ଲଗାଣ ବର୍ଷାରେ ବ୍ୟାପକ ଫସଲ ନଷ୍ଟ; ଭୁଶୁଡ଼ିଲା ଘର ।

ଭଞ୍ଜନଗର,୨୦/୦୮(ପିପିଟି):ଲଘୁଚାପଜନିତ ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଚାଷଜମି ସବୁ ଜଳମଗ୍ନ ହୋଇ ରହିଛି।ଭଞ୍ଜନଗର ବ୍ଲକ ଗାଲେରୀ ଅଞ୍ଚଳରେ ବ୍ୟାପକ ଫସଲ ଓ ପନିପରିବା ପାଣି ଘେରରେ ରହିଛି। ସେସବୁ ନଷ୍ଟ ହେବା ଆଶଙ୍କା ରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।ଗାଲେରୀ ଓ ରଙ୍ଗାମେରୁ ଅଞ୍ଚଳରେ ପ୍ରାୟ ୫୦ଏକର ଜମିରେ ହୋଇଥିବା ଧାନ ଫସଲ ଓ ପନିପରିବା ଗଛ ପାଣିରେ ବୁଡି ରହିଥିବା ଜଣାପଡିଛି। ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ବର୍ଷା ଲାଗି ରହିଥିବା ଯୋଗୁଁ ଗାଲେରୀ ପୂର୍ତ୍ତ ଡ଼ାକ ବଙ୍ଗଳା ନିକଟରେ ଥିବା ଏକ ଝାଟିମାଟି ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି।କାହ୍ନୁ ମୁଳି ଦାଦନ ଶ୍ରମିକ ଭାବେ ତାମିଲନାଡୁ ରେ କାମ କରୁଥିବା ବେଳେ ଘରେ ତାର ପତ୍ନୀ ଶାନ୍ତିଲତା, ବୁଢ଼ୀ ମାଆ ଓ ବର୍ଷକର ଛୁଆଟିଏ ରହୁଥିଲେ। ହାଠାତ୍ ଘରଟିର କାନ୍ଥଟି ଭୁଶୁଡ଼ି ପଡିଯିବାରୁ ଅଳ୍ପକେ ସମସ୍ତେ ବର୍ତ୍ତି ଯାଇଛନ୍ତି ହେଲେ ଘରର ସମସ୍ତ ଜିନିଷପତ୍ର ନଷ୍ଟ ହୋଇଯାଇଛି। ବର୍ତ୍ତମାନ ସେମାନେ ଅନ୍ୟ ଘରେ ଆଶ୍ରୟ ନେଇଥିବା ବେଳେ ପ୍ରଶାସନ ତରଫରୁ କୌଣସି ସହାୟତା ଯୋଗାଇ ଦିଆଯାଇ ନାହିଁ। ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment