ପୋଲସରା,୧୪/୧୧(ପିପିଟି):ଚଳିତ ଅସମୟ ଲଗାଣ ବର୍ଷା ପ୍ରଭାବରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଏବଂ ଏନ୍ଏସି ର ବହୁ ଧାନ ଅମଳ ଯୁକ୍ତ ଚାଷଜମି ପାଣିରେ ବୁଡି ରହିବା ଯୋଗୁଁ ବହୁତ ପରିମାଣରେ ଧାନଚାଷ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ନିଜ ନିଜର ହାଡଭଙ୍ଗା ପରିଶ୍ରମରେ ବର୍ଷଯାକର ନିଜ ଓ ନିଜର ପରିବାରର ପେଟକୁ ଭାତ ଦିଗୁଣ୍ଡା ମିଳିବା ଆଶା ରଖିଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଲେଣି । ଅଞ୍ଚଳରେ ମୋଟ ୨୬ ଗୋଟି ଗ୍ରାମ ପଞ୍ଚାୟତ ଗୁଡିକରେ ଉକ୍ତ ବର୍ଷାପାଣି ପ୍ରଭାବରେ ଚାଷୀ ମାନଙ୍କର ଅମଳ କ୍ଷମଯୁକ୍ତ ଧାନଚାଷ ନଷ୍ଟ ହୋଇଯାଇଥିବାରୁ କ୍ଷତଗ୍ରସ୍ତ ଚାଷୀ ମାନଙ୍କ ମୁଣ୍ଡରେ ଏକ ପ୍ରକାର ଚଡ଼କ ପଡ଼ିଛି । ଏ ନେଇ ପୋଲସରା ବ୍ଲକ କୃଷି ବିଭାଗ ଅଧିକାରୀ ଅନିରୁଦ୍ଧ ତରାଇଙ୍କୁ ଗଣ ମାଧ୍ୟମ ପ୍ରତିନିଧି ସନ୍ତୋଷ କୁମାର ପଣ୍ଡା ସମସ୍ଯା ସମ୍ପର୍କରେ ପଚାରିବାରୁ ସେ କହିଥିଲେ ବର୍ତ୍ତମାନ ଲଗାଣ ବର୍ଷା ବନ୍ଦ ହେଲାପରେ ଆମ୍ଭର କୃଷି ବିଭାଗ ଏବଂ ରାଜସ୍ବ ବିଭାଗ ଉଭୟଙ୍କ ଦ୍ଵାରା ମିଳିତ ଭାବେ ଯେଉଁ ଯେଉଁ ସ୍ଥାନରେ ଚାଷୀ ମାନଙ୍କର ଧାନଚାଷ ସରକାରଙ୍କ କୃଷି ନିୟମ ପ୍ରକାରେ କ୍ଷତି ହୋଇଛି ସେସବୁର ପରିଦର୍ଶନ ଓ ଆଞ୍ଚଳିକ ସମୀକ୍ଷା କରାଯାଇ ସରକାରଙ୍କୁ ରିପୋର୍ଟ ନିଶ୍ଚିତ ଭାବେ ଦିଆଯିବ । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଉଭୟ ପ୍ରଶାସକ ବିଭାଗରୁ କେତେ ଶୀଘ୍ର ପରିଦର୍ଶନ ସହିତ ଆର୍ଥିକ ସମୀକ୍ଷା କରାଯାଇ ପୋଲସରା ଅଞ୍ଚଳରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଦେବାକୁ ପରିଶ୍ରମ କରୁଛନ୍ତି । ଏପଟେ କିଛି ଚାଷୀଙ୍କୁ ପଚରାଯିବାରୁ ସେମାନେ ବହୁତ ମାନସିକ ଭାରାକ୍ରାନ୍ତି ମଧ୍ୟରେ ନିଜ ନିଜର ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯଦି ଆମ୍ଭକୁ ଯଥାଶୀଘ୍ର କ୍ଷତି ପୁରଣ ମିଳିବ ନାହିଁ ତେବେ ଆମ୍ଭେମାନେ ଆବଶ୍ୟକ ସ୍ଥଳେ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ସରକାର ଏବଂ ଉଭୟ ପ୍ରଶାସନକୁ ମୌଖିକ ଭାବେ ଚେତାବନୀ ଦେଇଛନ୍ତି ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)