ଲଗାଣ ବର୍ଷାରେ ଧାନ ଫସଲ ଓ ପନିପରିବା ସମ୍ପୂର୍ଣ୍ଣ ନଷ୍ଟ ।

ଭଞ୍ଜନଗର,୦୫/୧୨(ପିପିଟି): ବାତ୍ୟା ଜୱାଦ ଗଞ୍ଜାମ ଜିଲ୍ଲାରେ ଆଶାନୁରୂପ ପ୍ରଭାବ ପକାଇ ନ ଥିଲେ ମଧ୍ୟ ଗତ ଦୁଇ ଦିନ ଧରି ଝିପିଝିପି ବର୍ଷା ଲାଗି ରହିଛି। ଯାହା ଫଳରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଚାଷକାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ପୂର୍ବ ଲଘୁଚାପ ଜନିତ ବର୍ଷାରେ ଧାନ ଓ ପନିପରିବା ଗଛ ଗୁଡ଼ିକ ଶୋଇ ଯାଇଥିଲା ହେଲେ ଚାଷୀମାନେ ପୁଣିଥରେ ଅକ୍ଲାନ୍ତ ପରିଶ୍ରମ କରି ସେସବୁର ପୁନରୁଦ୍ଧାର କରିଥିଲେ।ହେଲେ ବାତ୍ୟା ଜୱାଦ କୁନେଇ ସମସ୍ତେ ଆତଙ୍କିତ ଅବସ୍ଥାରେ ଥିବାବେଳେ ବାତ୍ୟା ସିନା ଟଳିଗଲା ହେଲେ ଲଗାଣ ବର୍ଷାରେ ଧାନ ଫସଲ ଓ ପନିପରିବା ଗଛ ପାଣିରେ ବୁଡି ରହି ନଷ୍ଟ ହୋଇଯାଇଛି।ମୁଜାଗଡ଼, ଗୁଣ୍ଡୁରିବାଡି, ସାନ କୋଦଣ୍ଡା,ଗାଲେରୀ ସମେତ ଅନ୍ୟାନ୍ୟ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାଷଜମି ଜଳମଗ୍ନ ହୋଇରହିଛି। ତେଣୁ ଚାଷୀ ମାନଙ୍କ ବହୁଦିନର ପରିଶ୍ରମ ବୃଥା ହୋଇଛି।ବ୍ୟାପକ ଫସଲ ନଷ୍ଟ ହୋଇଥିବାରୁ କ୍ଷତିପୂରଣ ପାଇଁ ସାଧାରଣରେ ଦାବି ହେଉଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment