍ୟାଳୟରୁ ଅପସାରଣ କରାଗଲା।ହେଲେ ଦୁର୍ନୀତି ସଂପର୍କରେ କୌଣସ ଜନ ସଚେତନତା ରହିଲା ନାହିଁ।
ଫଳରେ ସବୁ ଅଫିସରେ ଲାଞ୍ଚ ବା ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀମାନଙ୍କୁ ମାନସିକ ଦରମା ଦିଆଯାଉଛି, ସେମାନେ ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ପାଇଁ। କିନ୍ତୁ ବିନା ଲାଞ୍ଚେ ସେବା ଜନ ସାଧାରଣଙ୍କୁ ମିଳିବାର ନାହିଁ।
ଯେଉଁଠି ନିର୍ମାଣ ଲାଗି ସରକାରୀ ଅନୁଦାନ ଆସୁଛି, ସେଠାରେ କାର୍ଯ୍ୟ ଗୁଡ଼ିକ ସଂପାଦନ ପାଇଁ ଟେଣ୍ଡର ଡକା ଯାଉଛି। ବିଲ୍ ପାଶ ପାଇଁ ୧୫ ରୁ ୨୦ ପ୍ରତିଶତ ଅର୍ଥକୁ ଠିକାଦାର ସଂପୃକ୍ତ କର୍ମଚାରୀମାନଙ୍କୁ ପିସି ଆକାରରେ ପ୍ରଦାନ କରୁଛି। ନତୁବା ବର୍ଷ ବର୍ଷ ଧରି ବିଲ୍ ହୋଇ ପାରୁ ନାହିଁ।ଏବେ ବହୁ ସରକାରୀ କାର୍ଯ୍ୟାଳୟଗୁଡିକରେ ଦୁର୍ନୀତି ବା ଲାଞ୍ଚ କୁ ବନ୍ଦ କରିବା ଲାଗି
ସିସିଟିଭି ଲାଗିଛି। ଏଥି ପାଇଁ ଗୁଡ଼ାଏ ଅର୍ଥ ରାଜ୍ଯ ରାଜ କୋଷରୁ ବର୍ବଦ ହେଉଛି। କିନ୍ତୁ ଯେଉଁ ସିସିଟିଭି ଦୁର୍ନୀତି ବା ଲାଞ୍ଚ କୁ ରେକର୍ଡ କରିବା ଲାଗି ଖଞ୍ଜା ଯାଇଛି, ସେହି ସିସିଟିଭି କ୍ରୟରେ ବି ଦୁର୍ନୀତି ଗନ୍ଧ ବାରି ହୋଇ ପଡ଼ୁଛି। ବର୍ତ୍ତମାନ ଅଫିସର, ଡାକ୍ତର, ଇଞ୍ଜିନିୟର, ବିଡ଼ିଓ, ତହସିଲଦାର,ଆର ଆଇ, ପୋଲିସ ଅଧିକାରୀ, ଶିକ୍ଷା ଅଧିକାରୀ, କୃଷି ଅଧିକାରୀ, ମତ୍ସ୍ୟ ଅଧିକାରୀ, ଉଦ୍ୟାନ ଅଧିକାରୀ, ଜଙ୍ଗଲ ଅଧିକାରୀ
ଇତ୍ୟାଦି ଅଫିସରମାନେ ନିଜ ନିଜ କ୍ବାର୍ଟର ବା ବାସସ୍ଥଳରେ
ପିସ୍ କୁ ହିସାବ କରି ନେଇଥାନ୍ତି। ନିଜ ଘରେ ତ ଆଉ ସିସିଟିଭି ଲାଗି ନାହିଁ।ଆଉ ଲାଞ୍ଚ କୁ ରେକର୍ଡ କରିବ କିଏ ? ପୂର୍ବେ କାର୍ଯ୍ୟଳୟ ଗିଡିକରେ ଟଙ୍କା ନେଣ ଦେଣ ହେଉଥିଲା । ଦୁର୍ନୀତି ହେବାରୁ ଚେକ୍ ରେ ଟଙ୍କା ପ୍ରଦାନ କରା ଯାଉଥିଲା।ଏବେ ଚେକ୍ ବଦଳରେ ଅନ୍ ଲାଇନ୍ ପେମେଣ୍ଟ ହେଉଛି। ତଥାପି ଆଗକୁ ପିସିଟା ଅଫିସର ବାସଭବନରେ ଦେଇ ଆସିଲେ, ପେମେଣ୍ଟ
ହେଉଛି। ଏହା ହେଉଛି ଦୁର୍ନୀତି ସିଧାସଳଖ ସୁପରିକଳ୍ପିତ ବ୍ୟବସ୍ଥା। ବାକି ଯେଉଁଠି ସରକାରୀ ଡାକ୍ତରୀ ସେବା ମାଗଣାରେ
ଯୋଗାଇବା କଥା, ସେଠାରେ ରୋଗୀ କ୍ଲିନିକ୍ କୁଆସିବା ପାଇଁ କୁହା ଯାଉଛି। କ୍ଲିନିକ୍ ରେ ନାନା ପରୀକ୍ଷଣ ନାଁ ରେ ମୋଟା ଅଙ୍କର ଅର୍ଥ ଦେବାକୁ ପଡେ । ଡାକ୍ତର ଚିଠା ପାଇଁ ହାତ ଗୁଞ୍ଜା
ନିଏ, ମୋଡିସି ଦୋକାନୀ ଠାରୁ ପିସି ନିଏ ଏବଂ କ୍ଲିନିକ୍ ରେ ଯାବତୀୟ ପରୀକ୍ଷା ପାଇଁ ମୋଟ ଅଙ୍କର ପିସି ନିଏ। ସରକାରୀ ଡାକ୍ତରମାନେ ରୋଗୀ ସେବା ପାଇଁ ସରକାର ମାନସିକ ଦରମା ଦେଉଥିଲେ ମଧ୍ୟ, ସବୁଠି ଖୋଲା ଖୋଲି ରୋଗୀଙ୍କୁ ଶୋଷଣ କରାଯାଉଛି। ଏଥି ପାଇଁ ରାଜ୍ଯ ସରକାରଙ୍କ ଆଜି ପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ପଦକ୍ଷେପ ନେବାକୁ ଦୁଃସାହସ କରୁ ନାହିଁନ୍ତି ।ବୋଧେ ରାଜ୍ୟ ସରକାର ଡାକ୍ତର ମାନଙ୍କୁ ଭୟ କରୁଛନ୍ତିି। ଅନ୍ୟ କ୍ଷେତ୍ରରେ ସରକାରୀ ଶିକ୍ଷକ, ଅଧ୍ୟାପକମାନେ ପ୍ରାଇଭେଟ୍ ଟ୍ଯୁସନ ବା କୋଚିଂ ଦେଇ ପାରିବେ ନାହିଁ। ଏଭଳି ଦୋଗଲା ପଣ ସରକାରଙ୍କ ରହିଛି। ତେଣୁ ଦୁର୍ନୀତି କୁ ଖୋଲାଖୋଲି ଉଲଂଘନ ହେଉଛି।
ଅନ୍ୟପକ୍ଷରେ ଦୁର୍ନୀତିକୁ ରୋକିବା ପାଇଁ ରାଜ୍ୟ ୩୦ ଜିଲ୍ଲାରେ ଦୁର୍ନୀତି ବିଭାଗ ରହିଛି। କିନ୍ତୁ ସେମାନେ କେବଳ ନିଜର ଚାକିରି ବଞ୍ଚାଇବା ପାଇଁ କାଁ ଭାଁ ରେଡ୍ କରୁଥିବା ବେଳେ ସବୁ ଜାଣି ସବୁ ଶୁଣି ଅନ୍ଧ ମୂକ ବଧିର ଭଳି ନିରବ ରହୁଛନ୍ତି। ବର୍ଷକୁ ଥରେ ଦୁର୍ନୀତି ସପ୍ତାହ ପାଳନ କରି ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇ କାର୍ଯ୍ୟ ଶେଷ କରି ଦିଅନ୍ତି। ତେବେ
