ଲଟେରୀ ମାଧ୍ୟମରେ ୧୬୭ ପରିବାରଙ୍କୁ ଗୃହ ବାଣ୍ଟିଲା ବିଏମସି ।

ଭୁବନେଶ୍ୱର,୩୧/୦୧(ପିପିଟି):ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୬୭ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ଆବଣ୍ଟନ କରାଗଲା ପକ୍କା ଘର । ଚନ୍ଦ୍ରଶେଖରପୁର ବୁଦ୍ଧ ବିହାର ହାଉସିଂ ପ୍ରକଳ୍ପରେ ୧୦ରୁ ଅଧିକ ବସ୍ତିର ୧୬୭ଟି ପରିବାରକୁ ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ,ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହ ଆବଣ୍ଟନ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବିଏମସି ମେୟର ସୁଲୋଚନା ଦାସ, କମିଶନର ତଥା ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା, ସ୍ଲମ ସେଟଲମେଣ୍ଟ କମିଟିର ଅଧ୍ୟକ୍ଷା ମହାମାୟା ସ୍ୱାଇଁ, ଅତିରିକ୍ତ କମିଶନର ରତ୍ନାକର ସାହୁ ଓ କୈଳାସ ଚନ୍ଦ୍ର ଦାସ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂପୃକ୍ତ ଓ୍ୱାର୍ଡ କର୍ପୋରେଟର, ବିଏମସି ଓ ବିଡିଏର ହିତାଧିକାରୀ, ଗଣମାଧ୍ୟମର ପ୍ରତିନିଧି ଓ ସାଲିଆସାହି, ସୁବାଷ ବୋଷ ନଗର ବସ୍ତି,ମହାବୀର ବସ୍ତି,ମାଛ ମାର୍କେଟ ବସ୍ତି,ଜଗନ୍ନାଥ ବିହାର ଗୋପାଳ ବସ୍ତି, ସହିଦ ଲକ୍ଷ୍ମଣ ବସ୍ତି,ପଳାଶୁଣୀ ମୁଣ୍ଡା ସାହି,ମା ଭଗବତୀ ବସ୍ତି,ମଙ୍ଗଳା ବସ୍ତି ଏବଂ ବିଡିଏ ଅନୁମୋଦିତ ବିଭିନ୍ନ ବସ୍ତିର ୧୬୭ ଜଣ ହିତାଧିକାରୀ ଏବଂ ସେମାନଙ୍କର ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ବସ୍ତିବାସିନ୍ଦାଙ୍କୁ ଦିଆଯିବାକୁ ଥିବା ଘର ଆଧୁନିକ ହେବ । ୬ ମହଲା ବିଶିଷ୍ଠ ଏହି ଆପାର୍ଟମେଣ୍ଟରେ ଲାଗିବ ଲିଫ୍ଟ । ଗଠନ ହେବ ସ୍ୱତନ୍ତ୍ର କମିଟି। ସଂପୃକ୍ତ ବ୍ଲକ ବା ଆପାର୍ଟମେଣ୍ଟର ସମସ୍ତ ଦାୟିତ୍ୱ ବୁଝିବ ଏହି କମିଟି । ଖାଲି ସେତିକି ନୁହେଁ, ସେଠାରେ ମଧ୍ୟ ମାର୍କେଟ କମ୍ପ୍ଲେକ୍ସ ତିଆରି ହେବ। ବୁଦ୍ଧ ବିହାର ହାଉସିଂ କଲୋନୀ ଭିତରେ ରହୁଥିବା ଲୋକମାନଙ୍କର ଆର୍ଥିକ ଉନ୍ନତି ପାଇଁ ସେମାନଙ୍କ ମଧ୍ୟ ମାର୍କେଟ କମ୍ପ୍ଲେକ୍ସ ଗୃହ ପ୍ରଦାନ କରାଯିବ ବୋଲି କହିଛନ୍ତି ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର । ସେ ଆହୁରି କହିଛନ୍ତି ଯେ, ଆର୍ଥିକ ବିକାଶ ସହ ହିତାଧିକାରୀଙ୍କ ପରପିଢୀର ଶିକ୍ଷା,ସ୍ୱାସ୍ଥ୍ୟ ଆଦି ପାଇଁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ସରକାର ବସ୍ତିରେ ରହୁଥିବା ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାକୁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ତାର ଫାଇଦା ନେବାକୁ ସେ ଆହ୍ୱାନ ଦେଇଛନ୍ତି । ବସ୍ତିରେ ରହୁଥିବା ମଧ୍ୟବିତ୍ତ ପରିବାର ପାଇଁ ସ୍ୱଳ୍ପ ମୂଲ୍ୟରେ ଗୃହ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା କିମ୍ବା ଉଚ୍ଛେଦ ହେବାକୁ ଥିବା ହିତାଧିକାରୀଙ୍କୁ ସରକାର ପର୍ଯ୍ୟାୟକ୍ରମେ ପକ୍କା ଘର ନିର୍ମାଣ କରି ଦେଉଛନ୍ତି । ଏଣିକି ଘରର ମାଲିକ ହେଉଛନ୍ତି ହିତାଧିକାରୀ। ସେହି ଘରର ଯତ୍ନ ନେବା ସହ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଦାୟିତ୍ୱ ମଧ୍ୟ ହିତାଧିକାରୀମାନଙ୍କର । ଘରର ରକ୍ଷଣାବେକ୍ଷଣ ସହ ପରିବେଶର ସୁରକ୍ଷାକୁ ହିତାଧିକାରୀମାନେ ସୁନିଶ୍ଚିତ କରିବା ପାଇଁ ମାନନୀୟା ମେୟର ସୁଲୋଚନା ଦାସ ପରାମର୍ଶ ଦେଇଛନ୍ତି । ଘର ସ୍ଥାନାନ୍ତର ବେଳେ କିମ୍ବା ସେଠାରେ ପହଞ୍ଚିବା ପରେ କୌଣସି ହିତାଧିକାରୀ ଯେପରି ଅସୁବିଧାରେ ନ ପଡନ୍ତି, ସେଥିପାଇଁ ବିଏମସି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପାନୀୟ ଜଳ,ବିଦ୍ୟୁତ୍ ଆଲୋକ ଆଦି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ମଧ୍ୟ ବିଏମସି ପକ୍ଷରୁ ଏହିପରି ସହାୟତା ଜାରି ରହିବ। ଗୃହ ଆବଣ୍ଟନରେ ସ୍ୱଚ୍ଛତା ରକ୍ଷା କରିବା ପାଇଁ ସମସ୍ତ ହିତାଧିକାରୀଙ୍କ ଉପସ୍ଥିତିରେ ଲଟେରୀ ମାଧ୍ୟମରେ ଗୃହ ଆବଣ୍ଟନ କରାଯାଉଛି । ଏହା ବାଦ ଯଦି କୌଣସି ହିତାଧିକାରୀ ଭୁଲ୍ ବସତଃ ଚଞ୍ଚକତା କରି କିମ୍ବା ମିଥ୍ୟା କାଗଜପତ୍ର ଦାଖଲ କରି ଘର ହାତେଇ ଥାନ୍ତି, ତେବେ ସେମାନଙ୍କୁ ଘରୁ ବାହାର କରିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ସେମାନଙ୍କ ନାମରେ ଏଫଆଇଆର କରାଯିବ ବୋଲି ସ୍ୱାଗତ ଅଭିଭାଷଣ ପ୍ରଦାନ ଅବସରରେ ସତର୍କ କରାଇ ଦେଇଛନ୍ତି ବିଏମ୍ ସି କମିଶନର ତଥା ବିଡିଏ ଉପାଧ୍ୟକ୍ଷ ଶ୍ରୀ ଚଞ୍ଚଳ ରାଣା । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଡେପୁଟି କମିଶନର ଅଜୟ କୁମାର ମହାନ୍ତି ଓ ସହକାରୀ କମିଶନର ସତ୍ୟଜିତ୍ ଦାସଙ୍କ ସହ ଟିମ୍ ବିଏମସି । ଶେଷରେ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଅତିରିକ୍ତ କମିଶନର ରତ୍ନାକର ସାହୁ । ନିଜ ନିଜ ସ୍ୱପ୍ନର ପକ୍କା ଘର ପାଇବା ପରେ ଖୁସିରେ ଆତ୍ମ ବିଭୋର ହୋଇପଡିଛନ୍ତି ହିତାଧିକାରୀ । କେହି କେହି ଖୁସିରେ କାନ୍ଦି ପକାଇଥିଲେ । ପକ୍କାଘର ପାଇଥିବାରୁ ସମସ୍ତେ ମେୟର, କମିଶନରଙ୍କ ସହ ବିଏମସି ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Comments (0)
Add Comment