ଭୁବନେଶ୍ୱର,୦୩/୦୭(ପିପିଟି):ପନି ପରିବା ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟବୃଦ୍ଧି ସାଧାରଣ ମଣିଷଙ୍କ ହାଣ୍ଡିଶାଳକୁ ଅଚଳ କରିଛି । ଟାଟା କମ୍ପାନୀ ଦ୍ୱାରା ବିଦ୍ୟୁତ ଗ୍ରାହକ ମାନଙ୍କୁ ନିର୍ମମ ଶୋଷଣ ଏବଂ ଘନ ଘନ ବିଜୁଳି କାଟ/ବିଭ୍ରାଟ ଜନଜୀବନ କୁ ଅସ୍ତବ୍ୟସ୍ତ କରିବା ସହିତ ‘ବେଡି ଉପରେ କୋରଡ଼ା ମାଡ଼ ସଦୃଶ୍ୟ’ ହୋଇଛି । ଜୁନ ମାସରେ ହାରାହାରି ବର୍ଷାର ପରିମାଣ ନିଅଣ୍ଟିଆ ଥିବାରୁ କୃଷି କ୍ଷେତ୍ରରେ ସଙ୍କଟ ସୃଷ୍ଟି କରିଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ବଣ୍ଟନରେ ଦୁର୍ନୀତି, ଜାଲିଆତି ଏବଂପକ୍ଷପାତିତା କାରବାର ଜାରି ରହିଛି ।କୃଷକମାନଙ୍କୁ ସଠିକ ସମୟରେ ବିହନ, ସାର, ଔଷଧ, ବ୍ୟାଙ୍କ ଋଣ ଇତ୍ୟାଦି ମିଳିବା ପାଇଁ କୌଣସି ଯୋଜନା ନାହିଁ ।
ଉଭୟ ସରକାର ଜନଗଣଙ୍କ ନଗଦ ସମସ୍ୟାକୁ ଅଣଦେଖା କରି ପ୍ରସଙ୍ଗ ବଦଳାଇବା ରାଜନୀତି ରେ ସିଦ୍ଧହସ୍ତ ହୋଇଛନ୍ତି । ଜନଗଣଙ୍କ ଜ୍ୱଳନ୍ତ ସମସ୍ୟାକୁ ସମାଧାନ କରିବା କ୍ଷେତ୍ରରେ କେନ୍ଦ୍ର ର ବିଜେପି ଏବଂ ରାଜ୍ୟର ବିଜେଡି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ।
ଜନସାଧାରଣଙ୍କ ଏହି ଜ୍ୱଳନ୍ତ ଏବଂ ନଗଦ ସମସ୍ୟା ଉପରେ ୧୦ ଟି ରାଜନୈତିକ ଦଳକୁ ନେଇ ଗଠିତ ଓଡିଶା ବଞ୍ଚାଅ ଅଭିଯାନ ତରଫରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସ୍ମାରକପତ୍ର ପ୍ରଦାନ କରିବା ପାଇଁ ଆହ୍ୱାନ ଦିଆଯାଇଛି ।
ଭୁବନେଶ୍ୱର ନେତାଜୀ ଭବନ ଠାରେ ଅନୁଷ୍ଠିତ ଏହି ବୈଠକରେ ଗୃହୀତ ପ୍ରସ୍ତାବ ରେ କୁହାଯାଇଛି ଯେ ଜନଗଣଙ୍କ ଜ୍ୱଳନ୍ତ ସମସ୍ୟା ଉପରେ ବିଜେପି ବିରୋଧରେ ଥିବା ଓଡିଶା ର ସମସ୍ତ ଅଣ ବିଜେଡି ଦଳମାନଙ୍କୁ ଏକାଠି କରି ‘ପ୍ରଚାର ଅଭିଯାନ ଏବଂ ଆନ୍ଦୋଳନ ର ମଇଦାନ’ କୁ ଓଲ୍ହାଇବା ପାଇଁ ପ୍ରୟାସ ଜାରି ରହିବ । ଏହି ଆଭିମୁଖ୍ୟ ସମ୍ପର୍କ ରେ କଂଗ୍ରେସ ସମେତ ସମସ୍ତ ସମଭାବାପନ୍ନ ଦଳ ସହିତ ଆଲୋଚନା କରାଯିବ ।
ଆଜିକାର ବୈଠକ ରେ ସମତାକ୍ରାନ୍ତି ଦଳ, ସିପିଆଇ, ସି ପି ଆଇ(ଏମ), ସିପିଆଇ-ଏମଏଲ(ଲିବେରେସନ), ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ସମାଜବାଦୀ ପାର୍ଟି, ଆର ଜେ ଡି, ଆର ପି ଆଇ, ସମୃଦ୍ଧ ଓଡିଶା, ସି ପି ଆଇ-ଏମ ଏଲ(ରେଡଷ୍ଟାର) ପ୍ରମୁଖ ଦଳର ରାଜ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କ ଆବାହକତ୍ବ ରେ ଅନୁଷ୍ଠିତ ଏହି ବୈଠକ ରେ ସର୍ବଶ୍ରୀ ଅଳି କିଶୋର ପଟ୍ଟନାୟକ, ଅଭୟ ସାହୁ, ଅଶୋକ ପ୍ରଧାନ, ଜ୍ୟୋତି ରଞ୍ଜନ ମହାପାତ୍ର, ରବି ବେହେରା, ହେମନ୍ତ କୁମାର, ଶେଖ ଅବଦୁଲ ୱାଲୀ, ନିରାକାର ବେଉରା, ପ୍ରମିଳା,ଆଶୀଷ କାନୁନଗୋ, ସୁରେଶ ପାଣିଗ୍ରାହୀ,ମହେନ୍ଦ୍ର ପରିଡା,ପୂର୍ଣଚନ୍ଦ୍ର ପାଢ଼ୀ, ଶରତ ଚରଣ ଜେନା,ତୁଷାର ରଞ୍ଜନ ପଣ୍ଡା ଏବଂ ଅରୁଣ ଜେନା ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।