ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ବିଧବାଙ୍କ ଘର ; ସରକାରୀ ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଦାବି।

ବେଲଗୁଣ୍ଠା,୧୧/୧୦(ପିପିଟି): ଚଳିତ ଲଗାଣ ବର୍ଷାରେ ବେଲଗୁଣ୍ଠା ବ୍ଲକ୍ ବିଭିନ୍ନ ଗ୍ରାମରେ କାନ୍ଥ ଭୁଶୁଡ଼ି ଲୋକଙ୍କ ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ଲଗାଣ ବର୍ଷା ଯୋଗୁଁ ଗୋବରା ନୂଆଁସାହିର ସ୍ୱର୍ଗତ ଶ୍ୟାମ ସୁନ୍ଦର ପାତ୍ରଙ୍କ ବିଧବା ପତ୍ନୀ କୁନ୍ତଳା ପାତ୍ରଙ୍କ ଦୁଇ ବଖରା ଟାଇଲ୍ ଘରର କାନ୍ଥ ଭୁଶୁଡ଼ି ଘରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି । ଘର ଭାଙ୍ଗିଯିବା ଖବର ପାଇବା ପରେ ଗୋବରା ସମିତିସଭ୍ୟ ବିଭୁପାଦ ଜେନା ଏବଂ ସ୍ଥାନୀୟ ରାଜସ୍ୱ ନୀରିକ୍ଷକ କୁନ୍ତଳାଙ୍କ ନିକଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରାରମ୍ଭିକ ସହାୟତା ପୂର୍ବକ ଜରି ପାଲ ପ୍ରଦାନ କରିଛନ୍ତି । ତେବେ କୁନ୍ତଳା ଜଣେ ଗରୀବ ଶ୍ରେଣୀର ବିଧବା ମହିଳା ହୋଇଥୂବା ଯୋଗୁଁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ସହ ପକ୍କା ଘର ଯୋଗାଇଦେବାକୁ ସ୍ଥାନୀୟ ସମିତିସଭ୍ୟ ବିଭୁପାଦ ଜେନା ଦାବି କରିଛନ୍ତି । ସେହିପରି ଅନ୍ୟ ଏକ ଘଟଣାରେ ଖଇରପୁଟି କଇଠମାଳ ସାହିର ସ୍ଵର୍ଗତ କଂଗ୍ରେସ୍ ବିଷୋୟୀଙ୍କ ବିଧବା ପତ୍ନୀ ଲକ୍ଷ୍ମୀ ବିଷୋୟୀଙ୍କ ଚାଳ ଘରଟି ମଧ୍ୟ ଚଳିତ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣରୂପେ ଭୁଶୁଡ଼ି ଯାଇଛି । ଲକ୍ଷ୍ମୀ ଏହି ଘରେ ନିଜର ବିଧବା ଭଉଣୀ ସହିତ ରହୁଥିବା ବେଳେ ଲକ୍ଷ୍ମୀଙ୍କ ଏକ ମାତ୍ର ପୁଅ ସୁଦୂର ତାମିଲନାଡ଼ୁରେ ଦାଦନ ଶ୍ରମିକ ଭାବେ କାମ କରନ୍ତି । ଲକ୍ଷ୍ମୀ ଗାଆଁ ବିଦ୍ୟାଳୟରେ ପାଚିକା ସହାୟିକା ରୂପେ କାମ କରନ୍ତି । ତେବେ ଘର ଭାଙ୍ଗି ଯିବା ପରେ ଦୁଇ ବିଧବା ଭଉଣୀ ସମ୍ପୂର୍ଣ୍ଣ ବେସାହାରା ହୋଇପଡିଛନ୍ତି । ଖବର ପାଇ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ଏବଂ ସରପଞ୍ଚ ସତ୍ୟବାନ ସ୍ୱାଇଁ ଲକ୍ଷ୍ମୀଙ୍କର ଭଙ୍ଗା ଘରର ସ୍ଥିତି ଦେଖିବା ସହ ଦୁଇ ଭଉଣୀଙ୍କୁ ସ୍ଥାନୀୟ ପମ୍ପ୍ ହାଉସ୍ ରେ ଅସ୍ଥାୟୀ ଭାବେ ଥଇଥାନ କରି କିଛି ରାସନ୍ ସାମଗ୍ରୀ ପ୍ରଦାନ କରିଛନ୍ତି । ଘର ତିଆରି ପାଇଁ ଲକ୍ଷ୍ମୀଙ୍କର କୌଣସି ସମ୍ବଳ ନଥିବା ଯୋଗୁଁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଏବଂ ଘର ଯୋଗାଇଦେବାକୁ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ଦାବି କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment