ଲଗାତାର ଚଢ଼ାଉ :ଯାଜପୁର ଜିଲ୍ଲାରେ ମାଫିଆ ମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି କଲାଣି ଖଣି ବିଭାଗ ।

ଯାଜପୁର,୨୪/୦୫(ପିପିଟି):ଲଘୁ ଖଣିଜ ଲୁଟକୁ ନେଇ ସାରା ରାଜ୍ୟ ଚର୍ଚ୍ଚାରେ ରହିଥିବା ବେଳେ ପୂର୍ବ ସରକାର ସମୟରେ ମାଫିଆ, ରାଜନେତା ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ମିଲିଭଗତ ରେ କୋଟି କୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ ଲୁଟ ହୋଇଛି। ଯାହାକୁ ରୋକ ଲଗାଇବାରେ ବିଫଳ ହୋଇ ପଡ଼ିଥିଲେ ବିଜେଡି ସରକାର। ଏହାକୁ ନେଇ ରାଜ୍ୟ ରାଜନୀତିରେ ଏକ ପ୍ରକାର ଝଡ଼ ବୋହିଥିବା ବେଳେ ବିଜେଡି ସରକାର ଏକ ପ୍ରକାର ବଦନାମ ହେବା ସହ ଲୋକେ ମଧ୍ୟ ସରକାର ବଦଳେଇବା ପାଇଁ ସ୍ଥିର କରିଦେଇଥିଲେ। ନୂଆ ବିଜେପି ସରକାର ସମୟରେ ଖଣି ମାଫିଆଙ୍କୁ ସାବାଡ଼ କରିବାକୁ ଜିଲ୍ଲା ଖଣି ଅଧିକାରୀଙ୍କୁ ସରକାର ଏନେଇ ପତ୍ର ଲେଖିବା ସହ ତାଗିଦ ମଧ୍ୟ କରିଛନ୍ତି। ଯାହାର ସଦ୍ୟ ତମ ଉଦାହରଣ ଯାଜପୁର ଜିଲ୍ଲା ଖଣି ଉପ ନିର୍ଦେଶକଙ୍କ ଠାରେ ଦେଖିବାକୁ ମିଳିଛି। ମାଫିଆଙ୍କୁ ଚେକ ଦେବାପାଇଁ ଏକ ପ୍ରକାର ଯୋଜନା ପ୍ରସ୍ତୁତ କରି ଦୈନିକ ବେଆଇନ୍ ଭାବେ ପରିବହନ ହେଉଥିବା ବାଲି,ମାଙ୍କଡ଼ା,ମାଟି, ମୋରମ୍ ଏବଂ କଳାପଥର ଗାଡି ଗୁଡିକୁ ଧରିବା ପାଇଁ ଏନ୍ଫୋର୍ସମେଣ୍ଟ ଟିମ ଗଠନ କରିଛନ୍ତି। ଏଇ କିଛି ମାସ ହେବ ଯାଜପୁର ଜିଲ୍ଲାରେ ବେଆଇନ ପରିବହନ ହେଉଥିବା ଗାଡି ଗୁଡିକୁ ଜବତ କରିବା ସହ ମାଫିଆ ମାନଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେହିପରି ଜିଲ୍ଲାରେ ଗତ ୩ଦିନରେ ୧୫ଟି ସ୍ଥାନରେ ଚଢ଼ାଉ କରି ୩୦ରୁ ଉର୍ଦ୍ଧ୍ବ ହାୱାଇ, ଟ୍ରାକ୍ଟର ଏବଂ ମେସିନ ଜବତ କରାଯାଇଥିବାର ଖଣି ଅଧିକାରୀ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଯାଜପୁର ସର୍କଲ ଜୁନିଅର ମାଇନିଂ ଅଫିସର ଏବଂ ପୁଲିସ ସହାୟତା ରେ ଯାଜପୁର ଜିଲ୍ଲାର ମୋଟ ୧୫ ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ଚଢାଉରେ ଡିଡିଏମ୍ ଯାଜପୁର ସର୍କଲର ଜୁନିଅର ମାଇନିଂ ଅଫିସର ବିଶ୍ୱଜିତ୍ ସ୍ବାଇଁ,ଅଶୋକ କୁମାର ମହାନ୍ତି, ଛାୟାକାନ୍ତ ମହାନ୍ତ, ଦିପ୍ତା ସୁନ୍ଦର ସେଠୀ, ରାହୁଲ କୁମାର, ସେଖର କୁମାର ମଲ୍ଲିକ, ସିତେଶ କୁମାର ନାୟକ ଦ୍ବାରା ଯାଜପୁର ଜିଲ୍ଲାର ପ୍ରାୟତଃ ସମସ୍ତ ତହସିଲ ଅଧିନ ରସୁଲପୁର,ଦାନଗଦି,ଦଶରଥପୁର, ବରୀ,ବିଞ୍ଝାରପୁର,ବ୍ୟାସନଗର, ଯାଜପୁର,ଦର୍ପଣ ଏବଂ ଧର୍ମଶାଳା ତହସିଲ ଆଦି ଅଞ୍ଚଳରେ ଚଢ଼ାଉ କରାଯାଇଛି। ବିଶେଷକରି ଟିକରପଡା, ପଙ୍କପାଳ,ଦେବିଗୋଡା,ଦିଗାମ୍ବରପୁର, ବିରିବାଟି, ପାଣିକୋଇଲି, ଜାବରା, ପାଇକରାପୁର, କଟିଆ, ଜୋକାଡିଆ, ଚକୁଆ, ସେରାପୁର, ବ୍ରାହ୍ମଣୀଗାଓଁ ଏବଂ ବାଲିଚନ୍ଦ୍ରପୁର ଥାନା ଅଧିନ ମାଣ୍ଡୁକା ଅଞ୍ଚଳରେ ଖଣି ଉପନିର୍ଦେଶକ, ଯାଜପୁର ଖଣି ମଣ୍ଡଳ ଏବଂ ଜିଲ୍ଲା ଖଣି ଅଧିକାରୀଙ୍କ ତତ୍ଵାବଧାନରେ ରେଡ କରାଯାଇଥଲା। ପ୍ରାୟ ୩୦ରୁ ଉର୍ଦ୍ଧ୍ବ ହାୱାଇ, ମେସିନ ଏବଂ ଟ୍ରାକ୍ଟର ଜବତ କରିବା ସହ ସମସ୍ତ ଗାଡି ଗୁଡିକୁ ନିକଟସ୍ଥ ପୋଲିସ ଥାନା ମାନଙ୍କରେ ଜିମା ଦିଆଯାଇଛି। ସମସ୍ତ ଗାଡି ଗୁଡିକ ବିରୁଦ୍ଧରେ ମାମଲା ରୁଜ୍ଜୁ ହେବା ସହ ଜରିମାନା ମଧ୍ୟ ଧାର୍ଯ୍ୟ ହୋଇଛି।ଏପରିକି ଅତିଶ୍ରୀଘ୍ର ମାଫିଆ ମାନଂକ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଡିଏମ କହିଛନ୍ତି। ଏହା ସହିତ ଜିଲ୍ଲା ପ୍ରଶାସନକୁ ଚୋରି ପ୍ରବଣ ଅଞ୍ଚଳ ଏବଂ ଏହାର ଆଖପାଖରେ ୧୬୩ ବିଏନଏସ (ଧାରା ୧୪୪) ଲାଗୁ କରିବାକୁ ଅନୁରୋଧ କରାଯାଇଛି । ଯାଜପୁର ଜିଲ୍ଲାରେ ଲଘୁ ଖଣିଜ ପଦାର୍ଥ ସହିତ ଜଡିତ ବେଆଇନ ଖଣି କାର୍ଯ୍ୟକଳାପକୁ ସମାଧାନ କରିବା ଉପରେ ଧ୍ୟାନ ଦେଇ କାର୍ଯ୍ୟାନୁଷ୍ଠାନ ପ୍ରୟାସ ଜାରି ରହିଛି ଏବଂ ଭବିଷ୍ୟତରେ ମଧ୍ୟ ଜାରି ରହିବ ବୋଲି ଖଣି ଅଧିକାରୀ କହିଛନ୍ତି।

Comments (0)
Add Comment