ଯାହା ଯେପରି ପରମ୍ପରାଗତ ଦୁର୍ନୀତି ଚାଲିଛି, ବନ୍ଦ ହେବାର ନାଁ ଗନ୍ଧ ନାହିଁ। ପରବର୍ତ୍ତୀ ସମୟରେ ସାଧାରଣ ଲୋକମାନଙ୍କୁ
ଦୁର୍ନୀତି ସମ୍ପର୍କରେ ସଚେତନତା କରେଇବାର ନାହିଁ।
ପ୍ରତି ଦିନ ସବୁ କାର୍ଯ୍ୟଳୟେ ଯେକୌଣସି କାମ ପାଇଁ ଉତ୍କୋଚ ଗ୍ରହଣ କରା ଯାଉଛି, କୈାଣସି ଭିଜିଲାନ୍ସ କର୍ମଚାରୀମାନେ
ଆପଣା ଛାଏଁ ରେଡ୍ ହ୍ୟାଣ୍ଡଡ୍ ଧରିବାର ଅଦ୍ୟାବଧି ଦୃଷ୍ଟି
ଗୋଚର ହୋଇ ନାହିଁ। ସେହି ଭଳି ଆୟବର୍ହିଭୂତ ସମ୍ପତ୍ତି ଠୁଳ
ଅଭିଯୋଗ ସତ୍ବେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରା ନଯାଇ ପ୍ରିୟା ପ୍ରୀତି ତୋଷଣ ହେଉଛି।
ଇଞ୍ଜିନିୟରମାନେ ଯେଉଁ ଷ୍ଟାଡିୟମ, ବସଷ୍ଟାଣ୍ଡ,ରାସ୍ତା ଘାଟ,ବ୍ରିଜ, କୋଠା ବାଡି,ପାଚରୀ ନିର୍ମାଣ କରୁଛନ୍ତି। ସେଗୁଡିକର ସ୍ଥାୟୀତ୍ବ ନାହିଁ। କେଉଁଠି ବର୍ଷା ଦିନେ ପାଚେରୀ ଭୁଶୁଡ଼ି ଗଲାଣି ତ କେଉଁ କୋଠା ରୁ ପାଣି ଗଳୁଛି। କେଉଁ ରାସ୍ତାରୁ ପିଚୁ ମାସକ ପରେ ଉଠି ଯାଉଛି। ଏଥି ପାଇଁ ଗଣ ମାଧ୍ୟମରେ ବହୁ ବାର ଖବର ପ୍ରସାରିତ ହେଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷ ନିରବ। କୌଣସି ପ୍ରତିକ୍ରିୟା ନାହିଁ। କାରଣ ତଳୁ ଉପର ସମସ୍ତେ ଦୁର୍ନୀତି ରେ ସଂଶ୍ଳିଷ୍ଟ। ଆଜିକାଲି ନେତାମାନେ ସବୁ ଠାରୁ ଭ୍ରଷ୍ଟ। ନିର୍ବାଚନୀ ଚାନ୍ଦା ନାଁ ରେ ସରକାରୀ ଉଦ୍ୟୋଗ ଗୁଡ଼ିକୁ ଘରୋଇକରଣ ରେ ବ୍ୟସ୍ତ।ଚାନ୍ଦା ଦିଅ,ଧନ୍ଦା ନିଅ । ବର୍ତ୍ତମାନ କମ୍ବଳ ସାରା ବାଳ, ବାଛିବ କାହାକୁ। କେବଳ ସର୍ବସାଧାରଣ ନେତା ଏବଂ ସରକାରୀ କଳ ଦ୍ବାରା ଶୋଷିତ।
ଥାନା ଗୁଡିକର ଅବସ୍ଥା ସେୟା ।ଗରିବ ବା ସାଧାରଣ ଜନତାଙ୍କୁ
ନ୍ୟାୟ ମିଳିବର ନାହିଁ। ଯିଏ ଯେତେ ଅପରାଧ କରୁ ଟଙ୍କା ବଳରେ ସବୁ ରଫାଦଫା । ଗରିବଙ୍କୁ ଉଚିତ୍ ନ୍ୟାୟ ମିଳିବ ସହଜ ନୁହେଁ। ଗରିବ ଶୋଷିତମାନେ ସବୁଠି ଚରମ ଅବହେଳିତ। ଏଥି ପାଇଁ ବିପ୍ଳବର ଆବଶ୍ୟକତା ରହିଚି। ଯେଉଁ ଦିନ ପର୍ଯ୍ୟନ୍ତ ବିପ୍ଳବ ନହେବ ଦୁର୍ନୀତି ବା ଲାଞ୍ଚ ଖୋର ମନୋବୃତ୍ତି ହଟିବ ନାହିଁ। ଏହି ଦୁର୍ନୀତି ପାଇଁ ପ୍ରଗତିରେ ପ୍ରତିବନ୍ଧକ ସୃଷ୍ଠି ହୋଇଛି। ଆଜି ଦୁର୍ନୀତି ର ଚେର ସର୍ବତ୍ର କ୍ୟାନ୍ସର ପରି ବ୍ଯାପି ଯାଇଛି। ୟାକୁ ପ୍ରସମିତ କରିବାକୁ ହେଲେ
ଦୁର୍ନୀତି ବିରୁଦ୍ଧରେ ସ୍ବର ଶାଣିତ ହେବା ଆବଶ୍ୟକ। ଜନ ସାଧାରଣ ନ ଚାହିଁଲେ କିଛି ପରିବର୍ତ୍ତନ ହେବ ନାହିଁ। ଆମେ ଯେତେ ନିରବ ରହିବା, ଦୁର୍ନୀତି ସେତେ ବ୍ୟାପକ ହେବ।
ସରକାରୀ ଚାକିରି କ୍ଷେତ୍ରରେ ମଧ୍ୟ ପ୍ରିୟା ପ୍ରୀତି ତୋଷଣ। ଯେଉଁ ମାନେ ମୋଟା ଅଙ୍କର ଲାଞ୍ଚ ଦେଉଛନ୍ତି, ସେମାନେ ଅଯୋଗ୍ୟ ହେଲେ ମଧ୍ୟ ଯୋଗ୍ୟ ତାଲିକା ଭୁକ୍ତ ହୋଇ ସରକାରୀ ଚାକିରି ହାତଉଛନ୍ତି । ଗରିବ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଖଣ୍ଡେ ସରକାରୀ ଚାକିରି ପ୍ରାପ୍ତ ହେଉ ନାହିଁ। ନକଲି ସାର୍ଟିଫିକେଟ ଦେଇ ଗଧମାନେ ଚାକିରି କରୁଛି, ମାତ୍ର ସରକାରୀ ଶିକ୍ଷାନୁଷ୍ଠାନରେ ପଢି ଚାକିରି ନାହିଁ। ଏଭଳି ଭ୍ରଷ୍ଟାଚାର ଓ ଦୁର୍ନୀତି ଆଜି ସବୁଠି ପ୍ରତୀୟମାନ। ଏଣୁ ସମସ୍ତେ ସଜାଗ
ହୋଇ ଏହା ବିରୁଦ୍ଧରେ ବର୍ତ୍ତମାନ ବିପ୍ଲବ କରିବାର ସମୟ ଆସିଛି।

(ଆଲେଖ୍ୟ : କେଶବ ଚନ୍ଦ୍ର ନାୟକ,ଏତେ, ସମାଜ ବିଜ୍ଞାନ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Comments (0)
Add Comment